ଜୋର୍ ଧରିଲା ବୋରିକିନା ବ୍ଳକ ଦାବି
ଏରସମା : ନୂଆ ବ୍ଳକ ଗଠନ ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେବା ପରେ ଏବେ ବ୍ଳକ ଗଠନ ଦାବି ଜୋର ଧରିବାରେ ଲାଗିଲାଣି । ବାଲିକୁଦା ସ୍ୱାଧୀନତା ସଂଗ୍ରାମର ସ୍ମାରକୀ ବହନ କରୁଥିବା ବୋରିକିନାରେ ଏକ ବ୍ଲକ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦୀର୍ଘଦିନରୁ ସରକାର ଓ ଲୋକପ୍ରତିନିଧିଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲାପରିଷଦ ସଭ୍ୟା ରୁନିଲତା ବେହେରା ଏକ ପ୍ରେସ ବିବୃତ୍ତିରେ ବୋରିକିନା ଠାରେ ଏକ ନୂତନ ବ୍ଲକ ପ୍ରତିଷ୍ଠା କରାଗଲେ ଏରସମା ଓ ବାଲିକୁଦାର ୧୭ଟି ପଞ୍ଚାୟତ ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି । ଶ୍ରୀମତୀ ବେହେରା କହିଛନ୍ତିଯେ, ଏରସମା ବ୍ଲକର ପଦ୍ମପୁର, ଗଡ଼ ହରିଶପୁର, ଗୋଡା, ଜାନକାଦେଇପୁର, ନାରଦିଆ, ସୋମପୁର, ପଏଦା ଓ ବାଲିକୁଦା ବ୍ଲକର ରାହାଣ, ଅଳାଭର, ବଡଗାଁ, ଥାଇଳ, ବାହାରଣା, ତଣ୍ଡିକୁଳ ପ୍ରଭୃତି ପଞ୍ଚାୟତକୁ ନେଇ ବୋରିକିନା ବ୍ଳକ ଗଠନ କରିବା ଦରକାର । ଗମନାଗମନ ଦୃଷ୍ଟିକୋଣରୁ ବୋରିକିନା କମ ବାଟ ଓ ସୁବିଧାଜନକ ହେବା ସହିତ ଅଞ୍ଚଳବାସୀ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏଦିଗରେ ବୋରିକିନା ଠାରେ ପ୍ରଶାସନିକ ସୁବିଧା ଓ ଏସବୁ ପଞ୍ଚାୟତବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବା ସହିତ ବୋରିକିନା ଠାରେ ନୂତନ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ।