‘ଓଡ଼ିଶା ଇତିହାସର ପୁନଃଲିଖନ ଆବଶ୍ୟକ’
ଧୂଷୁରୀ : ଭାରତ ଛାଡ଼ ଆନେ୍ଦାଳନରେ ସଂଘଠିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ପୂର୍ତ୍ତି ୮୩ତମ ଶହୀଦ ସ୍ମୃତି ଦିବସ ଧାମନଗର ବ୍ଲକସ୍ଥିତ ଶହୀଦ ନଗର ଠାରେ ପାଳିତ ହୋଇଯାଇଛି ।
ସୋମବାର ସନ୍ଧ୍ୟାରେ ଶହୀଦ ସ୍ମୃତିରକ୍ଷା ସମିତିର ସଭାପତି ଉଚ୍ଚ ଶିକ୍ଷା,କ୍ରୀଡ଼ା ଓ ଯୁବସେବା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଆୟୋଜିତ ହୋଇଥିଲା । ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ ମୁଖ୍ୟ ଅତିଥି, ବିଶିଷ୍ଟ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ମୁଖ୍ୟ ବକ୍ତା, ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ପୂର୍ବାଞ୍ଚଳ ଡ଼ିଆଇଜି ପିନାକ ମିଶ୍ର, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତୀୟ ମୁକ୍ତି ସଂଗ୍ରାମରେ ଓଡ଼ିଶାର ଯୋଗାଦାନ ଏବଂ ଅବଦାନ ଅତୁଳନୀୟ ହୋଇଥିଲା ବେଳେ ଏହାର ଯଥାର୍ଥ ଉପସ୍ଥାପନ ହୋଇ ପାରିନାହିଁ ବୋଲି ଅତିଥି ବକ୍ତାମାନେ ମତବ୍ୟକ୍ତ କରି ଆଜିର ସମୟରେ ଓଡ଼ିଶା ଇତିହାସର ପୁନଃଲିଖନ ଆବଶ୍ୟକତା ରହିଛି କହିଥିଲେ । ଆମ ପୂର୍ବଜଙ୍କ ବିରତ୍ୱ ସାହାସିକତା ଏବଂ ସ୍ୱାଭିମାନକୁ ଆଜିର ଯୁବଶକ୍ତି ଅନୁଶୀଳନ କରି କାର୍ଯ୍ୟ କରିବାକୁ ଅତିଥିବୃନ୍ଦ ମତ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୯ ଜଣ ଶହୀଦଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶହୀଦ ସ୍ମୃତିରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସଭା ସଞ୍ଚାଳନ କରିଥିଲେ । ଉପଦେଷ୍ଟା ରଘୁନାଥ ଲେଙ୍କା ଅତିଥି ପରିଚୟ ଦେଇଥିଲେ । ସାଧାରଣ ସମ୍ପାଦିକା ପ୍ରିୟତମା ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ ଏବଂ ସାଧାରଣ ସମ୍ପାଦକ ପ୍ରାକ୍ତନ ସରପଞ୍ଚ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।