ଝୁମ୍ପୁରାରେ ମା’ଙ୍କ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗ୍ରସ୍ତ ଅବସରରେ ଝୁମ୍ପୁରା ଠାରେ ଅନୁଷ୍ଠିତ ଦୁର୍ଗାପୂଜାରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟାହ୍ନରେ ରାଇକଳା ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ପରିବାର ଲୋକ ତାଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ଘରକୁ ପୋଛୋଟି ଦେଇଥିଲେ । ନିଜ ବାସଭବନରେ ରୀତିନୀତି ଅନୁସାରେ ଦଶହରା ପାଳନ କରିବା ପରେ ଅପରାହ୍ନ ସାଢ଼େ ତିନିଟାରେ ଝୁମ୍ପୁରା ଚାରେ ଦୁର୍ଗତୀ ନାଶିନୀ ଯୁବ ସଂଘ ତରଫରୁ ଆୟୋଜିତ ହୋଇଥିବା ଦୁର୍ଗାପୂଜାରେ ଯୋଗଦାନ କରିଥିଲେ । ମା’ଙ୍କ ଦର୍ଶନ କରିବା ସହ ମା’ଙ୍କ ପୀଠ ରେ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପୂଜା କମିଟି ର ସଦସ୍ୟ ମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ପରେ ଝୁମ୍ପୁରା ସ୍ଥିତ ସାଇ ମନ୍ଦିର ପରିଦର୍ଶନ କରିବା ସହିତ ସେଠାରେ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗାପୂଜାକୁ ଆସିଥିବାରୁ ପ୍ରଶାସନ ତରଫରୁ କଡାକଡି ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲାର ବିଜେପି ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ସମେତ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଝୁମ୍ପୁରା ପୂଜାମଣ୍ଡପରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।