ବିନା ସୂଚନାଫଳକରେ ବନ୍ଧ ପୁନରୁଦ୍ଧାର

 କେନ୍ଦୁଝର : ଚମ୍ପୁଆ ବ୍ଲକ୍ ପଡୁଆ ପଂଚାୟତ ବାଙ୍ଗିରିପଶି ଗ୍ରାମରେ ବିନା ସୂଚନା ଫଳକରେ ଲୁଣି ପୋଖରୀ (ବନ୍ଧ)ର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଫଳକ ନ ଥିବାରୁ କେଉଁ ଯୋଜନାରେ କେତେ ଟଙ୍କା ଅଟକଳରେ ଏହି କାମ କରାଯାଉଛି ତାହାର ତଥ୍ୟ ଜଣାପଡୁନାହିଁ । ନିୟମ ଅନୁଯାୟୀ କାମ ହେଲା ପୂର୍ବରୁ ସୂଚନା ଫଳକ ରହିବା କଥା । ହରିଲୁଟ୍ ଉଦେ୍ଦଶ୍ୟରେ ତରବରିଆ ଭାବେ ମେସିନ ଦ୍ୱାରା ପୋଖରୀ ପୁନରୁଦ୍ଧାର କରାଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ୧ ସପ୍ତାହ ହେବ ଜେସିବି ମେସିନରେ ଲୁଣି ପୋଖରୀ(ବନ୍ଧ)ର ପୁନରୁଦ୍ଧାର କାର୍ଯ୍ୟ କନିଷ୍ଠ ଯନ୍ତ୍ରୀଙ୍କ ଜ୍ଞାତସାରରେ ଚାଲିଛି । କାମ ହେଉଥିବା ସ୍ଥାନରେ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ, ସାହାରପଡା ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ କେହି ଉପସ୍ଥିତ ରହୁ ନ ଥିବାରୁ ଲୋକଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି ହେଉଛି । ମନରେଗା ଯୋଜନାରେ ଶ୍ରମଜୀବୀ ମାନେ କର୍ମନିଯୁକ୍ତି ପାଉନଥିବାବେଳେ ମେସିନରେ ତରବରିଆଭାବେ କାମ କରାଯାଉଛି । ଜନସାଧାରଣଙ୍କ ଅବଗତ ନିମନ୍ତେ ସୂଚନା ଫଳକ ନ ଥିବାରୁ ଏହି କାମ ମନରେଗା ଯୋଜନାରେ ହେଉଥିବା ନେଇ ଗ୍ରାମବାସୀ ସନେ୍ଦହ କରୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ନାୟକଙ୍କ ସହ ଯୋଗାଯୋଗ କରିବାରୁ ପଞ୍ଚାୟତର ୫୦ହଜାର ଟଙ୍କା ଅନୁଦାନରେ ଏହି କାମ କରାଯାଉଛି ।