ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ସଙ୍କଟ

କେନ୍ଦୁଝର : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବାବେଳେ, ଡାକ୍ତରଖାନା ବହୁ ସମସ୍ୟା ଭିତରେ ଗତି କରୁଛି । ରୋଗୀଙ୍କୁ କେବଳ ଦଇବ ସାହା । କେନ୍ଦୁଝର ଜିଲ୍ଲାରେ କେବଳ ଡାକ୍ତର ସମସ୍ୟା ନୁହେଁ ପାରାମେଡିକାଲ କର୍ମଚାରୀ ସଙ୍କଟରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ନର୍ସ, ପୁରୁଷ ସ୍ୱାସ୍ଥ୍ୟକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସୁପରଭାଇଜର, ଫାର୍ମାସିଷ୍ଟ ପରି ପଦବୀରେ ଅନେକ କର୍ମଚାରୀ ନ ଥିବାବେଳେ, ଅନେକ ଯୋଜନା ପରେ ମଧ୍ୟ ସ୍ୱାସ୍ଥ୍ୟସେବା ସଠିକ ହେଉ ନ ଥିବା କଥା ଆଲୋଚନା ହେଉଛି । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଆଇଏସଓ-୯୦୦୧ ସାର୍ଟିଫିକେଟ ପାଇଥିଲେ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ସୂଚାରୁ ରୂପେ ହୋଇ ପାରୁନାହିଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ୧୭୦ଟି ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୫୫ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ବିଶେଷ କରି ହୃଦରୋଗ ପଦବୀ ଫାଙ୍କା ଥିବାବେଳେ ୨ଟି ବ୍ଲଡ ବ୍ୟାଙ୍କ ଅଫିସର ପଦବୀ ଫାଙ୍କା ପଡିଛି । ୩ଟି ଶିଶୁ ରୋଗ ବିଶେଷଜ୍ଞ ପଦବୀ ମଧ୍ୟରୁ ଜଣେ ଡାକ୍ତର କାର୍ଯ୍ୟ କରୁଥିବାବେଳେ, ୨ଟି ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଛି । ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ରେଡିଓ ଡାଇଗ୍ନୋଷ୍ଟିକ ପଦବୀ ଖାଲି ପଡି ଥିବାରୁ ରୋଗୀ ଦୈନନ୍ଦିନ ହଇରାଣ ହେଉଛନ୍ତି । ମେଡିସିନ ବିଭାଗର ଡାକ୍ତର ବିନୋଦ ବିହାର ମିଶ୍ର ସିଡିଏମ୍ଓ ପଦବୀରେ ନିଯୁକ୍ତି ପାଇବା ପରେ ମେଡିସିନ ବିଭାଗରେ ଏହି ପଦବୀ ଫାଙ୍କା ପଡିଛି । ୪ଟି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦବୀ ମଧ୍ୟରୁ ମାତ୍ର ୨ଜଣ ଅଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ଅନୁମୋଦିତ ୬୭୨ଟି ଡାକ୍ତର ମଧ୍ୟରୁ ୩୦୫ ଜଣ ଡାକ୍ତର ଥିବାବେଳେ, ୩୬୭ ଟି ଡାକ୍ତର ପଦ ଖାଲି ରହିଛି । କେବଳ ଯେ, ଡାକ୍ତର ପଦ ଅର୍ଦ୍ଧାଧିକ ଖାଲି ରହିଛି ତାହା ନୁହେଁ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ ମଧ୍ୟ ବହୁ ସଂଖ୍ୟାରେ ଖାଲି ରହିଛି । ଦିନକୁ ଦିନ ଲୋକ ସଂଖ୍ୟା ଓ ରୋଗୀ ସଂଖ୍ୟା ବଢୁଥିବାବେଳେ, ଅନୁମୋଦିତ ସ୍ୱାସ୍ଥ୍ୟ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଉ ନ ଥିବା ଅଭିଯୋଗ ହୋଇଛି । ବିସ୍ମୟର କଥା ଅନୁମୋଦିତ ପଦ ମଧ୍ୟ ଦୀର୍ଘଦିନ ଧରି ପୂରଣ ହେଉନାହିଁ । ସ୍ୱାସ୍ଥ୍ୟସେବା ପରି ଏକ ଜରୁରୀ ବିଭାଗରେ ଏହି ପଦ ଖାଲି ରହିବା ଦ୍ୱାରା ସ୍ୱାସ୍ଥ୍ୟ ବିଭାଗ କୋମାରେ ରହିଥିବା କଥା ଆଲୋଚନା ହେଉଛି । ସରକାରୀ ସୂଚନା ମୁତାବକ ୫୮୭ ଅନୁମୋଦିତ ନର୍ସିଂ ଅଫିସର ପଦବୀରୁ ମାତ୍ର ୨୩୨ଜଣ ନର୍ସିଂ ଅଫିସର ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବାବେଳେ, ୩୫୫ଟି ନର୍ସିଂ ଅଫିସର ପଦ ଖାଲି ରହିଛି । ୧୩୬ଟି ଫାର୍ମାସିଷ୍ଟ ପଦ ମଧ୍ୟରୁ ୯୮ ଜଣ କାର୍ଯ୍ୟ କରୁଥିବାବେଳେ ୩୮ଟି ପଦ ଖାଲି ପଡିଛି । ୨୪୫ଟି ଅନୁମୋଦିତ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦ ମଧ୍ୟରୁ ୧୫ଟି ପଦ ଖାଲି ରହିଛି । ୨୮୫ ଟି ଅନୁମୋଦିତ କମୁ୍ୟନିଟି ହେଲଥ ଅଫିସର(ସିଏଚ୍ଓ) ପଦବୀ ମଧ୍ୟରୁ ୨୬୦ ଜଣ କାର୍ଯ୍ୟରତ ଥିବାବେଳେ ୨୫ ଟି ପଦବୀ ଖାଲି ପଡିଛି । ୪ ଟି ସିନିୟର ଏଲଟି ପଦବୀ ମଧ୍ୟରୁ ୪ଟି ଯାକ ପଦବୀ ଖାଲି ପଡିଛି । ୮୦ ଟି ଅନୁମୋଦିତ ଜୁନିୟର ଏଲଟି ପଦବୀ ମଧ୍ୟରୁ ୪୦ ଜଣ କାର୍ଯ୍ୟରତ ଥିବାବେଳେ ୪୦ ଟି ପଦବୀ ଖାଲିପଡିଛି । ୨୫ ଟି ଅନୁମୋଦିତ ଜୁନିୟର ରେଡିଓଗ୍ରାଫର ପଦବୀ ମଧ୍ୟରୁ ୧୯ ଜଣ କାର୍ଯ୍ୟରତ ଥିବାବେଳେ ୬ ଟି ପଦବୀ ଖାଲି ପଡିଛି । ୩ ଟି ଅନୁମୋଦିତ ସିନିୟର ରେଡିଓଗ୍ରାଫର ପଦବୀ ମଧ୍ୟରୁ ୨ ଜଣ କାର୍ଯ୍ୟରତ ଥିବାବେଳେ ଗୋଟିଏ ପଦବୀ ଖାଲି ପଡିଛି । ୪୪ ଟି ଅନୁମୋଦିତ ଡ୍ରାଇଭର ପଦବୀ ମଧ୍ୟରୁ ୨୬ ଜଣ କାର୍ଯ୍ୟରତ ଥିବାବେଳେ ୧୮ଟି ପଦବୀ ଖାଲି ପଡିଛି । ୧୩ ଟି ଅନୁମୋଦିତ ସିନିୟର ଆସିଷ୍ଟାଣ୍ଟ ପଦବୀ ମଧ୍ୟରୁ ୧୨ ଜଣ କାର୍ଯ୍ୟରତ ଥିବାବେଳେ ଗୋଟିଏ ପଦବୀ ଖାଲି ପଡିଛି । ମହିଳା ସ୍ୱାସ୍ଥ୍ୟକର୍ମୀ ୫୬୨ ମଧ୍ୟରୁ ୫୦୪ ଜଣ କାର୍ଯ୍ୟରତ ଥିବାବେଳେ ୬୧ ଟି ପଦବୀ ଖାଲି ପଡିଛି । ୨୪୫ଜଣ ଅନୁମୋଦିତ ପୁରୁଷ ସ୍ୱାସ୍ଥ୍ୟକର୍ମୀ ମଧ୍ୟରୁ ୨୩୦ ଜଣ କାର୍ଯ୍ୟରତ ଥିବାବେଳେ ୧୫ ଟି ପଦବୀ ଖାଲି ପଡିଛି । ପୁରୁଷ ସୁପରଭାଇଜର ପଦ ମୋଟ ୬୭ରୁ ୩୦ଟି ଖାଲି ରହିଛି ।
ମହିଳା ସୁପରଭାଇଜର ୬୨ଟି ମଧ୍ୟରୁ ୧୬ଟି ଖାଲି ରହିଛି । ମେଡିକାଲ ରେକର୍ଡ କ୍ଲକ ୧୯ଟି ଅନୁମୋଦିତ ପଦବୀ ମଧ୍ୟରୁ ୪ଜଣ କାର୍ଯ୍ୟରତ ଥିବାବେଳେ ୧୫ଟି ପଦବୀ ଖାଲି ପଡିଛି । ୧୭ଟି ଅନୁମୋଦିତ ପାରା ମେଡିକାଲ ୱାର୍କର (ପିଏମଡବ୍ଲୁ୍ୟ) ପଦବୀ ମଧ୍ୟରୁ ୯ଜଣ କାର୍ଯ୍ୟରତ ଥିବାବେଳେ ୮ଟି ପଦବୀ ଖାଲି ପଡିଛି । ୧୦ଟି ଅନୁମୋଦିତ ଓପିଏଚ୍ ଆସିଷ୍ଟାଣ୍ଟ ପଦବୀ ମଧ୍ୟରୁ ୪ଜଣ କାର୍ଯ୍ୟରତ ଥିବାବେଳେ ୬ଟି ଖାଲି ପଡିଛି । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାରେ ୧୩ ଟି ଅନୁମୋଦିତ ପବ୍ଲିକ ହେଲଥ ଏକ୍ସଟେନସନ ଅଫିସର (ପିଏଚ୍ଇଓ) ୪ଟି ପଦବୀ ଖାଲି ପଡିଛି । ୪୪୬ଟି ଅନୁମୋଦିତ ଚତୁର୍ଥ ଶ୍ରେଣୀ କର୍ମଚାର ପଦ ମଧ୍ୟରୁ ୧୯୬ଟି ପଦବୀ ଫାଙ୍କା ରହିଛି । ନିୟମିତ ବ୍ୟବଧାନରେ ନିଯୁକ୍ତି ମାଧ୍ୟମରେ ବିିଭିନ୍ନ ପଦ ପୂରଣ ସାଙ୍ଗକୁ ରୋଗୀ ସଂଖ୍ୟାକୁ ଆକଳନ କରି ଅଧିକ ପଦବୀ ସୃଷ୍ଟି କରିବାକୁ ସାଧାରଣରେ ଦାବି ହେଉଛି ।