ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଦାବିପତ୍ର

 ତାଳଚେର : ତାଳଚେର ବନ୍ତୋଲ ରେଳଫାଟକ ଠାରୁ ଟିଟିପିଏସ୍ ଆନନ୍ଦବଜାର ରାସ୍ତା ପର୍ଯ୍ୟନ୍ତ ଭାୟା ବଙ୍ଗୁ ନୂତନ ରାସ୍ତା ନିର୍ମାଣ ସମ୍ବନ୍ଧରେ ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁ, ବନ୍ତୋଲ ସମିତି ସଦସ୍ୟ ଅମିତା ପାଣି ଗୁରୁଜାଙ୍ଗୁଲି ସରପଞ୍ଚ ଲୀନା ସାହୁ, ସମିତି ସଦସ୍ୟ ବୀନତୀ ପରିଡ଼ା, ବୈଜୟନ୍ତୀ ମହାନ୍ତି, ରୁନୁ ସିଂହ, ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ, ବନ୍ତୋଲ ଗ୍ରାମ୍ୟ କମିଟି ସଭାପତି ମିହିରି କୁମାରଙ୍କ ସ୍ୱାକ୍ଷରରେ ଆଜି ଏକ ଦାବିପତ୍ର ପ୍ରଦାନ କରାଇଛି । ତାଳଚେର ଥର୍ମାଲ (ଏନଟିପିସି / ଟିଟିପିଏସ୍) କର୍ତ୍ତୃପକ୍ଷ ତାଳଚେର ତାପଜ ବିଦୁ୍ୟତ୍ କେନ୍ଦ୍ର ପାଇଁ ଗତ ୧୯୬୨ ମସିହାରେ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କରି ସେହିଦିନ ଠାରୁ ବିଦୁ୍ୟତ୍ ଉତ୍ପାଦନ କରି ଆସୁଥିଲେ । କାରଖାନା ଆରମ୍ଭ ଠାରୁ ବନ୍ତୋଲ ରେଳଫାଟକ ଠାରୁ ଭାୟା- ଜଗନ୍ନାଥପୁର ଆନନ୍ଦବଜାର ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାସ୍ତା ନିର୍ମାଣ ହୋଇଥିଲା । ନୂତନ ଟିଟିପିଏସ୍ ପ୍ଲାଣ୍ଟ ଫେଜ୍ ୩ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସେହି ରାସ୍ତାଟିକୁ ବନ୍ଦ କରିଦିଆଗଲା । ଯାହା ଫଳରେ ଉକ୍ତ ରାସ୍ତା ଉପରେ ଚଳପ୍ରଚଳ କରୁଥିବା ୩ରୁ ୪ଟି ପଞ୍ଚାୟତ ଜନସାଧାରଣ, ଛାତ୍ରଛାତ୍ରୀ ଓ ରୋଗୀମାନେ ଯିବାଆସିବାର ଅସୁବିଧାର ସମ୍ମୁଖୀନ ହେଲେ । ଫଳରେ ଜାତୀୟ ରାଜପଥ, ଆନନ୍ଦବଜାର ହାଟକୁ ଯିବାକୁ ହେଲେ ଲୋକଙ୍କୁ ୭କିମି ଦୂରତା ଅତିକ୍ରମ କରିବାକୁ ପଡ଼ିଥାଏ । ତେଣୁ ଏହି ନୂତନ ରାସ୍ତା ନିର୍ମାଣ କରାଗଲେ ତାଳଚେର ଉପଖଣ୍ଡ ଅନ୍ତର୍ଗତ ବନ୍ତୋଲ, ଜଗନ୍ନାଥପୁର, ଘଣ୍ଟପଡ଼ା, ହାଣ୍ଡିଧୂଅାଁ, ଦିଗ, ତାଳଚେର ଟାଉନ ଅଞ୍ଚଳବାସୀ ସିଧାସଳଖ ଯୋଗାଯୋଗ କରିବା ସହିତ ବନ୍ତୋଲ, କୁକୁଡ଼ୁଲା, ବଙ୍ଗୁ- ବହ୍ଲର ପାଇଁ ଏହି ପ୍ରସ୍ତାବିତ ରାସ୍ତା ସୁଗମ ହେବ ବୋଲି ଅଞ୍ଚଳବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।