ଦିଲ୍ଲୀ ସିଏଜି ରିପୋର୍ଟ ଡିଟିସି ଋଣ ୩୭ ହଜାର କୋଟି ବଢ଼ିଛି
ନୂଆଦିଲ୍ଲୀ: ୫ ବର୍ଷ ମଧ୍ୟରେ ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ଋଣ ୩୭ ହଜାର କୋଟିକୁ ବୃଦ୍ଧି ପାଇଛି । ୨୦୧୫-୧୬ ଆର୍ଥିକ ବର୍ଷରେ ଡିଟିଏସ୍ ଋଣ ୨୮୨୬୩ କୋଟି ଥିବା ବେଳେ ୨୦୨୧-୨୨ରେ ଏହା ୬୫୨୭୪ କୋଟିକୁ ବୃଦ୍ଧି ପାଇଛି । ଏହାବାଦ ସେହି ସମାନ ସମୟକାଳରେ ପରିଚାଳନା ସମ୍ବନ୍ଧୀୟ କ୍ଷତି ୧୪ହଜାର କୋଟି ହୋଇଛି । ସୋମବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ କାଳରେ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଥିରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଡିଟିଏସ୍ର ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଦିଲ୍ଲୀର ଅର୍ଥନୈତିକ ଅଭିବୃଦ୍ଧିରେ ପରିବହନକାରୀ କମ୍ପାନୀଗୁଡ଼ିକ ବିଶେଷ କ୍ଷତି କରିଛନ୍ତି । ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ ଏହି କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କ ସହିତ ନା କୌଣସି ଆଗୁଆ ଯୋଜନା ନା ଆଲୋଚନା ନା କୌଣସି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ଯଦ୍ୱାରା ପରିଚାଳନା ଗତ କ୍ଷତି ବୃଦ୍ଧି ପାଇଛି । ଲଗାତାର କ୍ଷତି ବୃଦ୍ଧି ପାଉଥିଲେ ମଧ୍ୟ ନିଗମ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ୨୦୧୫ରୁ ୨୦୨୩ ମଧ୍ୟରେ ଡିଟିସି ଦ୍ୱାରା ପରିଚାଳିତ ବସ୍ ସଂଖ୍ୟା ୪୩୪୪ରୁ ୩୯୩୭କୁ ହ୍ରାସ ପାଇଥିଲା । ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ୨୦୧୧-୨୨ ଏବଂ ୨୦୨୨-୨୩ରେ ମାତ୍ର ୩୦୦ଟି ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ କରାଯାଇଥିଲା । ଏହାଛଡ଼ା ଇଲେକ୍ଟ୍ରିକ୍ ବସ୍ ଯୋଗାଣରେ ବିଳମ୍ବ ଯୋଗୁ ସଂସ୍ଥା ଉପରେ ଲଗାଯାଇଥିବା ୨୯.୮୬ କୋଟି ଟଙ୍କାର ଜରିମାନା ଅର୍ଥ ମଧ୍ୟ ଆଦାୟ କରାଯାଇ ନାହିଁ । ସେହିପରି ଡିଟିସି ୬୫୬ଟି ଅଧିକ ପୁରୁଣା ବସ୍ ବ୍ୟବହାର କରୁଥିବାରୁ ବିଭିନ୍ନ ସମୟରେ ଏହାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଉଥିଲା । ଫଳରେ ପ୍ରତିଦିନ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ବସ୍ଗୁଡ଼ିକର ନିୟମିତ ବ୍ୟବହାର ତଥା ବସ୍କୁ ପ୍ରତିଦିନ ପାଖାପାଖି ୨୦୦ କିମି ପର୍ଯ୍ୟନ୍ତ ରନିଂ କରାଯାଉଥିବାରୁ ତ୍ରୁଟି ପରିଚାଳନା ଖର୍ଚ୍ଚ ୭୬.୯୫ ପ୍ରତିଶତରୁ ୮୫.୮୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ନିୟୋଜିତ କମ୍ପାନୀ ୮୧୪ ରୁଟ୍ରୁ ମାତ୍ର ୪୬୮ଟି ରୁଟ୍(୫୭%) ରେ ବସ୍ ଚଳାଚଳ କରୁଥିଲା । ଏହାସହ କମ୍ପାନୀ ପରିଚାଳନା ଗତ ଖର୍ଚ୍ଚ ମଧ୍ୟ ଆଦାୟ କରିପାରୁ ନ ଥିଲା । ସେହିପରି ୨୦୨୧ରେ ବସ୍ଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ଠିକା କମ୍ପାନୀକୁ ୫୨.୪୫କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ଏହି କ୍ୟାମେରାଗୁଡ଼ିକୁ ଗୋଲାଇଭ୍ କରାଯାଇ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।