ଚେଇଁ ଶୋଇଛି ଜିଲ୍ଲା ପରିବହନ ବିଭାଗ  :ବାଇକ ପ୍ରେମରେ କଲେଜ ଛାତ୍ର, କାର୍ଯ୍ୟାନୁଷ୍ଠାନ ଶୂନ 

 ବ୍ରହ୍ମବରଦା: ଛାତ୍ର-ଛାତ୍ରୀ ହେଉଛନ୍ତି ଦେଶର ମୁଖ୍ୟ ସମ୍ବଳ । ଦେଶର ଭବିଷ୍ୟତ ଗଢିତୋଳିବାରେ ସେମାନଙ୍କ ଯଥେଷ୍ଠ ଭୂମିକା ରହିଛି । ବିଶେଷ କରି କଲେଜ ପଢୁଆ ଛାତ୍ର-ଛାତ୍ରୀ ରାଜ୍ୟ ତଥା ଦେଶକୁ ପ୍ରଗତି କ୍ଷେତ୍ରରେ ଆଗେଇ ନେଇଥାନ୍ତି । କିନ୍ତୁ ଦିନକୁ ଦିନ କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ଜୀବନଶୈଳୀ ଅହେତୁକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୂର୍ବରୁ ପିଲାମାନେ ଚାଲି ଚାଲି କିମ୍ୱା ସାଇକେଲ ଖଣ୍ଡେ ଧରି କଲେଜକୁ ଯିବାଆସିବା କରୁଥିଲେ ଏବେ ସମୟ ବଦଳିବା ସହ କଲେଜକୁ ଯିବାଆସିବା କରିବାର ଢାଞ୍ଚା ବଦଳିଛି । ଯେଉଁ ଢାଞ୍ଚାକି ବର୍ତ୍ତମାନ ସମାଜର ଏକ ପ୍ରମୁଖ ବ୍ୟାଧି ରୁପେ ଉଭା ହୋଇଛି । ଯାହା ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଥଗାମୀ ଆଡକୁ ଟାଣି ନେଉଛି । ତାହା ହେଲା କଲେଜକୁ ପାଠ ପଢିବାକୁ ଆସିବା ସମୟରେ ସାଙ୍ଗରେ ଅସୁରକ୍ଷିତ ଭାବେ ବାଇକ ଡ଼୍ରାଇଭ କରି ଆସିବା । ମୋଟାମୋଟି କହିବାକୁ ଗଲେ କଲେଜ ପିଲାମାନଙ୍କ ଅପରିପକ୍ୱ ବୟସରେ ବାଇକ ପ୍ରତି ମୋହ ବା ପ୍ରେମ । ସମ୍ପ୍ରତି ଆଧୁନିକ ସମୟରେ ବାଇକ ଚଳାଇବା କଥାଟା ଏବେ ସବୁ କଲେଜ +୨ ଓ + ୩ ଛାତ୍ରଛାତ୍ରୀ ମାନଙ୍କ ଦୁର୍ବଳତାରେ ପରିଣତ ହୋଇଥିବା ବେଳେ ସମାଜର ଏକ ମୁଖ୍ୟ ସମସ୍ୟା ରୁପେ ଉଭା ହୋଇଛି । ଠିକ ସେହିପରିଭାବେ ଦେଶର ତଥା ରାଜ୍ୟର ପ୍ରାୟତଃ ସବୁ କଲେଜର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହି ସମାନ ଢାଞ୍ଚା ଦେଖିବାକୁ ମିଳିଥିବା ବେଳେ ଏଥିରୁ ବାଦ ପଡିନାହିଁ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ଦୁଇଗୋଟି କଲେଜର ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ । 
ସୁଚନାନୁଯାୟୀ କି ବ୍ରହ୍ମବରଦା ପଞ୍ଚାୟତର ଗୋଟିଏ କମ୍ପାଉଣ୍ଡ ଭିତରେ ରହିଛି ଦୁଇଗୋଟି କଲେଜ । ଗୋଟିଏ +୨ ବା ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅନ୍ୟଟି +୩ ବା ଡିଗ୍ରୀ ମହାବିଦ୍ୟାଳୟ । +୨ କଲେଜର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୧୨୦୦ ହୋଇଥିବା ବେଳେ +୩ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୭୬ରହିଛି । ତା ମାନେ ଦୁଇଗୋଟି କଲେଜରେ ଗାଏମୋଟ ୧୭୦୦ରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଦୈନିକ ପାଠ ପଢିବାକୁ ଆସିଥାନ୍ତି । କିନ୍ତୁ ଏଠାକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଶହେରୁ ଊର୍ଦ୍ଧ ସଂଖ୍ୟକ ଛାତ୍ରଛାତ୍ରୀ ସାଙ୍ଗରେ ବାଇକ ଧରିକି ଆସୁଥିବାର ଦେଖିବାକୁ ମିଳିଛି । ଯାହା ଏବେ କଲେଜ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଥିବା ବେଳେ କଲେଜ ରୋଡ ଦେଇ ଯିବାଆସିବା କରୁଥିବା ପଥଚାରୀ ମାନଙ୍କର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ବାଇକ ଚଳେଇ କଲେଜ ଆସୁଥିବା ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ପିଲାମାନଙ୍କର ନା ଅଛି ଡ୍ରାଇଭିଂ ଲାଇସେନ୍ସ ନା ସୁରକ୍ଷା ନିମିତ ସେମାନଙ୍କ ମୁଣ୍ଡରେ ଥାଏ ହେଲମେଟ । ଗୋଟିଏ ପ୍ରକାରରେ କହିବାକୁ ଗଲେ ବେଆଇନ ଓ ଅସୁରକ୍ଷିତ ଭାବେ ସେମାନେ ଦୈନିକ କଲେଜ ରୋଡ ଦେଇ ଯିବାଆସିବା କରିଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଥି ପ୍ରତି ଅଭିଭାବକ ମାନଙ୍କର ନା ଅଛି ରୋକ ନା ତାଙ୍କ ସୁରକ୍ଷା ପ୍ରତି ଅଛି ଟିକେ ଚିନ୍ତା । ବେପରୁଆ ଗାଡି ଚାଳନା ସାଙ୍ଗକୁ ଗୋଟିଏ ବାଇକରେ ୩/୪ ଲେଖାଏଁ ଲଦାଲଦି ହୋଇ ଯିବାଆସିବା କରୁଥିବାର ଦୃଶ୍ୟ ମଧ୍ୟ ବହୁବାର ଦେଖିବାକୁ ମିଳୁଛି । ଯାହାଦ୍ୱାରା ସେମାନେ ବହୁ ସମୟରେ ଭାରସାମ୍ୟ ହରାଇ ନିଜକୁ ନିଜେ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଥିବା ବେଳେ ଅନ୍ୟମାନଙ୍କ ସହ ଦୁର୍ଘଟଣା ଘଟାଉଥିବାର ନଜିର ରହିଛି । ଗତ ସେପ୍େଟମ୍ବର ମାସ ୨୭ରେ ଏପରି ବେପରୁଆ ବାଇକ ଚାଳନା ଯୋଗୁ ଆରାବଳ ପଞ୍ଚାୟତ ସାନ ବାଲିକୁଦା ଗ୍ରାମର ଜଣେ ବ୍ରହ୍ମବରଦା +୩ ଦିତୀୟ ବର୍ଷର ଛାତ୍ର ବିରେନ୍ଦ୍ର ନାୟକଙ୍କ ଜୀବନ ଯାଇଥିଲା । କିନ୍ତୁ ଏପରି ହୃଦୟ ବିଦାରକ ଘଟଣା ସବୁ ସମସ୍ତଙ୍କ ଆଖି ସାମ୍ନାରେ ଘଟୁଥିଲେ ମଧ୍ୟ ଏଥିପ୍ରତି ନା ଅଭିଭାବକ, ନା କଲେଜ କର୍ତ୍ତୃପକ୍ଷ, ନା ସ୍ଥାନୀୟ ପୁଲିସ ପ୍ରଶାସନ ନା ଜିଲା ପରିବହନ ବିଭାଗ କେହିବି ସଚେତନ ନଥିବା ପରିଲକ୍ଷିତ ହୋଇଛି ।ଏଠାରେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ଏଥି ପାଇଁ ପିଲାଙ୍କ ଅଭିଭାବକ ଯେତିକି ଦାୟୀ ଜିଲା ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସକୁ ପ୍ରଶାସନକୁ ମଧ୍ୟ ସେତିକି ଦାୟୀ ବୋଲି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । କାରଣ ଅଭିଭାବକ  ପ୍ରାପ୍ତ ବୟସ ପୂର୍ବରୁ ଓ ବିନା ଲାଇସେନ୍ସରେ ବାଇକ ଚଳେଇବା ବେଆଇନ ଜାଣି ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଆକଟ ନକରି ମୁହଁରେ ତୁଣ୍ଡିବାନ୍ଧି ବସିଛନ୍ତି । ତା ଛଡା ଜିଲା  ପରିବହନ ବିଭାଗ ମଧ୍ୟ ବହୁ ମାତ୍ରାରେ ଦାୟୀ । କାରଣ ପରିବହନ ବିଭାଗ ପକ୍ଷରୁ ଏନେଇ କଡାକଡି ଯାଞ୍ଚ ପ୍ରକ୍ରିୟା ହେଉ ନଥିବାରୁ ପିଲାମାନେ ଅବାଧରେ ବାଇକ ନେଇକି କଲେଜ ଯିବାଆସିବା କରୁଛନ୍ତି । ଏହା ବ୍ୟତୀତ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଉକ୍ତ ଘଟଣାକୁ ଗୁରୁତର ସହକାରେ ନେବା ଦରକାର । କାରଣ ବ୍ରହ୍ମବରଦା ଥାନା ନିକଟରୁ କଲେଜ ରୋଡ ମାତ୍ର ଶହେ ମିଟର ଦୂର ଓ କଲେଜ ପାଞ୍ଚସହ ମିଟର ଦୂର ହୋଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି । ତା ଛଡା ପୁଲିସ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ ସହିତ ବ୍ରହ୍ମବରଦା ଥାନାଞ୍ଚଳ କିମ୍ୱା ବ୍ରହ୍ମବରଦା କଲେଜରେ ସଡ଼କ ସୁରକ୍ଷା ନିରାପତ୍ତା ସମ୍ପର୍କିତ କୌଣସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ । ଯାହାଦ୍ୱାରା କଲେଜ ପିଲାମାନେ ନିର୍ଭୟରେ ବାଇକ ଧରି କଲେଜ ଆସୁଛନ୍ତି । ଏନେଇ ବ୍ରହ୍ମବରଦା ଥାନାଧିକାରିଣୀ ଅଂଶୁମାଳା ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ସର୍ବୋପରି ବ୍ରହ୍ମବରଦା +୨ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ ଓ +୩ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀଙ୍କୁ ପଚାରିବାରୁ ଉକ୍ତ ଘଟଣାରେ ନିରୁପାୟତା ଅବଲମ୍ବନ କରିବା ସହ ଏନେଇ ପିଲାମାନଙ୍କୁ ବୁଝାଇବା ଓ ବାଇକ ନେଇକି କଲେଜ ନ ଆସିବା ପାଇଁ ନୋଟିସ ମାଧ୍ୟମରେ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ପିଲାମାନେ ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା କହିଛନ୍ତି । ଆଉ ଏଥିପାଇଁ ଉଚିତ ପଦକ୍ଷେପ ସ୍ୱରୂପ ବାଇକ ନେଇକି ଆସୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବାଇକକୁ କ୍ୟାମ୍ପସ ଭିତରକୁ ପ୍ରବେଶର ବାରଣ କରାଯାଇଛି ବୋଲି ସେମାନେ କହିଛନ୍ତି । ତେଣୁ ତୁରନ୍ତ ଏଦିଗରେ ସଭିଏଁ ବିଚାର ବିମର୍ଷ କରିବାର ଆବଶ୍ୟକତା ରହିଛି ।