ଗୋଡାଇ ହାଣିଲେ - ବୋମା ପକାଇ କଲେ ହତ୍ୟା ଉଦ୍ୟମ
୩ ଅଭିଯୁକ୍ତ ଗିରଫ; ୪ଟି ଜୀବନ୍ତ ବୋମା, ଖଣ୍ଡା ଓ କାର ଜବତ
ଭୁବନେଶ୍ୱର, ୭ା୧୧: ଗୋଡାଇ ଗୋଡାଇ ହାଣିବା ସହ ବୋମା ପକାଇ ଜଣେ ପାଲା ଗାୟକଙ୍କୁ ହତ୍ୟା ଯୋଜନା କରୁଥିବା ୩ ଜଣ ପେଶାଦାର ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ, ପାଞ୍ଚଗାଁ ଅଞ୍ଚଳର ଜୁଜୁ ସାମନ୍ତରାୟ, ବଣ୍ଟି ସାମନ୍ତରାୟ ଓ ପିଣ୍ଟୁ ସାମନ୍ତରାୟ । ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବର ଏୟାରଫିଲ୍ଡ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କ ଠାରୁ ଏକ କାର, ଏକ ଖଣ୍ଡା ଓ ୪ଟି ଜୀବନ୍ତ ବୋମା ଜବତ କରାଯାଇଛି । ପରେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ପ୍ରସନ୍ନଜିତ ସାମନ୍ତରାୟ ନାମକ ଜଣେ ପାଲା ଗାୟକ ବୁଧବାର ରାତି ୧୦ଟାରେ ନିଜ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ, ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁ ଛକ ନିକଟରେ ଗିରଫ ୩ ଅଭିଯୁକ୍ତ ତାଙ୍କୁ କାର ଆଡ କରି ଅଟକାଇଥିଲେ । ସେତିକି ବେଳେ ଅଭିଯୋଗକାରୀ ପ୍ରସନ୍ନଜିତ ତାଙ୍କୁ ବାଟ ଛାଡ଼ିବାକୁ କହିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦାଦାବଟି ମାଗିବା ସହ ତୁରନ୍ତ ଟଙ୍କା ନ ଦେଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପ୍ରସନ୍ନଜିତ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ସହ ଛୁରୀରେ ତାଙ୍କ ପେଟକୁ ଭୁଷି ଦେଇଥିଲେ । ଫଳରେ ପ୍ରସନ୍ନଜିତ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ରକ୍ତ ଜୁଡ଼ୁବୁଡ଼ ହୋଇ ପଡ଼ିଥିବା ଦେଖି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ଏନେଇ ଏୟାରଫିଲ୍ଡ ଥାନା ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରସନ୍ନଜିତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଆଧାରରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା କାରରୁ ୩ଟି ଜୀବନ୍ତ ବୋମା, ଏକ ଛୁରୀ ଓ ଭୁଜାଲିକୁ ପୁଲିସ ଜବତ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ନାମରେ ୧୦ରୁ ଊଦ୍ଧ୍ୱର୍ ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି । ପୂର୍ବରୁ ସେପ୍ଟମ୍ବର ମାସରେ ଆୟନ କଲେଜରେ ହୋଇଥିବା ଛାତ୍ର ଅଶାନ୍ତି ବେଳେ ଅଭିଯୁକ୍ତମାନେ କଲେଜ ବସକୁ ଘନଘନ ବୋମାମାଡ଼ କରିଥିଲେ । ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ କ୍ରମାଗତ ଭାବେ ଦାଦାବଟି ମାଗିବା ନେଇ ଅଭିଯୋଗ ହୋଇଆସୁଛି । ଏପରିକି ସେମାନେ ପୂର୍ବରୁ ମଧ୍ୟ ଦାଦାବଟି ମାଗି ଗିରଫ ହୋଇଥିବାର ନଜର ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।