ଜଳିଗଲା ୧୦୮ ଆମ୍ବୁଲାନ୍ସ 

 ଧର୍ମଶାଳା : ସୋମବାର ଧର୍ମଶାଳା ବ୍ଲକ ପରିସରରେ ଥିବା ଏକ ୧୦୮ ଆମ୍ବୁଲାନ୍ସ ହୁତୁ ହୁତୁ ହୋଇ ଜଳିଯାଇଥିଲା । କାରଣ ଜଣାପଡିନଥିବା ବେଳେ ବ୍ୟାଟେରୀ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଚଣ୍ଡିଖୋଲ ଦମକଳ ବାହୀନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ସତ କିନ୍ତୁ ସେତେବେଳକୁ ଆମ୍ବୁଲାନ୍ସ ଗାଡିଟି ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ସୂଚନା ମୁତାବକ ରୋଗୀସେବା ଯୋଗଇ ଦେବା ପାଇଁ ଧର୍ମଶାଳା ବ୍ଲକ ପରିସରରେ ଏକ ୧୦୮ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । କଲପାଇ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀ ସେବା ଯୋଗାଇ ଦେବା ପରେ ସେମାନେ ଆମ୍ବୁଲାନ୍ସ ଆଣି ବ୍ଲକ ପରିସରରେ ରଖିଥାନ୍ତି । ତେବେ ଆଜି ଏକ ରୋଗୀକୁ ନେଇ ଆମ୍ବୁଲାନ୍ସର କର୍ମଚାରୀ କଟକ ବଡ ମେଡିକାଲରେ ଛାଡି ସେଠାରେ ମେକାନିକ ପାଖରେ ଗାଡିର ଷ୍ଟ୍ରେଚର ସଜାଡି ଦିନ ପ୍ରାୟ ୩ ଟାରେ ଫେରି ଗାଡି ଥୋଇ ନିଜ ରୁମକୁ ଯାଇଥିବା ବେଳେ ଗାଡିରେ ହଠାତ ନିଆ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ପକ୍ଷେ ନିଆଁକୁ ଆୟତ କରିବା ସମ୍ଭବପର ହୋଇ ନଥିଲା ।