କୋର୍ଟ ପେସ୍କାରଙ୍କ ଘରୁ ଲୁଟ୍ ଘଟଣା : ୨ମାସ ପରେ ବି ପୁଲିସ୍ ହାତ ଖାଲି 

 ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ବାଲିଆମୁଣ୍ଡୁଳିରେ ରହୁଥିବା ଯାଜପୁର ଅତିରିକ୍ତ ଜିଲା ଦୌରାଜଜଙ୍କ ପେସ୍କାରଙ୍କ ଘରୁ ଗତ ଅକ୍ଟୋବର୨୮ତାରିଖ ଝରକା ତାଡି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ ହୋଇଥିଲା । ଏନେଇ ଯାଜପୁର ଅତିରିକ୍ତ ଜିଲା ଦୌରାଜଜଙ୍କ ପେସ୍କାର ଉମାକାନ୍ତ ସାମଲ ଯାଜପୁର ସଦର ଥାନାରେ ଲିଖିତ ଏତଲା କରିଥିଲେ । ୨୮ତାରିଖ ଘରେ କେହି ନଥିବା ବେଳେ ପ୍ରାୟ ୧୧.୪୫ ମିନିଟ୍ରୁ ୧ଘଟିକା ମଧ୍ୟରେ ୩ଜଣ ଦୁର୍ବୃତ୍ତ ପେସ୍କାରଙ୍କ ଘର ଝରକା ତାଡି ନଗଦ ଲକ୍ଷାଧିକ ଟଙ୍କା ସହ ୩ଟି ସୁନାମୁଦି, ୨ଟି ସୁନା ଚୁଡି, ଆଲମିରା ଭାଙ୍ଗି ଲୁଟ୍ି ନେଇଥିଲେ । ଲୁଟ୍ ଘଟଣାକୁ ୨ମାସ ବିତିଲାଣି । ଯାଜପୁର ସଦର ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ଜଣାପଡିଛି । ଲୁଟ୍ ସମୟର ଘଟଣା ସିସିଟିଭି ଦ୍ୱାରା କ୍ୟାପ୍ଚର ହୋଇଥିବା ବେଳେ ୨ଜଣ ଦୁର୍ବୁତ ଝରକା ତାଡି ଘର ଭିତରକୁ ପଶିଥିବା ବେଳେ ଅନ୍ୟଜଣେ ଦୁର୍ବୃତ୍ତ ବାହାରେ ରହିଥିବା ଜଣାପଡିଥିଲା । ଏହି ସିସି ଟିଭି ଫୁଟ୍ଜେ ସହ ସମସ୍ତ ତଥ୍ୟ ପେସ୍କାର ସାମଲ ଯାଜପୁର ସଦର ଥାନା ଅଧିକାରୀଙ୍କୁ ଜଣାଇଥିବା ବେଳେ ଥାନାଧିକାରୀ ଥାନା କେସ ନଂ୨୮୫/୨୪ ଭାରତୀୟ ନ୍ୟାୟ ସଂହିତା ଧାରା ୩୩୧(୩)/୩୦୫(କ) ରୁଜୁ କରି ଏସଆଇ ଗୋବର୍ଦ୍ଧନ ନାୟକଙ୍କୁ ତଦନ୍ତ ଭାର ଦେଇ ଚୁପ୍ଚାପ ବସିରହିଥିବା ଜଣାପଡିଛି । ଏସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପେସ୍କାର ସାମଲ ଅତିରିକ୍ତ ଏସପିଙ୍କୁ ଦେଖାକରି ତାଙ୍କର ଅଭିଯୋଗ ଦେବାପରେ ମଧ୍ୟ କୌଣସି ଠୋସ୍ କାର୍ଯ୍ୟନୁଷ୍ଠାନ ହୋଇପାରିନାହିଁ । ପରେ ଯାଜପୁର ଏସପିଙ୍କୁ ଭେଟି ଏସଂପର୍କରେ ଅଭିଯୋଗ କରିବା ପରେ ଏସପି ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇବେ ବୋଲି କହିଥିଲେ ମଧ୍ୟ ଆଜି ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଲୁଟ୍ର ସମସ୍ତ ତଥ୍ୟ ଓ ପ୍ରମାଣ ସିସି ଟିଭିରେ କଏଦ୍ ହୋଇଥିବା ବେଳେ କୌଣସି ଲୁଟେରା ଧରାନପଡ଼ିବା ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି ।