ଦୁର୍ଗମରେ ବାଟ ଓଗାଳୁଛି ଅସମ୍ପୂର୍ଣ୍ଣ ପୋଲ
ବିଶୋଇରୁ ରଞ୍ଜନ ପାତ୍ର : ବିପଦ ସୃଷ୍ଟି କରୁଛି ଅସମ୍ପୂର୍ଣ୍ଣ ପୋଲ । ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବଣ ପାହାଡ ଘେରା ଚଢେଇପାହାଳି ଗ୍ରାମପଞ୍ଚାୟତର ଭୀମଖନ୍ଦା ଗାଁ ମୁଣ୍ଡରେ ଅର୍ଦ୍ଧ ନିର୍ମିତ ପୋଲ ଲୋକଙ୍କ ପାଇଁ ସାଜିଛି କାଳ । ଭୀମଖନ୍ଦା ଗାଁ ମୁଣ୍ଡରେ ଥିବା ନାଳ ଉପରେ ୨୦୧୯ ରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥଲା । ଏହି ପୋଲ ନିର୍ମାଣ ହେଲେ ଭୀମଖନ୍ଦା, ଡୁମୁରକୁଦର୍, ଚଢେଇପାହାଳି, ପାହାଳ ପୁର, ବୁଡ଼ାମାରା ପରି ପ୍ରାୟ ୮ ରୁ ୧୦ଟି ଗାଁ ର ଲୋକେ ଉପକୃତ ହେବେ । ମୁଖ୍ୟ ବଜାର ଗୋରୁମହିଶୁଣି ନିକଟ ହେବ, ଲୋକଙ୍କ ଚଳପ୍ରଚଳ ସୁଗମ ହେବ । କିନ୍ତୁ ବିଡମ୍ବନାର ବିଷୟ ୬ ବର୍ଷ ବିତିଗଲାଣି ଠିକାଦାର, ସରକାରୀ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରୁନି ପୋଲ କାମ । ଏ ନେଇ ବ୍ଲକ୍ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗପତ୍ର ଦେଇଥିଲେ ମଧ୍ୟ ଫଳ ଶୂନ୍ ।
ଆଗକୁ ବର୍ଷା, ନାଳରେ ପାଣି ବୋହିଲେ ବନ୍ଦ ହେଇଯିବ ଚଳପ୍ରଚଳ । ପୋଲ ନିର୍ମାଣ କାର୍ଯ୍ୟ କଛପ ଗତିରେ ଚାଲିଛି । ମାସକ ମଧ୍ୟରେ ଦୁଇ, ତିନି ଦିନ କାମ ହେଉଥିବା ବେଳେ, ବାକି ଦିନ କାମ ବନ୍ଦ ରହୁଛି । ଲୁହାଶିଳା, ସରଗଡା ମାଣିକପୁର ପଞ୍ଚାୟତବାସୀମଧ୍ୟ ଏହି ରାସ୍ତା ଦେଇ ଗୋରୁମହିଶୁଣି ମୁଖ୍ୟ ବଜାରକୁ ଯାଇଥାନ୍ତି । ଆଗକୁ ବର୍ଷା, ନାଳ ରେ ପାଣି ବ?ହିଲେ ଚଳପ୍ରଚଳ ବନ୍ଦ । ସେତେବେଳ ଲୋକଙ୍କୁ ମୁଖ୍ୟ ବଜାରକୁ ଯିବା ପାଇଁ ହେଲେ ୨୦ ରୁ ୨୫ କିମି ବୁଲି ଯିବାକୁ ପଡିଥାଏ । ଆମ୍ବୁଲାନ୍ସ ହେଉ କି ସାଧାରଣ ଗାଡ଼ି ଏଇ ରାସ୍ତା ଦେଇ ଚଳାଚଳ ବନ୍ଦ ହେଇଯାଏ, ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗନ୍ତି । ଅସମ୍ପୂର୍ଣ୍ଣ ପୋଲ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । କୂଅ ପରିକା ଉଠୁଥିବା ପିଲାର ରେ ଛଟ ଛଟ ଛୁଆ ଗଳି ପଡ଼ୁଥିବା ବେଳେ ପୋଲ ଉପରୁ ଗରୁ, ମଇଁଷି, ତଳେ ପଡ଼ି ଗୁରୁତର ଆହାତ ହେଉଛନ୍ତି । ପୋଲ ଗାର୍ଡ ୱାଲ ର ଲୁହା ରୋଡ଼ ମଧ୍ୟ ଲୋକ ଙ୍କ ପାଇଁ ବିପଦ ସାଜିଛି । ଯଥାଶୀଘ୍ର ପୋଲ ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଲୋକେ ଉପକୃତ ହେବା ନେଇ ସୁନାରାମ ମୁଣ୍ଡା, ଲାଲମୋହନ ମୁଣ୍ଡା, ଜିତଲାଲ ମାହାଲି ତଥା ଅଞ୍ଚଳବାସୀ ଦାବି କରିଛନ୍ତି ।ଏବେ ରାଜ୍ୟ ରେ ଡବଲ ଇଞ୍ଜିନର ସରକାର, ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳର ବିକାଶ ହେବ । ମୋହନ ସରକାର ଦୃଷ୍ଟି ଦେଲେ ଅସମ୍ପୂର୍ଣ୍ଣ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଲୋକଙ୍କ ଚଳାଚଳ ସୁଗମ ହେବ ।