ଦୁଇ ଦିନ ପରେ ବାତ୍ୟା ‘ସେନ୍ୟାର’ : ଆଜିଠୁ ଦକ୍ଷିଣ ଭାରତରେ ବର୍ଷା
ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ
ଭୁବନେଶ୍ୱର : ମାଲାକ୍କା ପ୍ରଣାଳୀ ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ର, ମାଲେସିଆ ଓ ତତସଂଲଗ୍ନ ମାଲାକ୍କା ପ୍ରଣାଳୀ ଉପରେ ଅବସ୍ଥିତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଧିକ ।
ଅପରପକ୍ଷରେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୫ରେ କାମୋରିନ୍ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଦୁଇ ଦୁଇଟି ଲଘୁଚାପ ଯୋଗୁଁ ୨୫ରୁ ୨୯ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ୨୫ରୁ ୨୭ ପର୍ଯ୍ୟନ୍ତ ତାମିଲନାଡୁରେ, ୨୪ରୁ ୨୬ ପର୍ଯ୍ୟନ୍ତ କେରଳ ଓ ମାହେ, ୨୯ରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଏବଂ ୨୪, ୨୮ ରୁ ୩୦ ପର୍ଯ୍ୟନ୍ତ ତାମିଲଡନାଡ଼ୁରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଓଡ଼ିଶାର ଅନ୍ୟତ୍ର କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇଛି । ଅପରପକ୍ଷରେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୧୪.୩, କେନ୍ଦୁଝରଗଡ଼ରେ ୧୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୫.୮ ଡିଗ୍ରୀ, ଭବାନୀପାଟଣାରେ ୧୫ ଡିଗ୍ରୀ, କୋରାପୁଟରେ ୧୩.୫ ଡିଗ୍ରୀ, ଫୁଲବାଣୀରେ ୧୩ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ଓ ରାଉରକେଲାରେ ୧୪.୧ ଡିଗ୍ରୀ ରହିଛି ।