ଆତ୍ମଜ୍ଞାନ : ଈଶ୍ୱର ପ୍ରାପ୍ତି

ଭବାଶିଷ ଦାସ : ଜୀବନ ହେଉଛି ଅମୂଲ୍ୟ । ଏଥିରେ ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ ଭରି ହୋଇ ରହିଛି । ଆମେ କିନ୍ତୁ ବିଭିନ୍ନ ସାଂସାରିକ ଜଞ୍ଜାଳରେ ବ୍ୟସ୍ତ ରହି ଜୀବନ ପ୍ରତି ଯନ୍ତ୍ରବତ୍‌ ଆଚରଣ ପ୍ରଦର୍ଶନ କରିଥାଉ। ଜୀବନ ଯେମିତି ଦିଗହୀନ ଭାବେ ଚାଲୁଛି ତାକୁ ସେମିତି ଛାଡ଼ିଦେବା ଉଚିତ ବୋଲି ଚିନ୍ତା କରିଥାଉ । ଯାହା ଆଦୌ ଠିକ୍‌ ନୁହେଁ । ଆମେ ଚାହିଁଲେ ଜୀବନ ପ୍ରତି ଥିବା ଆମର ଏ ଆଭିମୁଖ୍ୟକୁ ପରିବର୍ତ୍ତନ କରିପାରିବା । ଯାନ୍ତ୍ରିକ ଜୀବନକୁ ଛାଡ଼ି ଏକ ଅର୍ଥପୂର୍ଣ୍ଣ ଜୀବନ ଜିଇ ପାରିବା । ତେବେ ଏଥିପାଇଁ ପ୍ରଥମେ ଆମକୁ ଉପଯୁକ୍ତ ଆଧ୍ୟାତ୍ମିକ ଗୁରୁଙ୍କ ସନ୍ଧାନ କରିବାକୁ ପଡ଼ିବ । ଆଉ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କର ଉପଦେଶ ତଥା ଶିକ୍ଷାକୁ ସ୍ମରଣ କରି କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ । ଏହାଦ୍ୱାରା ଆମର ଚିନ୍ତନ ତଥା ମନନରେ ପରିବର୍ତ୍ତନ ହେବାସହ ଆମେ ଅର୍ନ୍ତମୁଖୀ ହୋଇପାରିବା । ଆଉ ଅନ୍ତର୍ଭୁଖୀ ହେବାଦ୍ୱାରା ଆମେ ନିଜ ମଧ୍ୟରେ ଥିବା ତ୍ରୁଟିକୁ ସୁଧାରି ପାରିବା । ଜୀବନକୁ ସୃଜନଶୀଳ ଭାବେ ଜିଇବାର କଳା ହାସଲ କରିପାରିବା । ତାହା ହେଲେ ଜୀବନ ପ୍ରତି ଥିବା ଆମର ଯନ୍ତ୍ରବତ୍‌ ଆଭିମୁଖ୍ୟରେ ପରିବର୍ତ୍ତନ ହେବ । ଅହଂଭାବ ଉପରେ ସେ କହନ୍ତି ଯେ ଅହଂଭାବ ପ୍ରଦର୍ଶନ କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ଆଉ ଭଗବାନଙ୍କ ସତ୍ତା ରହିପାରେ ନାହିଁ । ଫଳରେ ଖୁବ୍‌ ଶୀଘ୍ର ତାର ବିନାଶ ହୋଇଥାଏ । ଏହାକୁ ତ୍ୟାଗ କରିବା ଦ୍ୱାରା ବ୍ୟକ୍ତିର ଜୀବନ ମଧୁରତାରେ ଭରି ଯାଇଥାଏ । ସେ ସମସ୍ତଙ୍କ ପ୍ରିୟପାତ୍ର ହେବା ସହିତ ସମସ୍ତଙ୍କୁ ଆପଣାଇ ପାରିଥାଏ । ତେଣୁ ସେ ଶାନ୍ତି ମଧ୍ୟ ଲାଭ କରିଥାଏ ।


    ଈଶ୍ୱର ପ୍ରାପ୍ତି ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି ନିଜକୁ ଜାଣିବା । ନିଜକୁ ଜାଣିଲେ, ନିଜ ମଧ୍ୟରେ ଲୁକ୍‌କାୟିତ ଅବସ୍ଥାରେ ଥିବା ସେହି ଐଶ୍ୱରୀୟ ସତ୍ତାକୁ ଅନୁଭବ କରିପାରିଲେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ସନ୍ଧାନ ପାଇପାରିବ । ଏଥିପାଇଁ ବ୍ୟକ୍ତିକୁ ପ୍ରଥମେ ଅନ୍ତର୍ମୁଖୀ ହେବାକୁ ପଡ଼ିବ । ସଂସାରର ମୋହ, ମାୟା ଇତ୍ୟାଦିକୁ ବାଦ୍‌ ଦେବାକୁ ହେବ । ଆତ୍ମଜ୍ଞାନ ହିଁ ସମସ୍ତଙ୍କୁ ମୁକ୍ତିର ପଥ ଦର୍ଶାଇଥାଏ । ଏହାକୁ ହାସଲ କରିବାକୁ ହେଲେ ବ୍ୟକ୍ତିକୁ ସଂଯମୀ ହେବାକୁ ପଡ଼ିବ। ବାସ୍ତବ ସତ୍ୟର ସାମ୍ନା କରିବା ନିମନ୍ତେ ତାକୁ ଯଥେଷ୍ଟ ଧୈର୍ଯ୍ୟ ରଖିବାକୁ ହେବ । ସେହିଭଳି ନିଜ ମଧ୍ୟରେ ଥିବା ସମସ୍ତ ଦୁର୍ଗୁଣ ଯଥା କାମ, କ୍ରୋଧ, ଗର୍ବ, ଲୋଭ, ଅହମିକା ଇତ୍ୟାଦିକୁ ଚିହ୍ନଟ କରି ସେଗୁଡ଼ିକର ବିନାଶ କରିବାକୁ ହେବ । ଏସବୁ କଲେ ଯାଇ ବ୍ୟକ୍ତିଜଣକର ନିଜ ସହିତ ସାକ୍ଷାତକାର ହୋଇପାରିବ ଏବଂ ସେ ଆତ୍ମଜ୍ଞାନ ମଧ୍ୟ ଲାଭ କରିପାରିବ । ଆତ୍ମାସାକ୍ଷାତକାରର ଏହି ପଥରେ ମନୁଷ୍ୟ ସବୁଠୁ ବଡ଼ ବାଧକ ହୁଏ ତାର ଅହଂକାର ତାର "ମୁଁ' ତ୍ୱ । ଏହା ଉପରେ ବିଜୟ ପାଇବା ବଡ଼ କଠିନ ।

       ଏହା ମଣିଷକୁ ସର୍ବଦା କୁପଥକୁ ଟାଣିନିଏ । ମନୁଷ୍ୟ ମନରେ ସଂକୀର୍ଣ୍ଣତା ସୃଷ୍ଟି କରେ । ଫଳରେ ମନୁଷ୍ୟର ବିଷୟ ଆସକ୍ତି କମେ ନାହିଁ କିମ୍ବା ତା ମଧ୍ୟରେ ଐଶ୍ୱରୀୟ ଚେତନା ଜାଗ୍ରତ ହୋଇପାରେ ନାହିଁ  । ତେଣୁ ନିଜକୁ ଜାଣିବାକୁ ହେଲେ ପ୍ରଥମେ ନିଜର ଅଂହଭାବକୁ ତ୍ୟାଗ କରିବାକୁ ପଡ଼ିବ । ଅନ୍ୟର ଦୋଷତ୍ରୁଟି ଦେଖିବା ଅପେକ୍ଷା ନିଜର ଭୁଲ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ । ନିଜର ଆଚରଣ ଉଚ୍ଚାରଣ ତଥା କର୍ମରେ ଯେପରି ଅନ୍ୟ କାହାର କ୍ଷତି ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ । ଏସବୁ ପରେ ବ୍ୟକ୍ତିକୁ ପ୍ରତିଦିନ ନିଜ ସହ ବେଶ୍‌ କିଛି ସମୟ ଏକାନ୍ତରେ ବିତାଇବାକୁ ପଡ଼ିବ । ଏହି ସମୟ ମଧ୍ୟରେ ନିଜ ମନରେ ଆସୁଥିବା ଭାବନାକୁ ବିଶ୍ଲେଷଣ କରିବାକୁ ପଡ଼ିବ । ବାରମ୍ବାର ଏପରିକରିବା ଦ୍ୱାରା ବ୍ୟକ୍ତିଜଣକର ଆଚରଣ ଶୁଦ୍ଧପୂତ ହେବା ସହ ଈଶ୍ୱରଙ୍କ ନିକଟରେ ପହଞ୍ଚି ବାର ପଥ ସୁଗମ ହେବ ।

ମୋ : ୯୮୬୧୧୧୮୬୭୩