ଜନତା ଖୋଜୁଛି ଶାସକ ଠିକଣା 

ପ୍ରଫୁଲ୍ଲ କୁମାର ପଣ୍ଡା : ବିଭିନ୍ନ ସମୟରେ ବିଭିନ୍ନ ଦେଶ ଓ ସମାଜରେ ଭିନ୍ନ ଭିନ୍ନ ପ୍ରକାରର ଶାସନ ତନ୍ତ୍ର ରହିଆସିଛି, ଯେମିତି କି ରାଜତନ୍ତ୍ର, ସାମନ୍ତବାଦୀ, ଏକଛତ୍ରବାଦୀ, ସାମ୍ପ୍ରଦାୟବାଦୀ,, ସମାରିକ ଶାସନ, ଓ ମୁଖିଆ ଶାସନ ଇତ୍ୟାଦି  । ଇରାନ ଭଳି ରାଷ୍ଟ୍ରରେ ଧାର୍ମିକ ଗୁରୁ ହିଁ ମୁଖ୍ୟ ଶାସକ ହିସାବରେ ଦେଶ ଚଳାଉଛନ୍ତି  ।
କାଳକ୍ରମେ  ଅଧିକାଂଶ ରାଷ୍ଟ୍ରରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି । ସେହିଭଳି ଅଧିକାଂଶ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସଂସଦୀୟ ଗଣତନ୍ତ୍ର ଯେଉଁଠି ରାଷ୍ଟ୍ର ମୁଖ୍ୟ ପରୋକ୍ଷ ବା ପ୍ରତ୍ୟେକ ଭାବରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଆମେରିକା ଓ ଫ୍ରାନ୍ସ ଭଳି ଦେଶରେ ରାଷ୍ଟ୍ର ମୁଖ୍ୟ ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହେଉଥିବା ବେଳେ ବ୍ରିଟେନ୍‌ ଓ ଭାରତ ଭଳି ଦେଶରେ ରାଷ୍ଟ୍ର ମୁଖ୍ୟ ନାମମାତ୍ର । ପ୍ରକୃତ ଶାସନ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳ ଉପରେ ନ୍ୟସ୍ତ ଥାଏ । ଏହି କ୍ଷେତ୍ରରେ ଦଳୀୟ ଭିତ୍ତିରେ ସଂଖ୍ୟା ଗରିଷ୍ଠ ଦଳର ଲୋକପ୍ରତିନିଧି ମାନେ ପ୍ରଧାନମନ୍ତ୍ରୀଙ୍କୁ ବାଛିଥାନ୍ତି  ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ବାଛିଥାନ୍ତି । ଶାସନ ବ୍ୟବସ୍ଥାର ଏହି ସଂକ୍ଷିପ୍ତ ବିବରଣୀ ପରେ ଆମେ ମୁଖ୍ୟ ପ୍ରସଙ୍ଗକୁ ଆସିବା । ଏଠାରେ ଆମ୍ଭର ଲେଖାର ପ୍ରମୁଖ ବିଷୟ ହେଉଛି ଶାସକ ଓ ଶାସିତଙ୍କ ମଧ୍ୟରେ ଥିବା ବହୁବିଧି ସମ୍ପର୍କ। 
ଶାସନ ବ୍ୟବସ୍ଥା ଯାହା ହେଉ ନା କାହିଁକି ଶାସିତ, ପ୍ରଜା ବା ଜନତା ସେମାନଙ୍କର ଶାସକ - ରାଜା, ମୁଖିଆ, ଧର୍ମଗୁରୁ ବା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ସେମାନଙ୍କ ଠାରୁ  କିଛି ଆଶା ଆକାଂକ୍ଷା ରହିଛି । ଆଗକୁ ବଢିବା ପୂର୍ବରୁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଶାସକ - ଶାସିତ, ରାଜା ପ୍ରଜା, ପ୍ରଧାନମନ୍ତ୍ରୀ / ରାଷ୍ଟ୍ରପତି - ଜନତା ଏସବୁ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଭଳି । ପ୍ରଜା ବିନା ରାଜା ନାହିଁ କି ରାଜା ବିନା ପ୍ରଜା ନାହିଁ ।  ରାଜାଙ୍କଠାରୁ ପ୍ରଜା ଆଶାକରେ ଯେ ତାଙ୍କ ରାଜା ଜଣେ ଦୟାବାନ, ନ୍ୟାୟବାନ, ଜନହିତକାରୀ, ପରୋପକାରୀ, ସମାଜ ମଙ୍ଗଳ କାରୀ, ଧାର୍ମିକ, ବଳବାନ, ଶକ୍ତିଶାଳୀ, ଏବଂ ସୁଶାସକ ହେବା ଆବଶ୍ୟକ । 
ସେହିଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତାଙ୍କର ସେମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଯେଉଁମାନେ ସରକାର ଗଠନ କରି ବିଭିନ୍ନ ପଦ ପଦବୀରେ ରହି ଶାସନ ଚଳାଉଛନ୍ତି ତାଙ୍କ ଠାରୁ ଅନେକ ଆଶା ଆକାଂକ୍ଷା ରହିଛି । ଜନତା ନିର୍ବାଚିତ ପ୍ରକ୍ରିୟାରେ ସକ୍ରିୟ ଭାବରେ ଯୋଗଦାନ କରି  ଦଳ ପାଇଁ ପ୍ରଚାର କରିବାଠୁ ଆରମ୍ଭ କରି  ଭୋଟର ହିସାବରେ ପସନ୍ଦର ନେତାଙ୍କୁ ଭୋଟ ଦେଇ ଜିତାଇବା ପର୍ଯ୍ୟନ୍ତ ସବୁଠି ସକ୍ରିୟ । ଖାଲି ସେତିକି ନୁହେଁ ଭୋଟରେ ବିଜୟୀ ପାର୍ଥୀଙ୍କ ଶୋଭାଯାତ୍ରା ରେ ଖୁବ ନାଚିଥାଏ, ବାଣ ଫୁଟାଏ ,ଫୁଲମାଳ ଦେଇଥାଏ,ମିଠା ବାଣ୍ଟିଥାଏ । ଏସବୁ  ହେଉଛି ଜନତାଙ୍କ ଗଣତନ୍ତ୍ର ପ୍ରତିଥିବା ଶ୍ରଦ୍ଧା, ସମ୍ମାନ ଓ ପରାକାଷ୍ଠାର ପରିଚାୟକ । ତଦୋପରେ ନେତାଙ୍କ ପ୍ରତିଥିବା  ବ୍ୟକ୍ତି ଗତ ସମର୍ଥନ ଓ ଅନୁଗତ୍ୟ ଭୋଟ ମାଧ୍ୟମରେ ପରିପ୍ରକାଶ କରି ନେତାଙ୍କୁ ଜିତାଇ ଥାଏ । ଏହାର ପ୍ରତିବଦଳରେ ସେ ଆଶାକରେ ଯେ, ଯେଉଁ ନେତାଙ୍କୁ ଯିଏ ନିର୍ବାଚିତ କରିଛି, ଯିଏ ସରକାରରେ ଅଂଶୀଦାର କିମ୍ବା ବିରୋଧୀ ଦଳରେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ସଚ୍ଚୋଟ ନିଷ୍ଠାପର ଉଦ୍ୟମ କରି ଜନତାଙ୍କ ଭଲ ମନ୍ଦ ବୁଝିବେ, ଦୁଃଖ ସମୟରେ ସାମିଲ ହେବେ । ବିପଦ ଅପଦରେ ପାଖରେ ଛିଡା ହେବେ ଅଭାବ ଅସୁବିଧାରେ ଯଥା ସମ୍ଭବ ସାହାଯ୍ୟ କରିବେ ଇତ୍ୟାଦି ଇତ୍ୟାଦି । ନେତାମାନେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଜନତାଙ୍କ ସହ କାନ୍ଦରେ କାନ୍ଦ ମିଶାଇ ଲଢ଼ିବେ, ଜନତାଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବେ ଏବଂ ମୋଟା ମୋଟି ଭାବରେ କହିବାକୁ ଗଲେ ଉତ୍ସର୍ଗୀକୃତ ଭାବରେ ନିଜକୁ ଜନମଙ୍ଗଳ ଓ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଦୁର୍ଭାଗ୍ୟର ବିଷୟ ଜନତାଙ୍କ ଏହି ଅଭିଳାଷ ବା ଆଶା ଖୁବ କମ ଦିନ ଭିତରେ ମଉଳିଯାଏ  । ଯେଉଁନେତା ନିର୍ବାଚନ ପୂର୍ବରୁ ଜନତାଙ୍କ ସାଙ୍ଗରେ ଘଷି ହେଉଥିଲେ ଅନାବଶ୍ୟକ ଓ ଅଲାଜୁକ ଭାବରେ ବାରମ୍ବାର ନମସ୍କାର କିମ୍ବା ପଦସ୍ପର୍ଶ କରୁଥିଲେ, ଅସନା ପିଲାଙ୍କୁ କାଖେଇ ଗେଲ କରୁଥିଲେ, ଦାଣ୍ଡ ପିଣ୍ଡାରେ ବସି ପଖାଳ ପିଆଜ ଖାଉଥିଲେ, ହାତୀ ଦେବୁ ଘୋଡା ଦେବୁ ବୋଲି ବଜ୍ର ଘୋଷଣା କରୁଥିଲେ  ନିର୍ବାଚନ ଜିତିସାରିବା ପରେ ସେମାନଙ୍କ ରଙ୍ଗ ଢଙ୍ଗ,ଆଚାର ବ୍ୟବହାର,ଠାଣି ମାଣି ରେ ପୁରାପୁରି ଅମୁଳ ଚୁଳ ପରିବର୍ତ୍ତନ ହୋଇ ଯାଇଛି ।
   ଥରେ ନିର୍ବାଚନ ହୋଇଗଲେ ନେତାମାନେ ସମ୍ପୂର୍ଣ ସ୍ୱାର୍ଥାନ୍ୱେଷୀ  ଏବଂ ‘ଆପେ ବଞ୍ଚିଲେ ବାପାର ନାଁ’ ନୀତିରେ ଜନତା ଏବଂ ସମାଜକୁ ପଛ କରି ନିଜର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ଦୁର୍ନୀତି ଅନୀତିରେ ଲିପ୍ତ ରହୁଛନ୍ତି । ନିର୍ବାଚନ ସମୟରେ ଯେଉଁମାନଙ୍କୁ ଭାଇ, ଦାଦା, ବଡ଼ବାପା, ମାଆ,ଭଉଣୀ, ଭାଉଜ, ଡାକି ଅତି ନିଜର ଆତ୍ମୀୟ ସ୍ୱଜନ ଭଳି ବ୍ୟବହାର କରୁଥିଲେ ନିର୍ବାଚନ ହେଲା ପରେ ସେଇ ଲୋକ ମାନଙ୍କୁ ନ ଚିହ୍ନିଲା ପରି ବ୍ୟବହାର କରନ୍ତି । ଜନତା ସୁଦୂର ଗାଁ ଗହଳିରୁ ପଇସା ଖର୍ଚ୍ଚ କରି ଗାଡିମଟରରେ ଠେଲା ପେଲା ଖାଇ ରାଜଧାନୀରେ ତାଙ୍କ ପ୍ରିୟ ନେତାଙ୍କୁ ଦେଖା କରି କିଛି ଗୁହାରି କରିବାକୁ ଆସନ୍ତି ଅଧିକାଂଶ କ୍ଷେତ୍ରରେ ନେତାଙ୍କ ପାଖଲୋକ ମାନେ ସନ୍ଧ୍ୟା ବେଳେ ଆସ, ସକାଳେ ଆସ, ଦିପ୍ରହରରେ ଆସ, ବାବୁ ଏବେ ମିଟିଙ୍ଗ ପଳେଇଲେ, ମୁଖ୍ୟମନ୍ତ୍ରୀ ଡାକିଲେ, ଅମକ ଜାଗାରେ ଫିତା କାଟିବାର ଅଛି, ଅମକ ଜାଗାରେ ଶିଳାନ୍ୟାସ ଅଛି, ଆଦି ଡାହା ମିଛ ଗୁଡ଼ାଏ କହି ଜନତାଙ୍କୁ ବିଦା କରିଦିଅନ୍ତି । ଯଦି ଦର୍ଶନାଭିଳାଷୀ  ଟିକିଏ ୱାର୍ଡମେମ୍ବର ବା ସରପଞ୍ଚ ସ୍ତରୀୟ ଲୋକ ହୋଇଥାନ୍ତି ତେବେ ତାଙ୍କ ପ୍ରତି ଟିକେ ଅଲଗା ବ୍ୟବହାର କରାନ୍ତି  । ସେମାନଙ୍କୁ କିଛି ସମୟ ବସାନ୍ତି, ଚା,ପାଣି ଦିଅନ୍ତି, ଗାଁ ର ଖବର ଅନ୍ତର ପଚାରନ୍ତି । ତାଙ୍କ ବିରୁଦ୍ଧରେ କେହି କିଛି କହୁଥିଲା କି ସେଇ ବିଷୟରେ ଖବର ନିଅନ୍ତି, ବିଭିନ୍ନ ପ୍ରକାର ମନ୍ତବ୍ୟ ନିଅନ୍ତି ଏବଂ ବିଦାକଲା ବେଳେ ଏଇଟା କରିଦେବା ସେଇଟା କରିଦେବା ବୋଲି ଗୁଡ଼ାଏ ପ୍ରତିଶ୍ରୁତି ଓ ଆଶ୍ୱାସନା ଦେଇ ବିଦା କରନ୍ତି । ଏ ବିଚରା ଗାଉଁଲି ସରଳ ଲୋକ ଗାଁରେ ପହଂଚି ନେତାଙ୍କ ଥାଟ ପାଟ, ଗାଡିମଟର, ବଙ୍ଗଳା ଆଦି ଚର୍ଚ୍ଚା କରି ଆଶ୍ୱାସନାର କାହାଣୀ ଜନତାଙ୍କୁ ଶୁଣାନ୍ତି । ଜନତା ଆଁ କରି ଆଖି ତରାଟି ଏଇ ସବୁ ମନ ଗଢ଼ା କପୋଳକଳ୍ପିତ କାହାଣୀ ଶୁଣି ତାଟକା ହୋଇଯାଏ । ନିର୍ବାଚନ ସରିବାର ତିନି ବର୍ଷ ଛଅ ମାସ ଗଲାଣି ଯାହା କହିଥିଲେ କିଛିତ ହେଲାନି ଆଉ ବର୍ଷ ଦେଢ଼ଟାରେ କଅଣ ଅବା ସବୁ କରିପକେଇବେ, ସେ କଥା ଭାବି ବଡ଼ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି ।  ଜନତା ଭାବୁଥିଲେ ତାଙ୍କ ନେତା ସରକାରୀ ଦଳର ଜଣେ ଟାଣୁଆ ନେତା ସିଏ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ଏକଦମ ପାଖଲୋକ  । ତେବେ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ଦୁବ କଅଁଳୁନି କାହିଁକି ଏବେ ଏବେ ତିଆରି ହୋଇଥିବା ସ୍କୁଲ ଛାତ ରୁ ପାଣି ଗଳୁଚି କାହିଁକି ?
          ପାନୀୟ ଜଳ ଯୋଜନା ରେ ବିଛା ହୋଇଥିବା ପାଇପ ରୁ ପାଣି ଆସୁନି କାହିଁକି ? ଗାଁ ସ୍କୁଲରେ ପାଞ୍ଚଟା କ୍ଲାସକୁ ଜଣେ ଶିକ୍ଷକ ସିଏ ପୁଣି ଅଧାଦିନ କଣ୍ଟ୍ରାକ୍ଟରି କାମରେ ବ୍ୟସ୍ତ । ଶିକ୍ଷା କ୍ଷେତ୍ରରେ ଏ ଅବସ୍ଥା କାହିଁକି ? କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୌଣସି ଡାକ୍ତର ନାହାନ୍ତି କାହିଁକି ? ପିଲାମାନେ ନାଳଭିତରେ ପାଣି ରେ ପସି ସ୍କୁଲ ଯାଉଛନ୍ତି କାହିଁକି ? ଡାକ୍ତରଖାନାରେ ରୋଗୀମାନେ ବିନା ବେଡ଼୍‌ ରେ ବାରଣ୍ଡାରେ ଗଡୁଛନ୍ତି କାହିଁକି ? ନିରୀହ ଜନତା ଏ ସବୁର କାରଣ କଣ  ଓ ନିରାକରଣ କେମିତି ହେବ, ସେ କଥା ଭାବିଲା ବେଳକୁ ତା ମୁଣ୍ଡ ଚକର୍‌ କାଟୁଚି । ସିଏ ଭାବୁଛି ଆମ ନେତାଙ୍କ ଦଳ ସରକାରୀ ଦଳ । ସରକାରତ ତାଙ୍କର । ତେବେ ଯୋଉ ପ୍ରସଙ୍ଗ ବା ସମସ୍ୟା କଥା କହିଲେ ସିଏ କହିଛନ୍ତି ସିଏ ଏ ବାବଦରେ ସରକାରଙ୍କ ସହ କଥା ହୋଇଛନ୍ତି । ଫାଇଲ୍‌ ଯାଇଛି ସେକ୍ରେଟାରୀ ତ ଉପରେ ନିଷ୍ପତ୍ତି ନେଲେ କାମ ଆରମ୍ଭ ହେବ । ଏହି କଥା ସିଏ ତିନିବର୍ଷ ହେଲା କହୁଛନ୍ତି କିନ୍ତୁ କାମର ନାଆଁ ନାହିଁ । ଜନତା ବ୍ୟସ୍ତ ବିବ୍ରତ । କିଛି ବୁଝି ହେଉନି । ସିଏତ ଜାଣିଥିଲେ ତାଙ୍କ ନେତା ସରକାର । ତାଙ୍କ ଦଳର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ସରକାର ଚଳୋଉଛନ୍ତି । ଏଇ ସେକ୍ରେଟାରୀ ମହୋଦୟ ପୁଣି କିଏ ? ଯାହଠୁ ଫାଇଲ ନ ଆସିଲେ କାମ ହୋଇପାରୁନି । ସେକ୍ରେଟାରୀ ଯିଏ ବି ହୁଅନ୍ତୁ, ସିଏ ଫାଇଲଟା ଦସ୍ତଖତ କରିବାକୁ ଏତେ ସମୟ ନେଉଛନ୍ତି କାହିଁକି ? ଏ ସବୁ ବ୍ୟାପାର ତା ଛୋଟ ମୁଣ୍ଡରେ ପଶୁନି, ମୁଣ୍ଡ ଗୋଳମାଳ ହୋଇଗଲାଣି । ସିଏ ବୁଝିପାରୁନି ସରକାର କିଏ, କ'ଣ ବା କୋଉଁଠି ? ସିଏ ସରକାର ବା ଶାସକ ଖୋଜିବାରେ ଲାଗିଲା । ଆଗରୁ  ନେତାଙ୍କ ପାଖକୁ ଯାଇ ସରକାର ଖୋଜିଥିଲା । ଯାହା ତାର ଅନୁଭୂତି ସେ ବିଷୟରେ  ଆଗରୁ ବର୍ଣ୍ଣନା  କରାଯାଇଛି । ଏଥର ସିଏ ସେକ୍ରେଟାରିଏଟ୍‌ରେ ସରକାର   ଖୋଜିବାକୁ ବାହାରିଲା । ତାର ଗାଁରେ ଘରଦ୍ୱାର କିଛି ନାହିଁ ଭଙ୍ଗା ଚାଳିଆଟିରେ ରହେ ଗାଁରେ କୋଠା ବାଡିଥିବା, ଚାକିରି ବାକିରି କରିଥିବା, ଗାଡି ମଟରଥିବା ଲୋକ ସରକାରୀ ଆବାସ ପାଇଛନ୍ତି, ତାର ଭଙ୍ଗା କୁଡ଼ିଆ ଖଣ୍‌ଡେ ଝାଟି ମାଟି କାନ୍ଥ, କିନ୍ତୁ ତାକୁ ଏ ପର୍ଯ୍ୟନ୍ତ ସରକାରୀ ଘର ଖଣ୍ଡେ ମିଳିନି । ଗାଁ ସରପଞ୍ଚ, ବିଡ଼ିଓ, କଲେକ୍ଟର ସମସ୍ତ ଙ୍କୁ ଦରଖାସ୍ତ ଲେଖି ଲେଖି ଏବଂ ବାରମ୍ବାର ଦେଖା କରିବାକୁ ଯାଇ କିଛି ସୁଫଳ ମିଳୁନି । ସରପଞ୍ଚ କହୁଛନ୍ତି ଆଗ କେତେ ଦବୁ ଛିଣ୍ଡେଇ ଦେ, ତା' ପରେ ମୁଁ ବିଡ଼ିଓଙ୍କୁ ତାଙ୍କ ପାଉଣା ଦେଇ ଘର ଖଣ୍ଡେ କରେଇ ଦେବି, ବିଚାରି ଗରିବ ଘରେ ବେଳେ ଖାଇଲେ ଆଉ ବେଳା କୁ ଉପାସ, ନିତି ମୂଲ ନ ଲାଗିଲେ ଘରେ ପିଲା ଛୁଆ ଉପାସ, ଏ ପରିସ୍ଥିତିରେ ସିଏ ପଇସା କେଉଁଠୁ  ପାଇବ ଯେ ବାବୁମାନଙ୍କୁ ପାଉଣା ଦବ । ସବୁ ଆଡୁ ନିରାଶ ହୋଇ ସିଏ ଦରଖାସ୍ତ ଖଣ୍ଡେ ଲେଖି ସଚିବାଳୟ ସେକ୍ରେଟାରୀ ସାହେବଙ୍କୁ ଦେଖା କରିବ ବୋଲି ସ୍ଥିର କରି ଗାଁ ର ବସ୍‌ ରେ ଚଢି ରାଜଧାନୀରେ ପଂହଁଚିଲା । ପ୍ରଥମ କରି ଏତେ ବଡ ସହରକୁ ଆସିଛି । ଏତେ ବଡ ବଡ କୋଠା ବାଡ଼ି, ଗାଡି ମଟର ଦେଖି ସିଏ ଜଳକା ହେଇଗଲା । କୋଣସି କୋଣସି ମତେ ପଚରା ପଚାରି କରି ସଚିବାଳୟ ଗେଟ୍‌ ପାଖରେ ପହଁଚି ଏତେ ବଡ ବିଶାଳ ଓ ବିସ୍ତୃତ  କୋଠା ଦେଖି ତାଜୁବ୍‌ ହେଇଗଲା । ଭାବିଲା ତା ଆଖି ପବିତ୍ର ହୋଇଗଲା ଏବଂ ଜୀବନ ଧନ୍ୟ ହୋଇଗଲା ଗେଟ୍‌ ଖୋଲି ଭିତରକୁ ଯିବାକୁ ଉଦ୍ୟମ କରନ୍ତେ ହଠାତ ଦଳେ ବନ୍ଧୁକ ଧରିଥିବା ସୁରକ୍ଷା କର୍ମୀ ଝପଟି ଆସିଲେ । ଗାଉଁଲି ବେଶଭୂଷା ଦେଖି ଭାବିଲେ ଏଇଟା ନିଶ୍ଚୟ  ଗୋଟେ ଚୋର କିମ୍ବା ଆତଙ୍କବାଦୀ/ମାଓବାଦୀ ହେଇଥିବ ଭାବି ବିଚରାକୁ ବହୁତ ଧମକ ଚମକ ଦେଲେ, ତେରି ମେରି କଲେ ଏବଂ ସର୍ବ ଶେଷରେ ଛାଡିଦେଲେ ଓ କହିଲେ ଯାଆ, ଅଭ୍ୟର୍ଥନା କକ୍ଷରୁ ପାସ୍‌ କରିକି ଭିତରକୁ ଯିବୁ । ସିଏ ଅଭ୍ୟର୍ଥନା  କକ୍ଷ ଆଡେ ଯାଇ ଦେଖିଲା, ସେଠି ବହୁତ ବଡ଼ ଲମ୍ବା ଧାଡି । ଧାଡିରେ ଠିଆ ହୋଇ ବିଚରା ତା ପାଳିକୁ ଅପେକ୍ଷା କଲା ଦୀର୍ଘ ତିନି ଘଣ୍ଟା ପରେ ତା ପାଳି ପଡିଲା ।  ପାସ୍‌ ଦେଉଥିବା ବାବୁ ତାକୁ ଗୁଡେଇ ତୁଡେଇ ଗୁଡ଼ାଏ ପ୍ରଶ୍ନ କଲେ କାହା ପାଖକୁ ଯିବୁ ନାଁ କହ ବୋଲି ପଚାରିଲେ, ବିଚାରା ଗାଉଁଲି ଲୋକଟି କାହାକୁ ଜାଣିନି । ତାକୁ ପାସ୍‌ ମିଳିବନି  ବୋଲି ସଫା ସଫା ମନ କରି ଦେଲେ । ଯେତେ କାକୁତି ମିନତୀ କଲେ ଶୁଣିଲେ ନାହିଁ ବରଂ ପୋଲିସ ଡାକିବେ ବୋଲି ଧମକେଇଲେ । ତା ଆଖିରୁ ଦି ଧାର ଲୁହ ଗାଡି ଆସିଲା ସେଠି ଆଉ ଗୋଟେ ଝରକା ରେ ଜଣେ ଦିଦି ବସି ପାସ୍‌ ଦେଉଥିଲେ । ଲୋକଟିର ଏ ଅବସ୍ଥା ଦେଖି ବୋଧ ହୁଏ ଟିକେ ଦୟା ଲାଗିଲା । ତାକୁ ଡାକିଲେ ଘର ଦ୍ୱାର ଗାଁ କଥା ପଚାରି ପାସ୍‌ ଖଣ୍ଡେ ଦେଇଦେଲେ । ପାସ ଧରି ସିଏ ସଚିବାଳୟ ଭିତରେ ପ୍ରବେଶ କଲା । ତା ଭିତରେ ରେ କିଛି ବାଟ ଘାଟ ପାଇଲନି, କିଏ କହୁଛି ଏଠିକି ଯାଆ, କିଏ କହୁଛି ସେଠିକି ଯାଆ କିଏ କହୁଛି ମୁଁ ବାବୁଙ୍କ ହେଡ୍‌ ପିଅନ, ୧୦୦  ଟଙ୍କା ଦେ ବାବୁଙ୍କୁ ଦେଖା କରେଇ ଦେବି, ଆଉ ଜଣେ ବାବୁ ଜଣେ ହୃଷ୍ଟପୃଷ୍ଟ ନିଶୁଆ ଲୋକଙ୍କ ଆଡେ ଦର୍ଶାଇ  କହିଲେ ସେ ହେଉଛି ବାବୁଙ୍କ ଡ୍ରାଇଭର । ସବୁ କାମ ସିଏ କରାଇ ପାରିବ କାରଣ ତାଙ୍କୁ ବାବୁଙ୍କ ସବୁ ଗୁମର ଜଣା । ତୁ ତା ପାଖ କୁ ଯାଆ । ଏପଟ ସେପଟ, ତଳ ଉପର ଇଆ ପାଖ ତା ପାଖ ହୋଇ ହୋଇ ସନ୍ଧ୍ୟା ହେଇଗଲା । ସମୟ ଚାଲିଗଲା, ସୁରକ୍ଷା କର୍ମୀ ତାକୁ ମଧ୍ୟ୍ୟ ବାହାରକରିଦେଲେ । ଗରିବଲୋକଟି ଭୋକରେ ଆଉଟୁ ପାଉଟୁ ହୋଇ ପାଣି ଟୋପେ ଚଅ ଚଅ  କରି ପିଇ ଦେଲା ଓ ଘଛ ମୂଳେ ବସିପଡି ଭାବିଲା  -ସରକାର କିଏ? ସରପଞ୍ଚ ? ବିଡ଼ିଓ ? କଲେକ୍ଟର? ନେତା ? ମନ୍ତ୍ରୀ? ଅଭ୍ୟଥନା କକ୍ଷରେ ବସିଥିବା  ବାବୁ ? ଗେଟ ସୁରକ୍ଷା କର୍ମୀ? ସାନ ବାବୁ ? ବଡ ବାବୁ / ଅଫିସ ପିଅନ ? ବାବୁ ଙ୍କ ଡ୍ରାଇଭର ? ଡାକ୍ତର ? ପୁଲିସ ? ଆମ୍ବୁଲାନ୍ସ ଡ୍ରାଇଭର? ସବୁସ୍ତରରେ ଥିବା ଦଲାଲମାନେ ? ଏସବୁ ଭାବି ଭାବି ସମସ୍ତ ଙ୍କ ଠାରୁ ନିରାଶ ବାଣୀ ଶୁଣି ଶୁଣି ଜନତା ନିଜକୁ ନିଜେ ଗାଳି ଦେଉଛି ଏବଂ ନିଜକୁ ଧିକାର୍‌ କରୁଛି ଯେ ଭୋଟ୍‌ ଦେଉଛି କାହିଁକି,ସ୍ୱାଧୀନତା ଦିବସ ଗଣତନ୍ତ୍ର ଦିବସ ରେ ଜାତୀୟ ପତାକା ଧରି  ଜୟଗାନ କରୁଛି କାହିଁକି ? ଏଠି ଗଣତନ୍ତ୍ର କାହିଁ ? ଶାସନ କାହିଁ ? ଶାସନ କିଏ ଓ କେଉଁଠି ଅଛି ? ତା କାମ ପାଇଁ ସିଏ କା ପାଖକୁ ଯିବ ? ଏସବୁ ପ୍ରଶ୍ନ ଜନତାର ନେତା ମନ୍ତ୍ରୀ, ସରକାରୀ କର୍ମଚାରୀ ସମସ୍ତେ ଏଥିପାଇଁ ଉତ୍ତରଦାୟୀ   ଜନତାର ଧୈର୍ଯ୍ୟକୁ ଆଉ ବେଶୀ ପରୀକ୍ଷା କରନ୍ତୁ ନାହିଁ । ନଚେତ୍‌ ନେଡି ଗୁଡ କହୁଣୀକୁ ବୋହିଯିବ ।

ମୋ:୯୯୩୭୦୮୦୭୧୦