ଡିଆଇଇଟି ପକ୍ଷରୁ ଉଲ୍ଲାସ କାର୍ଯ୍ୟକ୍ରମ

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ରାଜ୍ୟସ୍ତରରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଥିବା ଉପଲକ୍ଷେ ଢେଙ୍କାନାଳ ଡିଆଇଇଟି ପକ୍ଷରୁ "ଉଲ୍ଲାସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ର, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ଡ଼ଃ ସୁସନ୍ଧ୍ୟା ମହାନ୍ତି, ପୌର୍ଣ୍ଣମାସୀ ମହାପାତ୍ର ଓ ହିନେ୍ଦାଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନିଜଣ ସିଆରସିସି ରାଜେଶ କୁମାର ସାହୁ, ଦିପୁନା ପକ୍ଷତ୍ର ଓ ମହେଶ୍ୱର ସାହୁଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ଶିକ୍ଷକ ଓ ସିଆରସିସିମାନେ ଡିଆଇଇଟିର ଏହି ସଫଳତାରେ ଅଧ୍ୟକ୍ଷଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳିତ ନୁ୍ୟଜ୍ ଲେଟର "ନଟିଆ’କୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପ୍ରାଚୀର ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା "ଉଲ୍ଲାସ'କୁ ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ଅନାବରଣ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ କଲ୍ୟାଣୀ ସାହୁ ସଂଯୋଜନା କରିଥିବାବେଳେ ସ୍ନେହଲତା ରାଜ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ  । ଅନ୍ୟତମ ପ୍ରଶିକ୍ଷିକା ସୌମ୍ୟା ପଟ୍ଟନାୟକ, ବିଦୁ୍ୟତ୍ପ୍ରଭା ଶତପଥି ଓ ସ୍ୱାଗତିକା ସ୍ୱାଇଁ ଅନୁଭୂତି ବିତରଣ କରିଥିବାବେଳେ ପ୍ରଭାତୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବନ୍ଧରେ ବିଶଦ ଆଲୋଚନା ରଖିଥିଲେ । ଶେଷରେ ପ୍ରଭାତୀ ଦଳେଇ ଧନ୍ୟବାଦ ଦେଇଥିଲେ ।