ଜଙ୍ଗଲ ଭିତରେ ବଢୁଛି ଖଣିଜ ସମ୍ପଦ ଚୋରି 

 କେନ୍ଦୁଝର: ବନ୍ଦ ଖଣି ଏବଂ ଜଙ୍ଗଲ ଜମିରୁ ଉପଯୁକ୍ତ ତଦାରଖ ଅଭାବରୁ ଖଣି ଚୋରି ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ଦୃଢ ପଦକ୍ଷେପ ନିଆଯାଉନଥିବାରୁ ଚୋରୀ ପୂର୍ବପରି ଜାରି ରହିଛି । ଚୋରି ଧରପଗଡ ଯେଉଁ ସ୍ଥାନରେ କରାଯାଉଛି ସେ ସବୁ ଲୋକ ଦେଖାଣିଆ ହେଉଥିବାରୁ ଏଥିରେ ରୋକ୍ ଲାଗି ପାରୁନାହିଁ । 
ପ୍ରକାଶ ଯେ, ଖଣି ମହାଦୂର୍ନିତୀ ପରେ ସରକାର ଖଣି ଚୋରି ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏତେ ସବୁ ପଦକ୍ଷେପ ଆଗଭଳି ଚାଲୁ ନଥିବାରୁ ପୂର୍ବପରି ଚୋରା କାରବାର ହେଉଥିବା ଅଭିଯୋଗ ହେଉଛି । ବିଶେଷ କରି ଜଙ୍ଗଲ ଜମି ଏବଂ ବନ୍ଦ ଖଣିରେ ମାଫିଆ ମାନେ ପଶି ବେଧଡକ ଚୋରି କରୁଛନ୍ତି । ବନ ବିଭାଗ ପକ୍ଷରୁ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଚୋରି ବଢଥିବା ଅଭିଯୋଗ ଦୋଇଛି । ମାପିଆମାନେ ନିକଟସ୍ଥ ଲୋକଙ୍କୁ ଅଳ୍ପ କିଛି ମଜୁରୀ ଦେଇ ସେମାନଙ୍କୁ ଖଣି ଚୋରୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଯୋଡା ସର୍କଲ ଅନ୍ତର୍ଗତ ନୟାଗଡ ଖେସରା ଜଙ୍ଗଲ, ପୀଢପୋଖରୀ ଖେସରା ଜଙ୍ଗଲ, ମଲଦା ଖେସରା ଜଙ୍ଗଲୁ ବ୍ୟାପକ ପରିମାଣର ଲୁହାପଥର ଏବଂ ମାଙ୍ଗାନିଜ ଚୋରି ହେଉଛି । ମାଫିଆମାନେ ଲଜ୍ରେ ରହି ଏହି କାରବାରକୁ ନିୟନ୍ତ୍ରଣ କରୁଛନ୍ତି । କେନ୍ଦୁଝର ସର୍କଲ ଅନ୍ତର୍ଗତ ମାଲାଙ୍ଗଟୋଲୀ ଖେସରା ଜଙ୍ଗଲରେ ମଧ୍ୟ ବେଧଡକ ଖଣି ଚୋରି ହେଉଛି । ଝାଡଖଣ୍ଡ ଅଞ୍ଚଳର ଖଣି ମାଫିଆ ମନୀଷ ଶର୍ମା ନିୟମିତ ଖଣି ଚୋରି କରୁଥିବା ଅଭିଯୋଗ ହୋଇଆସୁଛି । ଲୁହାପଥର ଚୋରି ରୋକିବା ପାଇଁ ପଦକ୍ଷେପ ନିଆଯାଉନଥିବାରୁ କୋଟି କୋଟି ଟଙ୍କା ମୂଲ୍ୟବାନ ପଥର ଚୋରୀ ହେବା ଫଳରେ ବ୍ୟାପକ ରାଜସ୍ୱହାନୀ ହେଉଛି । ୨୦୨୦ ଏବଂ ୨୦୨୧ ବର୍ଷରେ ଖଣି ଓ ବନବିଭାଗକୁ ବେଶ ସଫଳତା ମିଳିଥିବାବେଳେ ୨୦୨୨ରୁ ୨୦୨୪ ମଧ୍ୟରେ ରେ କମ୍ ସଂଖ୍ୟକ ଗାଡି ଜବତ୍ ହୋଇଛି । କେନ୍ଦୁଝର ସୀମାନ୍ତ ଜିଲ୍ଲା ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳରେ ଖଣି ଚୋରି ବଢୁଛି । ବନ ବିଭାଗର ସହଯୋଗ କରୁନଥିବାରୁ ଖଣି ବିଭାଗର ସ୍କାର୍ଡ ପୂର୍ବପରି ଧରପଗଡ କରୁନଥିବା ଅଭିଯୋଗ ହୋଇଛି । କୋଇଡା ଖଣି ସର୍କଲର ସ୍କାର୍ଡ ନିୟମିତ ଭାବେ ଗଣୁଆ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ବ୍ୟାପକ ପରିମାଣର ଚୋରି ପାଇଁ ରଖାଯାଇଥିବା ୪୨ ହଜାର ଟନ ମାଙ୍ଗାନିଜ ଏବଂ ଲୁହାପଥର ଜବତ୍ କରିଥିଲା । ଯାହାର ମୂଲ୍ୟ ୪୫ କୋଟି ହେବ । ଏଥିମଧ୍ୟରୁ ଓଡିଶା ଖଣି ନିଗମ ଦ୍ୱାରା ନିଲାମ ହୋଇ ୧୨ କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସିଥିବାବେଳେ, ବାକି ଖଣିଜ ସମ୍ପଦ ନିଲାମ ପ୍ରକ୍ରୀୟା ଚାଲିଛି । କୋଇଡା ରେଞ୍ଜର ମାଲଦା, କେନାଭେଟା.ଗିଡେଇ, ଗଣୁଆ, ପାନପୋଷିଆ, ଦଳିତା, ପଟାବେଡା ଜଙ୍ଗଲରେ ନିୟମିତ ଖଣି ଚୋରି ହେଉଛି । ବନକର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରୀ ହୋଇ ଆସୁଥିବାବେଳେ ଜଙ୍ଗଲ ମଧ୍ୟରେ ଗଛ ତାଡି ମାଟି ଖୋଳି ନିୟମିତ ଚୋରି ହୋଇଆସୁଛି । ଜଙ୍ଗଲ ଭିତରେ ଗଛ ତାଡିବା ଫଳରେ ବଡ ବଡ ଗାତ ସୃଷ୍ଟି ହୋଇଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ଆଶଙ୍କା ରହିଛି । କୋଇଡା ଖଣି ସର୍କଲ ସ୍କାର୍ଡ ନିୟମିତ ଜଙ୍ଗଲରେ ଚଢାଉ କରି ଖଣିଜ ସମ୍ପଦ ଜବତ୍ କରିବା ପରେ ଗତ ମାସ ଜଙ୍ଗଲରେ ପ୍ରବେଶ ଉପରେ ରୋକ ଲଗାଇଛନ୍ତି କୋଇଡା ରେଞ୍ଜ ଅଧିକାର । ଏହାପରେ ମାଫିଆମାନେ ବେଧଡକ ଖଣିଜ ସମ୍ପଦ ଚୋରି କରୁଥିବାବେଳେ, ବନ କର୍ମଚାରୀଙ୍କ ସହ ସେମାନଙ୍କର ମଧୁଚନ୍ଦ୍ରିକା ରହିଛି କି? କୋଇଡା ରେଞ୍ଜର ବିଭିନ୍ନ ଜଙ୍ଗଲରେ ବନ ବିଭାଗ ପାଦ ଚଲା ପେଟ୍ରୋଲିଂ ହେଉନଥିବାରୁ ଜଙ୍ଗଲ ଭିତରେ ଖଣି ଚୋରି ବଢିବାରେ ଲାଗିଛି । ଏ ସମ୍ପର୍କରେ ବଣେଇ ଡିଏଫଓ ଲଲିତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ପୋଲିସ ଏବଂ ଖଣି ବିଭାଗ ସହାୟତାେରେ ମିଳିତ ଭାବେ ଜଙ୍ଗଲରେ ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।