ଟ୍ରମ୍ପ୍ଙ ଟାରିଫ୍

ଜୋ ବାଇଡ଼େନ୍ଙ୍କୁ ପରାସ୍ତ କରି ଡ଼ୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ହେବା ପରେ ନିଜର ବିଜୟକୁ ନେଇ ସେ ଯେଉଁସବୁ ପଦକ୍ଷେପ ନେଉଛନ୍ତି ସେଥିମଧ୍ୟରୁ ବିଭିନ୍ନ ଦେଶରୁ ଆମେରିକାକୁ ଆମଦାନୀ ହେଉଥିବା ପଦାର୍ଥ ଗୁଡ଼ିକ ଉପରେ ଶୁଳ୍କ ବୃଦ୍ଧି ଅନ୍ୟତମ । ଏଭଳି ଏକ ନିଷ୍ପତ୍ତି ଟ୍ରମ୍ପ୍ କାହିଁକି ଯେ ନେଲେ ତାହା ବର୍ତ୍ତମାନ ବୁଝିବା ସମ୍ଭବ ନୁହେଁ । ହେଲେ ଆମଦାନୀ ଶୁଳ୍କ ବୃଦ୍ଧି କରି ଟ୍ରମ୍ପ୍ ଅନେକ ଦେଶର ଅର୍ଥନୀତିକୁ ଏକ ଝଟ୍କା ଦେଇଛନ୍ତି । ତେବେ ଏ ଝଟକା ଅନ୍ୟ ରାଷ୍ଟ୍ର ଗୁଡ଼ିକ ପାଇଁ ଯେତିକି ମହଙ୍ଗା ନହୋଇଛି, ଆମେରିକା ପାଇଁ ମଧ୍ୟ ଏକ ପାଲଟା ଝଟକା ଲାଗିଛି । ଏହି ଟାରିଫ୍ ବଢ଼େଇବା କାରଣରୁ ଆମେରିକାର ଅର୍ଥନୀତିକୁ ଏକ ପ୍ରକାରର ଅନିଶ୍ଚିତତାର ବାତାବରଣ ଘେରିଛି ।
୧୯୨୯ ମସିହାରେ ଆମେରିକାର ନୁ୍ୟୟର୍କ ଷ୍ଟକ୍ ଏକ୍ସଚେଞ୍ଜ୍ ଭୁଶୁଡ଼ି ପଡ଼ିଥିଲା ଏବଂ କାରଖାନା ବନ୍ଦ ହୋଇ ଯାଇଥିଲା । ବେକାରୀ ସ୍ଥିତି ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା । ଏ ପ୍ରକାରର ଏକ ମାନ୍ଦାବସ୍ଥା ୧୯୩୦ରେ ଆରମ୍ଭ ହେଲା ଏବଂ ଏଭଳି ଆର୍ଥôକ ସଙ୍କଟରୁ ମୁକୁଳିବା ପାଇଁ ନେତାମାନେ ସମାଧାନର ବାଟ ଖୋଜୁଥିଲେ । ଏଥିପାଇଁ ବିଦେଶୀ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇ ଆମେରିକୀୟ ଶିଳ୍ପ ଗୁଡ଼ିକୁ ଉତ୍ସାହିତ କରାଯିବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଲେ । ୧୯୩୦ରେ ସୁରୁଟ୍ ହାଲି, ଟାରିଫ୍ ଆଇନ୍ ପାସ୍ କରି ୨୦ ହଜାରରୁ ଅଧିକ ବିଦେଶୀ ଉତ୍ପାଦନ ଉପରେ ଉଚ୍ଚ ଦରର ଶୁଳ୍କ ଲଗାଗଲା । ପରେ ଦେଖାଗଲା ଯେ ଏ ପ୍ରକାରର ଶୁଳ୍କ ବୃଦ୍ଧି ଯୋଗୁଁ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ଆମେରିକୀୟ ଦ୍ରବ୍ୟ ଉପରେ ଅହେତୁକ ଭାବରେ ଶୁଳ୍କ ବୃଦ୍ଧି କରି ଦେଲେ । ଫଳରେ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଗଲା । ଯଦ୍ୱାରା ଆମେରିକାର ରପ୍ତାନୀ ଦ୍ରୁତ ଗତିରେ ହ୍ରାସ ପାଇଲା ଏବଂ ଅନେକ ଶିଳ୍ପ କାରଖାନା ବନ୍ଦ ହୋଇଗଲା । ବିଶ୍ୱ ବାଣିଜ୍ୟ କାରବାର ମଧ୍ୟ ଏଥିରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା । ଏବେ ଡ଼ୋନାଲ୍ଡ ଟ୍ରମ୍ପ୍ ଠିକ୍ ସେହି କଥାର ପୁନରାବୃତ୍ତି କରୁଛନ୍ତି । ଏହା ତାଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ହେବ । ଯେଉଁ ରାଷ୍ଟ୍ର ଗୁଡ଼ିକ ବିରୁଦ୍ଧରେ ସେ ଟାରିଫ୍ ଯୁଦ୍ଧ ଆରମ୍ଭ କରି ଦେଇଛନ୍ତି ବର୍ତ୍ତମାନ ସେହି ରାଷ୍ଟ୍ର ଗୁଡ଼ିକ ଆମେରିକୀୟ ଦ୍ରବ୍ୟ ଉପରେ ମଧ୍ୟ ଉଚ୍ଚ ଦରର ଟିକସ ଲଗାଇ ଦେଇଛନ୍ତି । ବର୍ତ୍ତମାନ ଆମେରିକାର ଶୁଳ୍କ ନୀତିକୁ ନେଇ ଚୀନ୍, କାନାଡ଼ା, ମେକ୍ସିକୋ ଏବଂ ୟୁରୋପୀୟ ଦେଶ ମଧ୍ୟରେ ଶୁଳ୍କ ଯୁଦ୍ଧ ଲାଗିଗଲାଣି । ତେବେ ଏପରି ଏକ ଶୁଳ୍କ ଯୁଦ୍ଧରେ ଭାରତର ଯୋଗଦାନ ବିଶ୍ୱର ଅନେକ ଦେଶକୁ ଅସୁବିଧାରେ ପକାଇବା ସହିତ ଆମେରିକାକୁ ମଧ୍ୟ ଅସୁବିଧାରେ ପକାଇବ । ଆଉ ଭାରତ ଇସ୍ପାତ ଉତ୍ପାଦନ ଉପରେ ଶୁଳ୍କ ବୃଦ୍ଧି କରିବା ପାଇଁ ଯାଉଛି । ୨୦୦ ଦିନ ପାଇଁ ଏହି ଶୁଳ୍କ ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି । ଏପରି କରାଗଲେ ଚୀନ୍ ଦକ୍ଷିଣ କୋରିଆ ଏବଂ ଜାପାନ୍ ପାଇଁ ଏକ ବଡ଼ଧରଣର ଆହ୍ୱାନ ସୃଷ୍ଟି କରିବ । ଏହି ଦେଶ ଗୁଡ଼ିକରୁ ଭାରତ ୭୦ ପ୍ରତିଶତରୁ ଅଧିକ ଇସ୍ପାତ ଆମଦାନୀ କରୁଛି । ଘରୋଇ ଇସ୍ପାତକୁ ବର୍ଦ୍ଧିତ ଆମଦାନୀ ଶୁଳ୍କରୁ ସୁରକ୍ଷା ଦେବା ପାଇଁ କେତେକ ନିର୍ଦ୍ଧିଷ୍ଟ ଇସ୍ପାତ ଉତ୍ପାଦିତ ପଦାର୍ଥ ଉପରେ ଦୁଇ ଶହ ଦିନ ପାଇଁ ପରୀକ୍ଷାମୂଳକ ଭାବରେ ୧୨ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଡ଼ାଇରେକ୍ଟର ଜେନେରାଲ୍ ଅଫ୍ ଟ୍ରେଫ୍ ଟ୍ରେଡ୍ ରେମିଡ଼ିସ୍ ମତ ଦେଇଛନ୍ତି ।  ଆମେରିକା ଏକ ବିକଶିତ ଦେଶ । ଅର୍ଥନୀତି କ୍ଷେତ୍ରରେ କୌଣସି ସମସ୍ୟା ଦେଖା ଦେଲେ ତାକୁ ସମ୍ଭାଳି ନେବାର କ୍ଷମତା ତାର ଅଛି । ଅଥଚ ଏଭଳି ଏକ ବାଣିଜ୍ୟ ଯୁଦ୍ଧରେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ଯୋଗ ଦେବା ପୂର୍ବରୁ ଶହେ ଥର ଚିନ୍ତା କରିବା ଉଚିତ୍ ।