ଜନ୍ମମାଟିରେ ପହଞ୍ଚିଲା ଚିତ୍ତରଞ୍ଜନଙ୍କ ପାର୍ଥୀବ ଶରୀର
ଯାଜପୁର : ଭାରତ-ପାକିସ୍ତାନ ସୀମା ଜମ୍ମୁ ଅଖନୁର ସେକ୍ଟର କ୍ୟାମ୍ପରେ ସୈନିକ ଭାବେ କାର୍ଯ୍ୟରତ ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ଚିତ୍ତରଞ୍ଜନ(୩୨)ଙ୍କ ଗତ ୩୦ତାରିଖ ସକାଳେ ସେନା କ୍ୟାମ୍ପରେ ଅନୁୁଷ୍ଠିତ ଶାରୀରିକ ଫିଟ୍ନେସ ଅଭ୍ୟାସ ବେଳେ ଅକାଳ ବିୟୋଗ ଘଟିଥିଲା । ୩୧ତାରିଖ ଅପରାହ୍ଣରେ ଜମ୍ମୁରୁ ସ୍ୱତନ୍ତ୍ର ବିମାନରେ ମୃତ ଯବାନଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲା । ବିମାନ ବନ୍ଦରରେ ଉପସ୍ଥିତ ଉଚ୍ଚ ସେନା ଅଧିକାରୀ ଏବଂ ମୃତ ଯବାନ ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଗହଣରେ ପାର୍ଥୀବ ଶରୀରକୁ ଭୁୁବନେଶ୍ୱର ସେନା କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ସେନା ବାହିନୀର ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଗାଡର଼୍ ଅଫ୍ ଅନର ଦିଆଯାଇଥିଲା । ପରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଯବାନଙ୍କ ପାର୍ଥୀବ ଶରୀରକୁ ଯାଜପୁରକୁ ରାତ୍ର ୧୧ଟା ସମୟରେ ଅଣାଯାଇ ଜିଲା ପ୍ରଶାସନର ଅନୁମତି କ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟର ଶୀତ ତାପ ନିୟନ୍ତ୍ରଣ ଗୃହରେ ରଖାଯାଇଥିଲା ।
ଶନିବାର ସକାଳ ୮ ଘଟିକା ସମୟରେ ଏକ ବିରାଟ ଶୋଭାଯାତ୍ରାରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଖଣ୍ଡରା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଜନ୍ମମାଟିରେ ଯବାନ ଚିତରଞ୍ଜନଙ୍କ ପାର୍ଥୀବ ଶରୀର ପହଁଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହିତ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ । ପରିବାରବର୍ଗ, ବନ୍ଧୁପରିଜନ ସମସ୍ତେ ଚିତରଞ୍ଜନଙ୍କ ମୃତ ଶରୀରକୁ ଦେଖିବା କ୍ଷଣି କ୍ରନ୍ଦନର ସୁଅ ଛୁଟିଥିଲା । ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲାପାଳ ଅମ୍ବର କୁମାର କର, ଏସ୍ପି ୟଶ୍ପ୍ରତାପ ଶ୍ରୀମାଲ, ଉପଜିଲାପାଳ ତାପସ ରଞ୍ଜନ ଦେହୁରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯବାନଙ୍କ ମର ଶରୀରକୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଯବାନଙ୍କ ମର ଶରୀର ନିକଟରେ ଯାଜପୁର ପୁଲିସ ପକ୍ଷରୁ ଗାଡର଼୍ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ମୃତ ଚିତରଞ୍ଜନଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଖଣ୍ଡରା ଗ୍ରାମ ବୁଲାଯାଇ ଗାଁ ଶ୍ମଶାନକୁ ନିଆଯାଇଥିଲା । ବୀର ଯବାନ ଅମର ରହେ, ସହିଦ ଚିତରଞ୍ଜନ ଅମର ରହେ ନାରାରେ ଖଣ୍ଡରା ଗ୍ରାମ ପ୍ରକମ୍ପିତ ହେଉଥିଲା । ସେନାବାହିନୀ ପକ୍ଷରୁ ଯବାନଙ୍କ ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ତୋପ ସଲାମୀ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତୁରା ମୁଖାଗ୍ନି ପ୍ରଦାନ କରିଥିଲେ ।