ଦୁଇଟି ଭୋଟର କାର୍ଡ : ପ୍ରଶାନ୍ତ କିଶୋରଙ୍କୁ ନୋଟିସ୍‌

ପାଟନା : ଦୁଇଟି ଭୋଟର କାର୍ଡକୁ ନେଇ ପ୍ରଶାନ୍ତ କିଶୋରଙ୍କ ଅଡୁଆ ବଢିଛି । ଜନ ସୁରାଜ ପାର୍ଟି ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଶାନ୍ତ କିଶୋର, ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ନାମ ଦୁଇଟି ରାଜ୍ୟ ପଶ୍ଚିମବଙ୍ଗ ଓ ବିହାରର ଭୋଟର ତାଲିକାରେ ପଞ୍ଜିକୃତ ହୋଇଛି । ବିହାରରେ କିଶୋର ରୋହତାସ ଜିଲ୍ଲାର ସାସାରାମ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କରଗାହାର ବିଧାନସଭା କ୍ଷେତ୍ରରେ ଭୋଟର ଭାବରେ ପଞ୍ଜୀକୃତ ହୋଇଛନ୍ତି । ତାଙ୍କର ମତଦାନ କେନ୍ଦ୍ର ହେଉଛି ତାଙ୍କ ପୈତୃକ ଗ୍ରାମ କୋନାରରେ ମଧ୍ୟ ବିଦ୍ୟାଳୟ । ବଙ୍ଗଳାରେ କିଶୋରଙ୍କ ଠିକଣା ୧୨୧ କାଲିଘାଟ ରୋଡ ଭାବରେ ତାଲିକାଭୁକ୍ତ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଧାନସଭା କ୍ଷେତ୍ର ଭବାନୀପୁରରେ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଅବସ୍ଥିତ । ତାଙ୍କର ମତଦାନ କେନ୍ଦ୍ର ବି ରାଣୀଶଙ୍କରୀ ଲେନରେ ସେଣ୍ଟ ହେଲେନ୍‌ ସ୍କୁଲ ଭାବରେ ତାଲିକାଭୁକ୍ତ । କିଶୋର ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ରାଜନୈତିକ ପରାମର୍ଶଦାତା ଭାବରେ କାମ କରିଥିଲେ ।

   ଭୋଟରଙ୍କ ଦୋହରାତା ଉପରେ ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ କିଶୋରଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ ବିଫଳ ହୋଇଥିଲା । ତଥାପି ଜନ ସୁରାଜ ପାର୍ଟିର ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନ ପରେ କିଶୋର କରଗାହାର ବିଧାନସଭା କ୍ଷେତ୍ରରେ ଭୋଟର ଭାବରେ ନାମ ପଞ୍ଜିକୃତ କରିଥିଲେ । ବିହାରର କରଗାହାର ବିଧାନସଭା କ୍ଷେତ୍ରରେ ନାମ ପଞ୍ଜିକରଣ କରିବା ପରେ ସେ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ତାଙ୍କ ନାମ ବାଦ ଦେବା ପାଇଁ ଆବେଦନ କରିଥିବା ଜଣା ପଡ଼ିଛି । ପଶ୍ଚିମବଙ୍ଗରୁ ନାମ ରଦ୍ଦ ପାଇଁ ଆବେଦନର ସ୍ଥିତି ଆମକୁ ଜଣା ନାହିଁ ।