ଥାନାରେ ହ୍ୟୁମାନଙ୍କ ମା’ଙ୍କ ଏତଲା  : ‘ମୋ ପୁଅକୁ ମାରି ଦେଇଛନ୍ତି’

ଥାନାରେ ହ୍ୟୁମାନଙ୍କ ମା’ଙ୍କ ଏତଲା  : ‘ମୋ ପୁଅକୁ ମାରି ଦେଇଛନ୍ତି’
  • ଏତଲାରେ ଅଛି ବୋହୂର ନାମ

  • ଏଫଆଇଆରରେ ଶୁଭେନ୍ଦୁ ଓ ଅର୍ପିତାଙ୍କ ସମେତ ୯

କଟକ : ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମା’। କଟକ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶେଫାଳୀ ସୁନା । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ମା ଶେଫାଳି ସୁନା ଅଭିଯୋଗ ଆଣିଛନ୍ତି । ଏତଲାରେ ୯ ଜଣଙ୍କ ନାମ ଉଲ୍ଳେଖ କରାଯାଇଛି । ବୋହୁ ଶ୍ରେୟା ମିଶ୍ରଙ୍କ ନାମ ବି ରହିଛି । ସେହିପରି ଡକ୍ଟର ଶୁଭେନ୍ଦୁ ମିଶ୍ର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସୋମେଶ ତ୍ରିପାଠୀ, ଦିନେଶ ବେହେରା, ମହମ୍ମଦ ଆବିଦ (ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ନାମ ବି ଉଲ୍ଳେଖ ରହିଛି । ପ୍ରଶାନ୍ତ, ଲୁଲୁ ଓ ଜଗଦୀଶଙ୍କ ଭୂମିକାକୁ ଅଣଦେଖା ନକରିବାକୁ ବି ସେ ଅନୁରୋଧ କରିଛନ୍ତି ।


    ପ୍ରକାଶ ଥାଉକି, ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ଯାହାପରେ କିଛି ଦିନ ଧରି ବାଦ ବିବାଦ ଲାଗି ରହିଥିଲା । ଏପରିକି ହ୍ୟୁମାନଙ୍କ ମାନେଜର ନାଁରେ ସାଙ୍ଘାତିକ ଅଭିଯୋଗ ତାଙ୍କ ମା’ ଆଣିଥିଲେ । ପରେ ମାମଲାରେ ଅନେକ ସାଥୀ କଳାକାରଙ୍କ ନାଁ ମଧ୍ୟ ଆସିଥିଲା । ଇତି ମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକମାସ ପୂରି ଗଲାଣି । ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମା’ କଟକ ମର୍କତନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରିଦିଆଯାଇଛି । ତା’ର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୂରା ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ହ୍ୟୁମାନଙ୍କ ମା’ ଦାବି କରିଛନ୍ତି । ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ଷଡ଼ଯନ୍ତ୍ର, ଆର୍ଥିକ ହେରଫେର ଓ ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ତଦନ୍ତ ଏତଲାରେ ଦାବି କରାଯାଇଛି । ସେହିପରି ହ୍ୟୁମାନଙ୍କ ଫୋନ କଲ୍‌ ଡିଟେଲ ଏବଂ କଟକ ସ୍ଥିତ ବାସଭବନର ସିସିଟିଭିକୁ ଯାଞ୍ଚ କରିବାକୁ ତାଙ୍କ ମା’ କହିଛନ୍ତି । ଏଥିସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ ନାଁରେ ମଧ୍ୟ ସେ ଏତଲା ଦେଇଛନ୍ତି ।