ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମ୍ମିଳନୀ

 କେନ୍ଦୁଝର : ଚଳିତ ମାର୍ଚ୍ଚ ୬ ତାରିଖ ଗୁରୁବାର ଦିନ କେନ୍ଦୁଝର ଅଡିଟରିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରି କହିଛନ୍ତି ଯେ, ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସାମାଜିକ ଚେତନାର ବାର୍ତାବହ । କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ଏହି ସମାରୋହରେ ମୁଖ୍ୟଅତିଥିଭାବେ ଯୋଗଦେଇ ବାର୍ଷିକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଉଦ୍ବୋଧନ ଛଳରେ କହିଥିଲେ ଯେ, ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି କର୍ମକର୍ତା ସେବା ଓ ତ୍ୟାଗର ପଟ୍ଟାନ୍ତର ନାହିଁ । ଗାଁଠାରୁ ସହର ପର୍ଯ୍ୟନ୍ତ ସେମାନଙ୍କର ସେବା ପାଇଁ ଅନେକ ଜୀବନ ରକ୍ଷା ହୋଇପାରୁଛି  । ଏଣୁ ସେମାନଙ୍କୁ କୃତଜ୍ଞତା ଜଣାଇ ସେମାନେ ନିଜ କର୍ମ କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇ ନିଜର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ  । ଏତଦ୍ ବ୍ୟତୀତ ସେମାନେ ନିଜର ସେବାମୂଳକ କାମ ପାଇଁ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି ବୋଲି କହିବା ସହିତ ସେମାନେ ଗାଁର ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟସେବା ଭଳି ଏକ ମହତ୍ କାର୍ଯ୍ୟ କ୍ଷେତ୍ରରେ ଯେଉଁମାନେ ସେବା କରିବାର ସୁଯୋଗ ପାଇଛନ୍ତି, ଏହା ସେମାନଙ୍କର ପୂର୍ବଜନ୍ମର କର୍ମଫଳ ଏବଂ ପିତାମାତାଙ୍କ ଆଶୀର୍ବାଦ ବୋଲି ସାଂସଦ ଶ୍ରୀ ନାୟକ କହିଥିଲେ । ଏହି ସମାରୋହରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. କିଶୋର ପୃଷ୍ଟି ନିଜ ବକ୍ତବ୍ୟରେ ଆଶାକର୍ମୀ, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତର ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ରୂପାୟନ କରିବାରେ ଏବଂ ସେମାନଙ୍କର ମହନୀୟ ସେବା ଓ ତ୍ୟାଗକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ ବୋଲି କହିଥିଲେ । ସମ୍ମାନିତଅତିଥି ଭାବେ ଏଡିପିଏଚ୍ଓ ଡ. ନିଲମ ମହାନ୍ତି, ଏଡିପିଏଚଓ ଡ. ବସନ୍ତ ପାତ୍ର, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସୁପରିଣ୍ଟେଣ୍ଡେଟ ଧନେଶ୍ୱର ସେଠୀ, ନିତ୍ୟରଞ୍ଜନ ବରାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରସନ୍ନ ଦେବତା ବାର୍ଷିକ ସମ୍ମିଳନୀର ସଂଯୋଜନା ଏବଂ ପରିଚାଳନା କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦୁଝରର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ଜୀବନ ବିନ୍ଦୁ’ ଉନ୍ମୋଚିତ ହୋଇଥିଲା । ବାର୍ଷିକ ସମ୍ମିଳନୀରେ ଆଶାକର୍ମୀମାନେ ସେମାନଙ୍କର ଜୀବନରେ ଘଟିଯାଇଥିବା ନିଜ ନିଜ ଅଭିଜ୍ଞତା ପ୍ରକାଶ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ପ୍ରଚାର କରିବାର ନମୁନା ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଉତ, ଭରତ ସାହୁ, ବୃନ୍ଦାବନ ସାହୁ, ସବିତା ପଣ୍ଡା, ନିହାର ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜର ବିଜନ ସାହୁ, ଭିବିଡି ବଳଦେବ ନନ୍ଦ, ହେନାନୀ ଆନନ୍ଦ, ଆଇସିଏ ଚିତରଞ୍ଜନ ଜେନାଙ୍କ ସେମେତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ ସମ୍ମିଳନୀ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଦର୍ଶନୀ ମଣ୍ଡପ ମାନ ଖୋଲାଯାଇଥିଲା ।