ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ‘ଶ୍ରଦ୍ଧାଞ୍ଜଳି’


ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ତାଳଚେର ହାଣ୍ଡିଧୂଆଁ ସ୍ଥିତ ବାସଭବନରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସମେତ ଉତ୍ତରାଖଣ୍ଡ, ବିହାର ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଶୋକପ୍ରକାଶ କରିଛନ୍ତି । ଏହି ଅବସରରେ ଡା. ପ୍ରଧାନ ରାଜନୀତିରେ ଛାଡିଥିବା ଛାପ, ତାଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ ଏବଂ ସାମାଜିକ- ରାଜନୈତିକ ଦୃଶ୍ୟପଟ୍ଟରେ ତାଙ୍କର ସରଳ ଓ ଅମାୟିକ ବ୍ୟବହାରକୁ ସମସ୍ତେ ସ୍ମୃତିଚାରଣ କରିଥିଲେ ।
 
ପୁଷ୍କର ସିଂହ ଧାମୀ (ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ସାର୍ବଜନୀନ ଜୀବନକୁ ଓଡ଼ିଶା ଓ ଦେଶର ଲୋକମାନେ ଜାଣିଛନ୍ତି । ସେ ଆଜୀବନ ଲୋକଙ୍କ ଭଲ ପାଇଁ, ଲୋକଙ୍କୁ ଆଗକୁ ଆଣିବା ପାଇଁ ସାହାଯ୍ୟ କରିଥିଲେ । ଗରିବ ଏବଂ ଶ୍ରମିକଙ୍କ ସାଥୀରେ ରହୁଥିଲେ ।ସେହି କାମକୁ ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢାଉଛନ୍ତି । ତାଙ୍କର ବିୟୋଗ ଦେଶ, ଦଳ ଏବଂ ସମାଜ ପାଇଁ ଅପୂରଣୀୟ କ୍ଷତି ।
ନବୀନ ଜିନ୍ଦଲ (କୁରୁକ୍ଷେତ୍ର ଲୋକସଭା ସାଂସଦ/ବିଶିଷ୍ଟ ଶିଳ୍ପପତି)
ଡା. ଦେବେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କ ଆଦରଣୀୟ ଥିଲେ । ସେ ତିନି ଥର ଓଡ଼ିଶା ବିଜେପିର ସଭାପତି ସମେତ ସାଂସଦ ଏବଂ ମନ୍ତ୍ରୀ ଥିଲେ । ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ଦେଶ ଏବଂ ଲୋକଙ୍କ ସେବାରେ ସମର୍ପିତ କରିଥିଲେ । ସେ ଦେଖାଇଥିବା ରାସ୍ତାରେ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଦେଶର ବିକାଶ କରୁଛନ୍ତି ।
ସତୀଶ ଚନ୍ଦ୍ର ଦୁବେ (କେନ୍ଦ୍ରମନ୍ତ୍ରୀ)
ଓଡ଼ିଶାରେ ବିଜେପିକୁ ଗଢିବାରେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଅବର୍ଣ୍ଣନୀୟ । ତାଙ୍କର ଆବର୍ତ୍ତମାନ ପୂର୍ବରୁ ଓଡ଼ିଶାରେ ବିଜେପିର ସରକାର ମଧ୍ୟ ହେଲା । ତାଙ୍କୁ ମୋର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି । 
ପଦ୍ମଶ୍ରୀ ଅଦ୍ୱ÷ତ ଚରଣ ଗଡନାୟକ (ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି, ଏହା ହିଁ ତାଙ୍କ ସଫଳତାର ଓ ଭୂମିକାର ପ୍ରତିଫଳନ । ଛୋଟ ଗାଁରୁ ଆରମ୍ଭ କରି ସେ ଦେଶକୁ ପରମ ବିଭବରେ ପପହଞ୍ଚାଇବାର ଚିନ୍ତାଧାରା ଥିଲା । କାର୍ଯ୍ୟକର୍ତ୍ତାଙ୍କୁ ନିଜର କରିନେବା ସହ ସେମାନଙ୍କୁ ଆଗକୁ ବଢାଇବା ପାଇଁ ସେ ପ୍ରୟାସ କରୁଥିଲେ । ଡା. ପ୍ରଧାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ପ୍ରଧାନ ତିଆରି ହୋଇଛନ୍ତି ।
ବିପ୍ଳବ ଦେବ (ତ୍ରିପୁରା ସାଂସଦ) 
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କର ସମ୍ପୂର୍ଣ୍ଣ ଜୀବନ ଜନସେବା ଓ ଦଳକୁ ସଶକ୍ତ କରିବା ଦିଗରେ ସମର୍ପିତ ଥିଲା । ବିଜେପିର ସଂଗଠନକୁ ସମ୍ପ୍ରସାରଣ କରିବା ସହ ରାଷ୍ଟ୍ର ହିତରେ ତାଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ ।
ନୀରଜ କୁମାର ସିଂହ (ବିହାର ମନ୍ତ୍ରୀ)
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ସଶକ୍ତ କରିବା ସହିତ ଜନସେବାରେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଅବିସ୍ମରଣୀୟ ହୋଇ ରହିବ । ଈଶ୍ୱରର ଦିବଙ୍ଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ।
ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅନେକ ଦାୟିତ୍ୱ ନେଇ ଦେଶକୁ ଆଗକୁ ବଢାଇବା ଦିଗରେ କାମ କରିଛନ୍ତି ।
ଧର୍ମବୀର ସିଂହ (ହରିୟାଣା ସାଂସଦ) 
କେନ୍ଦ୍ରୀମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ପିତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ରାଜନୀତିରେ ଏକ ଅପୁରଣୀୟ କ୍ଷତି ।  ଭଗବାନ ଡା. ପ୍ରଧାନଙ୍କୁ ପୁର୍ନଜନ୍ମ ଦିଅନ୍ତୁ, ଏହା କାମନା ।    
କିରଣ ସିଂହ ଚୌଧୁରୀ (ରାଜ୍ୟସଭା ସାଂସଦ)  
କେନ୍ଦ୍ରୀମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତାଜୀ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ । ତାଙ୍କର ସମ୍ପୂର୍ଣ୍ଣ ଜୀବନ ରାଷ୍ଟ୍ର ଏବଂ ସମାଜ ସେବା ପ୍ରତି ସମର୍ପିତ । ଈଶ୍ୱର ଦିବଙ୍ଗତ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ।
ବଲରାଜ ପାଶି (ଉତ୍ତରାଖଣ୍ଡ ପୂର୍ବତନ ସାଂସଦ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ତପସ୍ୟା କାରଣରୁ ଆଜି ଓଡ଼ିଶାରେ ବିଜେପିର ସରକାର ହୋଇଛି । ତାଙ୍କର ତ୍ୟାଗ ଓ ବଳିଦାନ କାର୍ଯ୍ୟକର୍ତ୍ତାଙ୍କୁ ଅନୁପ୍ରାଣିତ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ସହ ବିଦ୍ୟାର୍ଥୀ ପରିଷଦ ସହ ଜଡ଼ିତ ଥିବାରୁ ତାଙ୍କର ସହ ସମ୍ପର୍କ ରହିଛି । 
ଅନ୍ୟପଟେ  ମନ୍ତ୍ରୀ ଜିବେଶ କୁମାର, ରାଜ୍ୟସଭା କାର୍ତ୍ତିକ ଶର୍ମା, ସାଂସଦ ଡକ୍ଟର ଅନିଲ ଗୁପ୍ତା ଓ ହରିୟାଣାର ବିଜେପି ସାଧାରଣ ସମ୍ପାଦକ ଡକ୍ଟର ଅର୍ଚ୍ଚନା ଗୁପ୍ତା ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।