ଗେମ୍ ଓ ଗାମ୍ବଲିଂ : ୩ କୋଟି ଜିତିଲେ ଖାତାକୁ ଆସିବ କେତେ?

ନୂଆଦିଲ୍ଲୀ : ଚାଲିଛି ଆଇପିଏଲ୍ । ଦର୍ଶକ ଦେଖୁଛନ୍ତି ତା ସହ ଅନ୍ ଲାଇନ୍ ଗେମ୍ରେ ଟିମ୍ କରି କୋଟି କୋଟି ଟଙ୍କା ବି ଜିତୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଅନ୍ ଲାଇନ୍ ଗେମ୍ ଖେଳି କିଛି ଜୀବନ ହାରୁଥିବା ଖବର ବି ନଜିର ରହିଛି । ହେଲେ ଏହି ଅନ୍ ଲାଇନ୍ ଗେମ୍ ଖେଳିବା କେତେ ଠିକ୍ କେତେ ଭୁଲ ତାହା ପ୍ରଶ୍ନ ସୃଷ୍ଟି କରୁଛି ।
ଅନ୍ଲାଇନ୍ ଗେମ୍ ଖେଳିବାକୁ ନେଇ ପୃଥିବୀ ଓ ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି । ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି । ୧୮୬୭ରେ ଭାରତରେ ପବ୍ଲିକ୍ ଗାମ୍ବଲିଂ ଆକ୍ଟ ତିଆରି କରାଗଲା ବେଳେ ଧାରା-୧୨ରେ କୌଶଳ ବା ବୁଦ୍ଧିର ଖେଳକୁ ଆଇନସମ୍ମତ ରଖାଯାଇଥିଲା । ସେହି ଅନୁସାରେ ଅନେକ ରାଜ୍ୟରେ ଫାଣ୍ଟାସି ସ୍ପୋର୍ଟସ, ରମି, ପୋକର ଭଳି କାର୍ଡ ଖେଳକୁ କୌଶଳର ଖେଳ ବା ଆଇନସମ୍ମତ ଭାବେ ବିବେଚନା କରାଯାଏ । ମାତ୍ର ସମ୍ବିଧାନର ଧାରା-୭ ଅନୁସାରେ ଫଗାମ୍ବଲିଂ ଓ ବେଟିଂ’ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଓଡିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ଅର୍ଥ ଲାଗିଥିବା ସବୁ ପ୍ରକାର ଖେଳକୁ ଗାମ୍ବଲିଂ ବା ଜୁଆ ଭାବରେ ବିବେଚନା କରାଯାଉଛି । ଓଡିଶା ସବୁ ପ୍ରକାର ଗାମ୍ବଲିଂକୁ ୧୯୫୫ର ଗାମ୍ବଲିଂ ପ୍ରଭିଭେନସନ୍ ଆକ୍ଟରେ ବେଆଇନ ଘୋଷଣା କରିଛି । ହେଲେ ଏବେ ବି ଗୋଆ ବା ସିକିମରେ କାସିନୋ ଖେଳ ପାଇଁ କିଛି ସଂସ୍ଥାଙ୍କୁ ଲାଇସେନ୍ସ ଦିଆଯାଉଛି ।
ଭାରତର ଅନ୍ୟ କିଛି ରାଜ୍ୟରେ ଅନଲାଇନ ଗେମ୍ କମ୍ପାନୀ ଖୋଲି ଡ୍ରିମ୍ ୧୧ ଓ ମାଇଁ ୧୧ ଭଳି ଗେମିଂ ଆପ୍ ଚଳାଇଥିବା ସଂସ୍ଥାର କେୱାଇସି ପ୍ରାୟତଃ ଠିକ୍ ରହିଥିବା ଦେଖାଯାଉଛି । କେୱାଇସି କହିଲେ, ସଂପୃକ୍ତ କମ୍ପାନୀର ସବୁ ତଥ୍ୟ ୱେବସାଇଟ ବା ଆପରେ ରହିଥିବାବେଳେ ଏଥିରୁ ଯେଉଁମାନେ ଖେଳିବା ପରେ କୋଟି କୋଟି ଟଙ୍କା ପୁରସ୍କାର ପାଉଛନ୍ତି । ସେମାନଙ୍କଠାରୁ ଆୟକର ଆଇନ ଅନୁସାରେ ୩୦ ପ୍ରତିଶତ ଟିଡିଏସ ବା ଟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ କାଟି ନିଆଯାଇ ସରକାରଙ୍କୁ ଦିଆଯାଉଛି ।
ଏହାପରେ କମ୍ପାନୀ ଏଥରୁ ୧୮ ପ୍ରତିଶତ ଜିଏସଟି କାଟି ସରକାରଙ୍କୁ ଦେଉଛି । ଉଦାହରଣସ୍ୱରୂପ ୩ କୋଟି ଟଙ୍କା ପୁରସ୍କାର ଜିତିଥିବା ଜଣେ ବ୍ୟକ୍ତି ଆକାଉଣ୍ଟରେ ପ୍ରକୃତ ଟଙ୍କା ପାଇଲା ବେଳକୁ ତାହା ପାଖାପାଖି ୧ କୋଟି ୮୦ ଲକ୍ଷ ଟଙ୍କା ଭଳି ହୋଇଯାଉଛି ।