ଗୋଟିଏ ଦିନରେ ୧୨ ଗିରଫ ; ୧୦୦୦ ଲିଟର ମଦ ଜବତ

ଭୁବନେଶ୍ୱର, ୨୦ା୮ : ରାଜଧାନୀରେ ନିଶା କାରବାର ବଢ଼ୁଥିବା ନେଇ କମିଶନରେଟ୍ ପୁଲିସ ଓ ଅବକାରୀ ବିଭାଗ ଆକ୍ସନ ମୋଡରେ । ପ୍ରତେକ ଦିନ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବହୁ ନିଶା ବେପାରୀ ଗିରଫ ହେବା ସହ ସେମାନଙ୍କ ଠାରୁ ମଦ, ଗଞ୍ଜେଇ, ବ୍ରାଉନସୁଗାର ଜବତ କରାଯାଉଛି । ସବୁଦିନ ପରି ଆଜି ଭୁବନେଶ୍ୱର ଅବକାରୀ ଥାନା-୧, ଅବକାରୀ ଥାନା-୨ ଓ କଟକ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ ଏକା ସାଙ୍ଗରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୧୨ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ୧୦୦୦ ଲିଟର ଦେଶୀମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ, କେଦାରପଲ୍ଲୀ ବସ୍ତିର କୁନି ନାୟକ, ଭରତପୁରର ପୂର୍ଣ୍ଣଚନ୍ଦ୍ର ମୁର୍ମୁ, କଳାମନ୍ଦିର ବସ୍ତିର ଲକ୍ଷ୍ମୀ ରାଓ, ଚନ୍ଦ୍ରଶେଖରପୁରର ସନରାମ ସିଂ, ଭରତପୁରର ଗୋବିନ୍ଦ୍ର ନାୟକ, ମଞ୍ଚେଶ୍ୱର ଗୋପବନ୍ଧୁ ବସ୍ତିର ମାନସ ମାରାଣ୍ଡି, ଶ୍ରୀମତି ସୋରେନ୍, ବୁଦୁନି ମାରାଣ୍ଡି ଓ ଭରତପୁର ଖଣ୍ଡୁଆଳ ବସ୍ତିର ରବିନ୍ଦ୍ର ପରିଡ଼ା ।
ସୂଚନା ଯୋଗ୍ୟଯେ, ମଙ୍ଗଳବାର ଦିନ ଅବକାରୀ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ଓ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ, ଭୁବନେଶ୍ୱର ଅବକାରୀ ଥାନା ୧ ଓ ୨ର ଟିମ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଜଣେ ମଦ ବେପାରୀ ତା ଅଟୋରେ ଆଠଗଡ଼ରୁ ଚନ୍ଦକା ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତାକୁ ଭରତପୁର ଜିଏ କଲୋନୀ ରୋଡରେ ମାଡି ବସିଲା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ । ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ୭୬୦ ଲିଟର ଦେଶୀମଦ ଜବତ କରାଯାଇଥିଲା । ସେହିପରି ଭୁବନେଶ୍ୱର ଅବକାରୀ ଟିମ ମଧ୍ୟ ଭରତପୁର, ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳର ବସ୍ତି ମାନଙ୍କରୁ ୧୧ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨୩୭ ଲିଟର ଦେଶୀମଦ ଜବତ କରାଯାଇଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।