ଦିବ୍ୟାଙ୍ଗ ଧିରେନଙ୍କୁ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା 

କେନ୍ଦ୍ରାପଡ଼ା: ତ୍ରେତୟା ଯୁଗରେ ମାତା ପିତାଙ୍କ ନିରନ୍ତର ସେବା କରିଥିଲେ ଶ୍ରବଣ କୁମାର, ସେହିପରି କଳିଯୁଗରେ ପିତାଙ୍କର ନିରନ୍ତର ସେବା କରୁଛନ୍ତି ପିତ୍ରୁଭକ୍ତ ଧିରେନ୍ । ଧିରେନ୍ ନିଜେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ୫୮ ବର୍ଷୀୟ ଦିବ୍ୟାଙ୍ଗ ଧିରେନ୍ ନିଜର ୯୨ ବର୍ଷୀୟ ବୃଦ୍ଧ ବାପାଙ୍କର ନିରନ୍ତର ସେବା କରିଚାଲିଛନ୍ତି । ଏହାକୁ ଦେଖି କିଛି ଧର୍ମପରାୟଣ ବ୍ୟକ୍ତି ଧୀରେନ୍ଙ୍କୁ "କେନ୍ଦ୍ରାପଡ଼ାର ଶ୍ରବଣ କୁମାର’ ଭାବେ ନାମିତ କରିଛନ୍ତି  । ଧିରେନ୍ଙ୍କ ଘର ହେଇଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗର୍ଜଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଆଁରପାଳ ଗ୍ରାମରେ ।  ଯେଉଁ ସମୟରେ ବୃଦ୍ଧ ମାବାପାଙ୍କୁ ପିଲାମାନେ ବୃଦ୍ଧଶ୍ରମରେ ଛାଡ଼ି ଦେଉଛନ୍ତି ସେ ସମୟରେ ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଧିରେନ୍ଙ୍କ ଏପରି ଚିନ୍ତାଧାରାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଧୀରେନଙ୍କ ମା’ ଦୀର୍ଘ ଦିନ ହେବ ଚାଲି ଗଲେଣି । ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଧିରେନଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ତାଙ୍କର ସେବାକୁ ପ୍ରଶଂସା କରିବା ସହ ତାଙ୍କୁ ବିଭିନ୍ନ  ଆସବାବପତ୍ର ଯୋଗାଇ ଦେଇଥିଲେ । ଦୁଇ ମାସ ପାଇଁ ରାସନ ସାମଗ୍ରୀ ସହ ବାପା ଓ ପୁଅଙ୍କ ପାଇଁ ଧୋତି, ଗାମୁଛା ଓ କମ୍ବଳ ପରି ଶୀତ ବସ୍ତ୍ର ପ୍ରଦାନ କରିଥିଲେ । ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଦିଆଯାଇଥିଲା । ଏହାକୁ ଦେଖି ୯୨ ବର୍ଷୀୟ ବୃଦ୍ଧ ଶତ୍ରୁଘ୍ନ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଯଶୋଦା ମା ମୋହିନୀ ନାୟକ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ବିକାଶ କୁମାର ପାତ୍ର, କାଳନ୍ଦୀ ମଲ୍ଲିକ, କେଦାର ସ୍ୱାଇଁ, ଅଭୟ ରାଉତ, ବଳରାମ ଦାସ ଓ ସଚେତନ ଶତପଥୀ ପ୍ରମୁଖଙ୍କ ସହଯୋଗରେ ଧୀରେନ୍ଙ୍କୁ ସହାୟତା ପ୍ରଦାନ କରାଯାଇଥିôଲା ।