ଜୀବନଶୈଳୀ ଓ ସୁସ୍ଥ ହୃଦୟ

ଜୀବନଶୈଳୀ ଓ ସୁସ୍ଥ ହୃଦୟ

ଡ.ପ୍ରଫୁଲ୍ଲ କୁମାର ଦାସ : ଆଧୁନିକତା ସହିତ ତାଳଦେଇ ଚାଲୁଥିବା ମଣିଷ ଦୈନନ୍ଦିନ ଜୀବନଶୈଳୀ ବଦଳିବାରେ ଲାଗିଛି । ଖାଇବା, ପିଇବା, ଶୋଇବା ସମୟରେ ପରିବର୍ତ୍ତନ ହୋଇଛି । କର୍ମକ୍ଷେତ୍ରରେ ଅତିରିକ୍ତ ଚାପ ବଢ଼ିବାରେ ଲାଗିଛି । ବ୍ୟସ୍ତତା କାରଣରୁ ଅନେକେ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଇପାରୁନାହାନ୍ତି । ଏସବୁ ଅବେଳରେ ହୃଦ୍‌ଘାତ ସମସ୍ୟାକୁ ନିୟନ୍ତ୍ରଣ ଦେଉଛି । ବିଶ୍ୱରେ ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍‌ଘାତଜନିତ ମୃତ୍ୟୁ ଦ୍ରୁତଗତିରେ ବଢ଼ୁଥିବାବେଳେ ଭାରତର ସ୍ଥିତି ବେଶ ଚିନ୍ତାଜନକ । ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ହୃଦ୍‌ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି । ନ୍ୟାସନାଲ କ୍ରାଇମ ରେକଡର଼୍ ବ୍ୟୁରୋର ତଥ୍ୟ ଅନୁଯାୟୀ ଭାରତରେ ହୃଦ୍‌ଘାତଜନିତ ମୃତ୍ୟୁ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । କେବଳ ଯୁବାବସ୍ଥା ନୁହେଁ, ପ୍ରତିବର୍ଗର ଲୋକେ ଏବେ ଏହି ସମସ୍ୟା ଭୋଗୁଛନ୍ତି । ଭାରତରେ ପ୍ରତି ୪ ମୃତ୍ୟୁ ମଧ୍ୟରେ ଜଣେ ହୃଦ୍‌ଘାତର ଶିକାର ହୋଇଥାଆନ୍ତି । ଲାନ୍‌ସେଟର ଏକ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ଅପେକ୍ଷା ଏବେ ଗ୍ରାମାଞ୍ଚଳରେ ଅଧିକ ଲୋକ ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ ।

       

         ଅପରପକ୍ଷେ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ହୃଦ୍‌ଘାତ ମୃତ୍ୟୁରେ ବିଶ୍ୱରେ ଶୀର୍ଷରେ ରହିଛି ଆମେରିକା । ଏଠାରେ ପ୍ରତି ୩୬ ସେକେଣ୍ଡରେ ଜଣେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।  ଆମେରିକାରେ ହୃଦ୍‌ଘାତ ପ୍ରତିବର୍ଷ ୬ଲକ୍ଷ ୫୫ହଜାର ଲୋକଙ୍କ ଜୀବନ ନେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସାରା ପୃଥିବୀରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ୧୭.୯ ମିଳିୟନ ବ୍ୟକ୍ତି କାଡର଼୍ଓଭାସ୍କୁଲର ଡିଜିଜର ଶିକାର ହୋଇଥାନ୍ତି । ସୁଷମ ଖାଦ୍ୟ, ବ୍ୟାୟାମ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରହିବା, ଭୋଜନର କମ ଲୁଣ ବ୍ୟବହାର, ଦୈନନ୍ଦିନ ଖାଦ୍ୟରେ ସବୁଜ ପରିବା ସାମିଲ କରିବା ଦ୍ୱାରା ଏହାକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇପାରିବ । ଗତ ଦଶନ୍ଧି ମଧ୍ୟରେ ଭାରତରେ ହୃଦ୍‌ଘାତ ଜନିତ ମୃତ୍ୟୁ ଅଙ୍କ ଅତି ସାଂଘାତିକ । ରୋଗଗ୍ରସ୍ତ ୪ ଜଣଙ୍କ ମଧ୍ୟରୁ ଜଣେ ହୃଦ୍‌ଘାତର ଶିକାର ହୋଇ ଶେଷନିଃଶ୍ୱାସ ତ୍ୟାଗ କରୁଥିବା ଏକ ତଥ୍ୟରୁ ଜଣାପଡ଼ିଛି । 

       ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃତ୍‌ପିଣ୍ଡ ଜନିତ ବିଭିନ୍ନ ସମସ୍ୟା ଦେଖାଯାଉଛି । ବିଜ୍ଞାନ ଯୁଗରେ ସମସ୍ତେ ଚାହୁଁଛନ୍ତି କେମିତି କମ୍‌ ପରିଶ୍ରମ କରି ଅଧିକ ଅର୍ଥ ଉପାର୍ଜନ କରିବାକୁ । ହେଲେ ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ । କମ୍‌ ପରିଶ୍ରମ କରିବା ଦ୍ୱାରା ଶରୀରର ବିିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବରେ କାର୍ଯ୍ୟଶୀଳ ହୋଇପାରେ ନାହିଁ । ଏହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ଠିକ୍‌ ଭାବରେ ଅମ୍ଳଜାନ ମିଳିପାରେ ନାହିଁ । ହୃତ୍‌ପିଣ୍ଡ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । ହୃତ୍‌ପିଣ୍ଡ ଠିକ୍‌ ଭାବରେ ଅମ୍ଳଜାନ ନପାଇବା ଯୋଗୁଁ ସୁଚାରୁରୂପେ ରକ୍ତସଂଚାଳନ ହୋଇପାରେ ନାହିଁ । ଫଳରେ ବିଭିନ୍ନ ପ୍ରକାର ହୃଦ୍‌ଜନିତ ସମସ୍ୟା ଦେଖାଯାଏ । ସମୟ ସମୟରେ ହୃଦ୍‌ଘାତରେ ବ୍ୟକ୍ତି ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥାଏ । ତେଣୁ ହୃତ୍‌ପିଣ୍ଡ ସୁସ୍ଥ ରଖିବା ପାଇଁ ସର୍ବଦା ସଯତ୍ନ ହେବା ଉଚିତ । ପ୍ରତ୍ୟେକ ନିଜର ଦୈନଦିନ ଜୀବନରେ ବ୍ୟାୟାମକୁ ସାମିଲ କରିବା ଦରକାର । ସମୟ ସମୟରେ ଶାରୀରିକ ପରିଶ୍ରମ କରନ୍ତୁ । ଯାହାକି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟକ ହେବ। କ'ଣ ହେଲେ ହୃତ୍‌ପିଣ୍ଡ ଅଧିକ ସୁସ୍ଥ ରହିପାରିବ ଆସନ୍ତୁ ଜାଣିବା । ଏରୋବିକ୍‌ ବ୍ୟାୟାମ ଦିନକୁ ୩୦ ମିନିଟ୍‌ କରନ୍ତୁ । ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ । ସପ୍ତାହରେ ତିନି ଦିନ ଦିନକୁ ୩୦ ମିନିଟ୍‌ ଏରୋବିକ୍‌ କରିବା ଦ୍ୱାରା ସୁସ୍ଥ ରହିପାରିବେ । ପ୍ରତିଦିନ ସକାଳୁ ଦ୍ରୁତଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଚାଲିବା ସମୟରେ ଆରମଦାୟକ ଜୋତା ପିନ୍ଧନ୍ତୁ । ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଦିନକୁ ମାତ୍ର ୫-୧୦ ମିନିଟ ଚାଲିବାରେ ଦିଅନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିପାରିବେ । ଦୌଡ଼ିବା ଦ୍ୱାରା କ୍ୟାଲୋରୀର ମାତ୍ରା ହ୍ରାସ ପାଇଥାଏ। 

          ସୁସ୍ଥ ରହିବା ପାଇଁ ପ୍ରତି ୫ ମିିନିଟ୍‌ ଚାଲିବା ସମୟରେ ୧-୨ ମିନିଟ୍‌ ଦୌଡ଼ିବା ଆବଶ୍ୟକ । ଯେତେ ସମୟ ଦୌଡ଼ିବେ ଭଲ । ଦୌଡ଼ିବା ଅପେକ୍ଷା ସିଡ଼ି ଚଢ଼ିବାରେ ଅଧିକ ସୁଫଳ ମିଳିଥାଏ । ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ପ୍ରତିଦିନ ଯୋଗ କରନ୍ତୁ । ଏହାଦ୍ୱାରା ଶରୀରରୁ କୋଲେଷ୍ଟରଲ ସ୍ତର, ରକ୍ତଚାପ ଓ ଚିନ୍ତା ଦୂରେଇ ଯିବ । ଯାହାକି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟକ ହେବ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିମ୍‌ ଯାଆନ୍ତୁ । ଓଜନ ନିୟନ୍ତ୍ରଣରେ ରହିବା ଦ୍ୱାରା ରକ୍ତଚାପ ଆଶଙ୍କା ହ୍ରାସ ପାଏ । ଏହାଦ୍ୱାରା ମଧ୍ୟ ଚର୍ବି ହ୍ରାସ ହୋଇ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଳ ପିଇବା ଦ୍ୱାରା ଶରୀର ଯେପରି ସୁସ୍ଥ ରହେ, ସେହିପରି ମଧ୍ୟ ସନ୍ତରଣ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଶେଷକରି ସନ୍ତରଣ ଯୋଗୁଁ ରକ୍ତସଂଚାଳନ ସୂଚାରୁରୂପେ ହୋଇଥାଏ । ମାଂସପେଶୀ ଶକ୍ତିଶାଳୀ ହୁଏ । ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଏ ଓ ରକ୍ତ ପରିଷ୍କାର ହୋଇଥାଏ । ବିଶେଷକରି ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ । ଗଣ୍ଠି ସମସ୍ୟା ଥିଲେ ଏହାଦ୍ୱାରା ଦୂରେଇ ଯାଏ । ସାଇକେଲ ଚଲାଇବା ଏକ ଭଲ ଅଭ୍ୟାସ । ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଯାଏ । ବିଶେଷକରି ଏହାଦ୍ୱାରା ରକ୍ତ ସଂଚାଳନ ଭଲ ହେଉଥିବାରୁ ହୃତ୍‌ପିଣ୍ଡ ସୁସ୍ଥ ରହେ । ଏହାଦ୍ୱାରା ମଧ୍ୟ ଗଣ୍ଠିଜନିତ ସମସ୍ୟା ଦୂର ହୋଇଥାଏ । ସୁଷମ ଖାଦ୍ୟ, ତଟକା ପନିପରିବା, ଯୋଗାସନ, ପ୍ରାଣାୟାମ ସବୁଠାରୁ ଭଲ । ସମସ୍ତ ପ୍ରକାର ନିଶା ସେବନ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାନସିକ ଶାନ୍ତି ମଧ୍ୟ ସୁସ୍ଥ ଶରୀର ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା । ନିଜ କର୍ମମୟ ଜୀବନକୁ ଦେଖି ଭଲ ରୁଟିନ ଟିଏ ତିଆରି କରନ୍ତୁ ଦେଖିବେ ଆପଣ ନିଜେ ସୁସ୍ଥ ରହିବା ସହ ହୃତ୍‌ପିଣ୍ଡ ମଧ୍ୟ ସୁସ୍ଥ ରହିବ । 

ମୋ : ୯୪୩୭୦୨୩୪୪୩