ଜୁଆ ଆଡ୍ଡା ଉପରେ ଚଢାଉ : ୫ ଜୁଆଡି ଗିରଫ, ଟଙ୍କା ଓ ପାଲି ଜବତ
ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ବଡକେରକୋ ଗ୍ରାମ ମହାଦେବ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଜାଗର ମେଳା ପଡ଼ିଆରୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଟିମ୍ ୫ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୯ ହଜାର ୧୦୦ ଟଙ୍କା, ଜୁଆ ପାଲି ଓ ଗୋଟି ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ବଡ଼ସାହି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୁଲିସର ଜ୍ଞାତରେ ଓ ତଳିଆ କର୍ମଚାରୀଙ୍କ ସଲାସୁତୁରାରେ ଖୋଲମ୍ ଖୋଲା ଜୁଆ ଖେଳ ସହ କୁକୁଡ଼ା ଲଢ଼େଇ ଚାଲୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସରକାରଙ୍କ ନୂତନ ଯୋଜନା ଅନୁସାରେ ଗତକାଲି ଶିବରାତ୍ରି ମେଳା ବଡ଼କେରକୋ ଠାରେ ଜୁଆ ଖେଳ ଚାଲୁଥିବା ବେଳେ ସ୍ଥାନୀୟ ଲୋକେ ବଡ଼ସାହି ପୁଲିସକୁ ଖବର ନ ଦେଇ ୧୧୨ ନମ୍ବରକୁ ସିଧାସଳଖ ଫୋନ୍ କରି ଜଣାଇଥିଲେ । ମାତ୍ର କିଛି ସମୟ ପରେ ଏକ ପୁଲିସ ଟିମ୍ ସେଠାରେ ପହଞ୍ଚି ଚଢାଉ କରିଥିଲେ । ୫ ଅଭିଯୁକ୍ତ ସମେତ ଜୁଆ ପାଲି ଓ ନଗଦ ଟଙ୍କା ଆଣି ସେହି ରାତିରେ ହିଁ ବଡ଼ସାହି ଥାନାରେ ଦେଇଥିଲେ । ଏବେ ଥାନାରେ ଯୋଗ ଦେଇଥିବା ନୂତନ ଥାନା ଅଧିକାରୀ ଜୁଆ ଖେଳ ଓ କୁକୁଡ଼ା ଲଢ଼େଇ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବା ପାଇଁ ସାଧାରଣ ଜନତା ଉସôୁକତାର ସହିତ ଅପେକ୍ଷା କରିଛନ୍ତି । ଗିରଫ ଅଭିଯୁକ୍ତ ବଡ଼କେରକୋ ଗ୍ରାମର ବିଜୁ ମହାନ୍ତ, ଦୁର୍ଲଭ ମହାନ୍ତ, କମଲାଶୋଳ ଗ୍ରାମର ସନାତନ ସିଂ, ଶିବାନନ୍ଦ ସିଂ ଏବଂ ନରଣପୁର ଗ୍ରାମର ରାଜୁ ମଣ୍ଡଳଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।