ଚକୁଆ ବାଲି ଘାଟରୁ ୬ ଟ୍ରାକ୍ଟର ଜବତ
ଯଖପୁରା : ଚକୁଆ ବାଲି ଘାଟ ଉପରେ ଲଘୁ ଖଣିଜ ବିଭାଗ ଚଢାଉ କରି ୬ଟି ଟ୍ରାକ୍ଟର ଜବତ କରିଛି । ଲଘୁ ଖଣିଜ ବିଭାଗର ଅଶୋକ କୁମାର ମହାନ୍ତି ଜବଦ ବାଲି ବୋଝେଇ ଟ୍ରାକ୍ଟରକୁ ଦାନଗଦୀ ପୁଲିସ ଜିମାରେ ଦେଇଛନ୍ତି । ଖବର ମତେ ଚକୁଆ ବାଲି ଘାଟଟି ପ୍ରାୟଦୁଇ ବର୍ଷରୁ ଅଧିକ ହେବ ନିଲାମ ହୋଇନାହିଁ । ଏହାର ସୁଯୋଗ ନେଇ ପ୍ରତ୍ୟେକ ଦିନ ଘାଟରୁ ବ୍ୟାପକ ପରିମାଣର ବାଲି ଚୋରାରେ ଉଠୁଥିଲା । ବାଲି ଘାଟ ନିଲାମ ନ ହେବାରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇ ଚାଲିଛନ୍ତି । ନିର୍ଦ୍ଧିଷ୍ଟ ଗୋଷ୍ଠୀର ଅକ୍ତିଆରରେ ଚକୁଆ ବାଲି ଘାଟଟି ରହିଛି । ସେମାନେ ଖଣିବିଭାଗ, ପୁଲିସ ଓ ତହସିଲଦାରଙ୍କୁ ଚକମା ଦେଇ ବାଲିଲୁଟ୍ କରିଚାଲିଛନ୍ତି । ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ଟ୍ରାକ୍ଟର ବାଲି ବୋଝେଇ କରିଥାନ୍ତି । ବାଲି ବୋଝେଇ ଟ୍ରାକ୍ଟର ପ୍ରତି ଦିନ ନଦୀ ବନ୍ଧ ରାସ୍ତାରେ ଯିବା ଆସିବା କରୁଥିବାରୁ ନଦୀ ବନ୍ଧ ରାସ୍ତା ଦୁର୍ବଳ ହେଉଛି । ପୁଣି ଦାନଗଦୀ ତହସିଲର ଚକୁଆ ଓ ଖପୁରିଆପଦା ଅଞ୍ଚଳ ବନ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ନଦୀ ବନ୍ଧ ପ୍ରତି ବିପଦ ରହିଛି । ଚକୁଆ ବାଲିଘାଟକୁ ତୁରନ୍ତ ବନ୍ଦ ନକଲେ ବନ୍ୟାଜଳ କେତେ ବେଳେ ଯେ ଗ୍ରାମରେ ପଶି ଧନ ଜୀବନ ନଷ୍ଟ କରିବ କିଏ କହିପାରିବ । ଘାଟକୁ ତୁରନ୍ତ ବନ୍ଦ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।