ଜାତୀୟ ସିନିୟର ପୁରୁଷ କବାଡ଼ି ୨୦ରୁ
କଟକ: ଓଡ଼ିଶା କବାଡ଼ି ସଂଘ ଆନୁକୂଲ୍ୟରେ ତଥା ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଫେବୃଆରି ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଇଣ୍ଡୋର ଷ୍ଟାଡ଼ିୟମଠାରେ ଜାତୀୟ ସିନିୟର ପୁରୁଷ କବାଡ଼ି ପ୍ରତିଯୋଗିତା-୨୦୨୫ ଆୟୋଜିତ ହେବ । ପ୍ରଥମଥର ପାଇଁ ଭାରତର ଆର୍ମେଚର କବାଡ଼ି ଫେଡ଼େରେସନ ଦିଗଦର୍ଶନରେ ଓଡ଼ିଶାରେ ଏଭଳି କବାଡ଼ି ମହାକୁମ୍ଭ ଆୟୋଜନ କରାଯିବ । ଏହି ପ୍ରତିଯୋଗିତାରେ ୩୦ଟି ରାଜ୍ୟ ଓ ୪ଟି ବିଭାଗୀୟ ଦଳ ଅଂଶ ଗ୍ରହଣ କରିବେ ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କବାଡ଼ି ସଂଘର ସଭାପତି ଡକ୍ଟର ଶରତ ସାହୁ ସୂଚନା ଦେଇଛନ୍ତି । ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୪୫୦ରୁ ଊଦ୍ଧ୍ୱର୍ ପ୍ରତିଭାବାନ କବାଡ଼ି ଖେଳାଳିମାନେ ଏହି ସିନିୟର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ । ସେମାନଙ୍କ ମଧ୍ୟରୁ ୫୦ରୁ ଊଦ୍ଧ୍ୱର୍ ପ୍ରୋ-କବାଡ଼ି ଖେଳାଳୀମାନେ ମଧ୍ୟ ଅଂଶ ଗ୍ରହଣ କରିବେ । ଏତଦ୍ ବ୍ୟତୀତ ସମସ୍ତ ଦଳର ପ୍ରଶିକ୍ଷକ, ପ୍ରବନ୍ଧକମାନଙ୍କ ସହ ପ୍ରତ୍ୟେକ ରାଜ୍ୟ କବାଡ଼ି ସଂଘର ସଭାପତି ଓ ସଂପାଦକମାନେ ମଧ୍ୟ ଯୋଗ ଦେବେ । ଫେବୃଆରୀ ୨୦ ତାରିଖ ସନ୍ଧ୍ୟା ୫ଘଟିକାଠାରୁ ୭ଘଟିକା ପର୍ଯ୍ୟନ୍ତ ଉଦ୍ଘାଟନୀ ଉସôବ ଅନୁଷ୍ଠିତ ହେବ । ଏଥିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ ବିଶିଷ୍ଟ ବଲ୍ଲିଉଡ଼ ତାରକା ତଥା ଜୁନିୟର ବିଗ-ବି ଶଶିକାନ୍ତ ପେଡ଼ୱାଲ । ସେହିପରି ଅନ୍ତର୍ଜାତୀୟ କ୍ଷାତି ସଂପନ୍ନ କରିଥିବା ଫେଟ ଫାଇଟରର୍ସ ଗ୍ରୁପ ଓ ସାଥୀମାନେ "ଆମ ଅସ୍ମିତା ଆମର ଗର୍ବ' ନୃତ୍ୟ ପରିବେଷଣ କରିବେ । ଚଳିତ ବର୍ଷର ଥିମସଙ୍ଗ୍ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ସତ୍ୟଜିତ ଓ ଆଶୁତୋଷ ପରିବେଷଣ କରିବେ । ଉଦ୍ଘାଟନୀ ଉସôବରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସାଧାରଣ ସଂପାଦକ ଅଜୟ ବେହେରା ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କବାଡ଼ି ସଂଘରୁ ଯୁଗ୍ମ ସଂପାଦିକା ଜୟଶ୍ରୀ ସ୍ୱାଇଁ, ଓଡ଼ିଶା ଅଲମ୍ପିକ ସଂଘର ସଂପାଦକ ଅଭିଜିତ ପାଲ, ପ୍ରଶାନ୍ତ ଜେନା ଓ ସତ୍ୟବ୍ରତ ମିଶ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।