ପୁରୀରୁ ଅପହୃତ ନାବାଳକ ଉଦ୍ଧାର
ସୋନପୁର : ଉତ୍ତର ପ୍ରଦେଶର ଦୁର୍ବୃତ୍ତଙ୍କ ଦ୍ୱାରା ଅପହୃତ ସୋନପୁରର ନଅ ବର୍ଷର ନାବାଳକକୁ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍ ସାମ୍ନାରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁରୀରୁ ଖସି ଯାଇଛନ୍ତି । ତେବେ ସେମାନେ ବ୍ୟବହାର କରୁଥିବା କାର ଓ ଏକ ମାଉଜରକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ପୁଲିସ ଜବତ କରିଛି ।
ଗତ ୭ ତାରିଖ ରବିବାର ରାତିରେ ସୋନପୁର ସହର ୧୦ ନମ୍ବର ୱାର୍ଡÿର ପଟାଭାଡ଼ିର ନାବାଳକ ଆୟୁଷ ନିକଟସ୍ଥ ଏକ ଫାଷ୍ଟଫୁଡ ଦୋକାନକୁ ଚାଉମିନ ଖାଇବାକୁ ଯାଇଥିଲା । ସେଠାରୁ ବାଳକକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ରବିବାର ରାତି ୧ଟାରେ ଥାନାରେ ଅଭିଯୋଗ କରିଥିଲେ । ଯାହାକି ୨୦ଲକ୍ଷ ଟଙ୍କା ଦାବି କରି ଦୁବୃର୍ତ୍ତ ବାରମ୍ବାର ଫୋନ୍ ମାଧ୍ୟମରେ ବାପା ଶ୍ରଦ୍ଧାକର ନାଏକଙ୍କୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ସୁବର୍ଣ୍ଣପୁର ପୁଲିସ ଏକ ମାମଲା ରୁଜୁ କରି ତିନି ଗୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଏବଂ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଏସ୍ପି ପ୍ରତୀକ ସିଂହ ଓ ସିଟିଡିଏସପିଙ୍କ ଉଦ୍ୟମରେ ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇଥିଲେ । ପୁଲିସ ଡିଜି ଏବଂ ଉତ୍ତରାଞ୍ଚଳ ଆଇଜିଙ୍କ ତତ୍ୱାବଧାନରେ ପୁରୀ ଓ ସୁବର୍ଣ୍ଣପୁର ଏସପିଙ୍କ ଉଦ୍ୟମରେ ଦୁଇଟି ସାଇବର ଟିମଙ୍କ ପ୍ରଚେଷ୍ଟାରେ ଅପହୃତ ନାବାଳକକୁ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍ ସାମ୍ନାରୁ ଉଦ୍ଧାର କରାଯାଇଥିବା ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଏକ ଖବର ଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।