ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ ସୁବର୍ଣ୍ଣ ଜୟନ୍ତୀରେ ଧର୍ମେନ୍ଦ୍ର

 ଭୁବନେଶ୍ୱର/ଖେତରାଜପୁର/ସମ୍ବଲପୁର : ବୁଧବାର ସମ୍ବଲପୁର ଜିଲ୍ଲା ଖେତରାଜପୁର ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ସମ୍ବଲପୁରର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ କି, ପୂଜ୍ୟ ଗୁରୁ ନାନକ ଦେବଙ୍କ ସମେତ ଶିଖ୍ ସମ୍ପ୍ରଦାୟର ଧର୍ମଗୁରୁ ଏବଂ ବୀର ସୁରେନ୍ଦ୍ର ସାଏ ଓ ବାଜି ରାଉତଙ୍କ ପରି ଅନେକ ସଂଗ୍ରାମୀମାନେ ଦେଶ ପାଇଁ ଅନେକ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ସେହି ଗୁରୁ ଓ ସଂଗ୍ରାମୀମାନଙ୍କ ଧର୍ମ, ଆଦର୍ଶ, ସଂସ୍କାର ତଥା ପ୍ରେରଣାଦାୟୀ ବାର୍ତ୍ତାରୁ ଅନୁପ୍ରାଣିତ ହୋଇ ଆମର ଯୁବପିଢିମାନେ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା ଦିଗରେ ଆଗଭର ହୁଅନ୍ତୁ । ସେ ଆହୁରି କହିଥିଲେ ଯେ, ପୂଜ୍ୟ ଗୁରୁ ନାନକ ଦେବଙ୍କ ନାମରେ ନାମିତ ଏହି ସ୍କୁଲ ଦୀର୍ଘ ୫୦ ବର୍ଷରେ ପଦାର୍ପଣ କରିବା ଏକ ଗୌରବମୟ ଉପଲବ୍ଧି । ଗୁରୁ ନାନକଙ୍କ ଯେଉଁଭଳି ଆଦର୍ଶ, ବିଚାର, ସିଦ୍ଧାନ୍ତ ଏବଂ ସେବା ମନୋଭାବର ସମର୍ପଣ ଥିଲା, ତାଙ୍କ ସଂସ୍କାର ଆଧାରରେ ସ୍କୁଲ୍ଟି ପରିଚାଳିତ ହେବା ଆନନ୍ଦର ବିଷୟ । ଯେତେବେଳେ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଉଦ୍ୟମ ହେଉଥିଲା, ସେହି ସମୟରେ ଗୁରୁ ନାନକ ସମାଜକୁ ଏକାଠି କରି ଭାରତର ସଂସ୍କୃତିର ସୁରକ୍ଷା ପାଇଁ ଦାୟିତ୍ୱ ନେଇଥିଲେ ।