ଜନଆନେ୍ଦାଳନରେ ପରିଣତ ହେବ "ବିରୂପା ବଞ୍ଚାଅ' ଅଭିଯାନ
ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲାର ବରାହୀପୁର ପଞ୍ଚାୟତ ମଣିଯୋରୀ ଠାରେ ବିରୂପା ବଞ୍ଚାଅ ଅଭିଯାନ କମିଟି ମାହାଙ୍ଗା କଟକ ଓ ଏହାର ସହ ସଂଗଠକ ସେକ୍ ମତଲୁବ ଅଲୀ ସ୍ମୃତି କମିଟି ମାହାଙ୍ଗା ମିଳିତ ଆନୁକୂଲ୍ୟରେ ବିରୂପା ବଞ୍ଚାଅ ଅଭିଯାନ କମିଟିର ଏକ ସ୍ୱତନ୍ତ୍ର ବୈଠକ ଆଡଭୋକେଟ୍ ଦୀପକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ବିରୂପା ବଞ୍ଚାଅ ଅଭିଯାନ କମିଟିର ମୁଖ୍ୟ ଆବାହକ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ବରାଳ ଯୋଗ ଦେଇ ମାହାଙ୍ଗା ମାଟିର ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, କୃଷି ଓ ସର୍ବୋପରୀ ଅର୍ଥନୈତିକ ସମୃଦ୍ଧିରେ ବିରୂପା ନଦୀର ଦାନ ମହାନ୍ । ପୁରାତନ ଯୁଗରେ ବୌଦ୍ଧ ପରିବ୍ରାଜକଙ୍କ ନିମନ୍ତେ ବିରୂପା ଆର୍ନ୍ତଜାତୀକସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିଲା । ଏହାର ନଦୀର ଜଳକୁ ବ୍ୟବହାର କରି ବିଶେଷ କରି ମାହାଙ୍ଗା, ଟାଙ୍ଗୀ-ସାଲେପୁର, ଯାଜପୁର ଜିଲ୍ଲାର ବରୀ, ବଡଚଣା ଓ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ୍ ଏବଂ କେନ୍ଦ୍ରାପଡା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ କୃଷକମାନେ ବିଭିନ୍ନ ଖରିଫ, ରବି,ନଳିତା, ଆଖୁ ଓ ପନିପରିବା ଚାଷ କରି ଥାଆନ୍ତି । ଏହାର ଜଳକୁ ମଧ୍ୟ ପାନୀୟ ଜଳ ରୂପେ ବ୍ୟବହାର କରାଯାଇଥାଏ ।
ବିରୂପା ନଦୀ ମାହାଙ୍ଗା କୃଷକ ଓ ଜନସାଧାରଣଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧିରେ ପ୍ରତ୍ୟେକ୍ଷ ଭାବରେ ସହାୟକ ହୋଇଥାଏ । ଏବେ ନଦୀ ଶୁଷ୍କ ପ୍ରାୟ । ନଦୀ ଶଯ୍ୟା ପୋତି ହୋଇ ବଡ ବଡ ପଠା ସୃଷ୍ଟି ହୋଇଛି । ବିଶେଷ କରି ନଦୀର ଚୌଦ୍ୱାରଠାରେ ନଦୀର ଉତ୍ପତିସ୍ଥଳ ଠାରୁ ମାହାଙ୍ଗାର କୁସୁପୁର ପର୍ଯ୍ୟନ୍ତ ପ୍ରାୟ ୨୦କି.ମି ନଦୀ ଶଯ୍ୟା ବିଲୁପ୍ତ ହେବାକୁ ବସିଲାଣି । ଏହି ନଦୀର ପ୍ରମୁଖ ଶାଖା ନଦୀ ବଡଗେଙ୍ଗୁଟି ନଦୀରେ ସରକାରଙ୍କ ପକ୍ଷରୁ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇ ମେଗା ପାନୀୟ ଜଳ ପ୍ରକଳ୍ପର ମୁଖ୍ୟ ଉତ୍ସ ସୃଷ୍ଟି ହେଉଥିଲାବେଳେ ବିରୂପା ଶୁଷ୍କ ହେବା ଦ୍ୱାରା ଏହି ପ୍ରକଳ୍ପରୁ ଜଳ ଯୋଗାଣ କିପରି ହେବ ବୋଲି ଶ୍ରୀ ବରାଳ ପ୍ରଶ୍ନ କରିଥିଲେ । ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଅନ୍ୟତମ ଉପଦେଷ୍ଟା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁ ଏହି ପରିପ୍ରେକ୍ଷୀରେ ନଦୀର ଶଯ୍ୟାକୁ ଖନନ କରାଯିବା, ନଦୀରୁ ପଠା ଉଚ୍ଛେଦ କରିବା, ନଦୀର ଜଳଧାରଣ ଶକ୍ତି ବୃଦ୍ଧି କରିବା ପାଇଁ ତଥା ଏହି ଜଳକୁ ମାହାଙ୍ଗା ଅଂଚଳର ଚାଷୀମାନଙ୍କ କୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଏକାଧିକ ବ୍ୟାରେଜ ନିର୍ମାଣ କରାଯିବା ସହ ଗୋବରିରେ ବନ୍ୟା ଆସି ବର୍ଷା ଦିନେ ବ୍ୟାପକ ଫସଲ ନଷ୍ଟ ହୋଇଥାଏ । ତେଣୁ ଗୋବରୀ ନଦୀର ବଳକା ପାଣିକୁ ବିରୂପା ନଦୀକୁ ଛାଡିବା ପାଇଁ ଗୋବରୀ ଓ ବିରୂପାନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାରଙ୍କଠାରେ ଦାବି ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଅରକ୍ଷିତ ପ୍ରଧାନ, ଯୁବ ସଂଗଠକ ସେକ୍ ମସୁଦ ଅଲୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିରୂପା ନଦୀର ବର୍ତ୍ତମାନ ସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାର ତୁରନ୍ତ ବିରୂପା ନଦୀରେ ଖନନ କାର୍ଯ୍ୟ ଆରମ୍ଭ କରି ବିରୂପାର ପୂର୍ବ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଅନୁରୂପ ଦାବି ରଖିଥିଲେ । ଆଗାମୀ ଦିନରେ ମାହାଙ୍ଗା ବ୍ଲକର ବୃହତ ସ୍ୱାର୍ଥ ପାଇଁ ବିରୂପା ବଞ୍ଚାଅ ଅଭିଯାନକୁ ଏକ ଜନଆନେ୍ଦାଳନରେ ପରିଣତ କରାଯିବ ବୋଲି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଉମେଶ ଚନ୍ଦ୍ର ସାହୁ, ନଳିନୀକାନ୍ତ ନାୟକ, ସୁକାନ୍ତ ନନ୍ଦ, ମାନସ ଦାସ, କୁଶାସନ ମଲିକ, ରଂଜନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ଯୁବନେତା କ୍ଷୀରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।