ତୁଳସୀ ମହିଳା କଲେଜରେ ସ୍ୱାଗତ ଉତ୍ସବ

କେନ୍ଦ୍ରାପଡା : ତୁଳସୀ ମହିଳା ମହା କଲେଜର +୨ ପ୍ରଥମ ବର୍ଷ ଛାତ୍ରୀଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ କଲେଜ ଅଧ୍ୟକ୍ଷ ଡ. ମଥୁରି ଚରଣ ନାୟକ ଅଧ୍ୟକ୍ଷତା କରି ନବାଗତା ଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । କଲେଜ ପ୍ରଶାସନିକ ଅଧିକାରୀ ସବିତା ଦାସ ଶୃଙ୍ଖଳିତ ଜୀବନଶୈଳୀ ଓ କର୍ତବ୍ୟ ଭାବେ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । କଲେଜର ବିତୀୟ ଅଧିକାରୀ ଡ. ମମତା ସାହୁ ସମୟାନୁବର୍ତିତା ଉପରେ ଗୁରୁତ୍ୱ ଦେଇଥିଲେ । ଶୈକ୍ଷିକ ଅଧିକାରୀ ଡ. ପଦ୍ମଜା କବି ଶତପଥୀ ନିୟମିତ କ୍ଲାସ୍ କରିବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ଦାସ ଛାତ୍ରୀ ମାନଙ୍କୁ ନୂତନ ପରିବେଶ ସହ ଖାପ ଖୁଆଇ ଆଗକୁ ଯିବାର ଦିଗ୍ଦର୍ଶନ ଦେଇଥିଲେ । ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଏରିକା ମହାନ୍ତି ଛାତ୍ରୀଙ୍କ ସଫଳତା କାମନା ପୂର୍ବକ ନିଜର ଅଭିମତ ପ୍ରଦାନ କରିଥିଲେ । +୨ ଆଡ୍ମିଶନର ମୁଖ୍ୟ ଓ ସମାଜ ବିଜ୍ଞାନର ଅଧ୍ୟାପିକା ବିଜୟଲକ୍ଷ୍ମୀ ଜେନା ମଂଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ସୌମ୍ୟକାନ୍ତି ମିତାଶ୍ରୀ, ଦୀପ୍ତିପ୍ରଭା ସେଠୀ, ବନ୍ୟା ବେହେରା, ଅଧ୍ୟାପକ ରଞ୍ଜିତ୍ ଦାସ, ପ୍ରଭାକର ମଲ୍ଲିକ୍ ପ୍ରମୁଖ ସହଯୋଗ କରିଥିବା ବେଳେ +୨ ଶ୍ରେଣୀର ନବାଗତା ଛାତ୍ରୀ ସେମାନଙ୍କର ଅଭିଭାବକ ମାନେ ଉପସ୍ଥିତ ଥିଲେ ।