ଗ୍ରାମ୍ୟ ଉନ୍ନୟନ ବିଭାଗର ନିମ୍ନମାନର ରାସ୍ତାକାମ : ହାତ ମାରିଲେ ଉଠି ଯାଉଛି ପିଚୁ

 ରାଜନଗର: ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜନଗର ବ୍ଲକ ତାଳଚୁଆଠାରୁ ଯାଇଥିବା ପଟ୍ଟାପାରିଆ ରାସ୍ତାର ବାଘମାରୀଠାରୁ ପଟ୍ଟପାରିଆ ପର୍ଯ୍ୟନ୍ତ ଏପରି ନିମ୍ନମାନର ପିଚୁ କାମ କରାଯାଇଛି ଯେ, ହାତ ମାରିଲେ ଫଡା ଫଡା ହୋଇ ପିଚୁ ବାହାରି ଯାଉଥିବା ଦେଖିବାକୁ ମିଳିଛି । ବାଘମାରୀରୁ ପଟ୍ଟାପାରିଆ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା । ମାତ୍ର କିଛିବର୍ଷ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିବାରୁ ବାଘମାରୀ, ରଙ୍ଗଣୀ ପଞ୍ଚାୟତ ସହ ତାଳଚୁଆ ଓ କେରୁଆଁପାଳ ପଚାଂୟତ ଲୋକମାନେ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାପରେ ଏହି ରାସ୍ତାର ପୁନଃନିର୍ମାଣ ପାଇଁ ତାଳଚୁଆ ଟିକାୟତନଗର ଛକରୁ ରଙ୍ଗଣୀ ଯାଇଥିବା ରାସ୍ତାକୁ ୧କୋଟି ୨୮ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା । ସେଥିମଧ୍ୟରୁ ବାଘମାରୀ ତାରିଣୀ ଛକରୁ ପଟ୍ଟାପାରିଆ ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ନପକାଇ ପିଚୁରେ ବଜୁରୀ ଭାଜି ରାସ୍ତାରେ ନିମ୍ନମାନର ପିଚୁକାମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନିମ୍ନମାନର କାମ କରାଯାଉଥିବା ନେଇ ରାସ୍ତାକାମକୁ ବନ୍ଦ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ସାହୁ ଓ ସହକାରୀ ଯନ୍ତ୍ରୀ ସମୀର ବେହେରା ରାସ୍ତା ଦେଖିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ହାତରେ ପିଚୁ ତାଡି ଦେଖାଇବାରୁ ଉତେଜନା ପ୍ରକାଶ ପାଇଥିଲା । ଦୁଇ ଯନ୍ତ୍ରୀ ତରବରିଆ ଭାବେ ସେଠାରେ ପଳାଇ ଆସିଥିଲେ । ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ଓ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ବାରମ୍ବାର ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।