ଜାତୀୟ ସଡ଼କ ସୁରକ୍ଷା ମାସ ପାଳନରେ ସାଇକେଲ ରାଲି

କେନ୍ଦୁଝର: ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ରାଲିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, କ୍ରୀଡାବିତ୍ମାନେ ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ରାଲିରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରି ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷା ଦେବା ସମସ୍ତଙ୍କର କର୍ତ୍ତବ୍ୟ ହେଉ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ,ରୋଡ ସେଫଟି ଅଫିସର ରାଜେଶ କୁମାର ସେଠୀ ଓ କ୍ରୀଡା ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡ ଯୋଗ ଦେଇଥିଲେ । ଏହାପରେ ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ ସାଧାରଣତନ୍ତ୍ର ଦିବସ ପାଳନ ଅବ୍ୟବହିତ ପୂର୍ବରୁ ହେଉଥିବା ଅଭ୍ୟାସ ପ୍ୟାରେଡରେ ସମ୍ମିଳିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ବନ୍ଧରେ ସୂଚନା ଦେବା ସହ ଏହାର ପାଳନ କରିବାକୁ ପରାମର୍ଶ ଦେଇଥିଲେ ।
 ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଉଦ୍ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଦୃଢ ମାନସିକତା ଓ ଆନ୍ତରିକତା ମନୋଭାବ ନେଇ ଟ୍ରାଫିକ ନିୟମ ମାନି ଗାଡି ଚଳାଇଲେ ସଡକ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି କହିଥିଲେ । ଏତଦ୍ବ୍ୟତୀତ ରାସ୍ତା ଦୁର୍ଘଟଣା ଏଡାଇବା ପାଇଁ ଆଂଚଳିକ ପରିବହନ ଅଧିକାରୀ ସମାଜର ସବୁବର୍ଗର ଜନସାଧାରଣଙ୍କ ସକି୍ରୟ ସହଯୋଗ କାମନା କରିଥିଲେ । ସଡକ ଦୁର୍ଘଟଣା ବର୍ତ୍ତମାନ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଯୁବପୀଢି ସଡକ ସୁରକ୍ଷା ଅଭିଯାନରେ ଅଗ୍ରଣୀ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଥିଲେ । ବିଶେଷ କରି ଗାଡି ଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା,ଦୃତ ଗତିରେ ଗାଡି ଚାଳନା ନ କରିବା,ଗାଡି ଚାଳନା ବେଳେ ହେଲମେଟ ପିନ୍ଧିବା ଏବଂ ମଦ୍ୟପାନ କରି ଗାଡି ନ ଚଳାଇବା,୨ ଚକିଆ ଯାନରେ ୩ ଜଣ ବସି ଗାଡି ନ ଚଲାଇବା ପାଇଁ କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ସତର୍କତା ଅବଲମ୍ବନ ପୂର୍ବକ ଟ୍ରାଫିକ ନିୟମ ମାନି ଯାନବାହାନ ଚଳାଇବାକୁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ,ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସକ୍ରୀୟ ସହଯୋଗ କରିଥିଲେ ।