ନଦୀବନ୍ଧରେ ଏଫଡିଆର ଠିକାଦାରଙ୍କ ଉପସ୍ଥିତିକୁ ନେଇ ସନେ୍ଦହ 

 ଭଣ୍ଡାରିପୋଖରୀ: ବୈତରଣୀ ନଦୀରେ ବନ୍ୟା ଆସିଲେ କୁମ୍ଭାରିଆ ଗ୍ରାମର ଜନୈକ ଏଫ.ଡି.ଆର. ଠିକାଦାରଙ୍କୁ ଦେଖିବାକୁ ମିଳେ । ରବିବାର ମଧ୍ୟ ସଂପୃକ୍ତ ଠିକାଦାର ନଦୀବନ୍ଧରେ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା । ତକ୍ରାଳ କାର୍ଯ୍ୟରୁ ବେଶ ଦି ପଇସା ଲାଭ ମିଳୁଥିବାରୁ ସଂପୃକ୍ତ ଠିକାଦାର ନଦୀବନ୍ଧରେ ଘୁରିବୁଲୁଥିବା ଜଣାଯାଇଛି । ନିମ୍ନମାନସିକତା ଥିବା ସଂପୃକ୍ତ ଠିକାଦାର କାର୍ଯ୍ୟ ଲୋଭରେ ଅଘଟଣ ଘଟାଇବା ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି । ନଦୀର ପୂର୍ବ ବନ୍ୟା ସମୟରେ ବୈତରଣୀ ନଦୀବନ୍ଧର ମଣିନାଥପୁର ଅଂଶରେ କ୍ରସର ଡଷ୍ଟ ପକାଇବା କାର୍ଯ୍ୟ ସହ ତିଖିଲିଆ ସେତୁ ମରାମତି କାର୍ଯ୍ୟ କରିଥିବା ଜଣାଯାଇଛି । ଗତ ଶନିବାର ତିଖିଲିଆ ସେତୁର ମରାମତି ଅଂଶ କ୍ଷତିଗ୍ରସ୍ତ ହୋଇଥିବାରୁ ପୁନର୍ବାର ସଂପୃକ୍ତ ଠିକାଦାର କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ଏଫ.ଡି.ଆର. କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ବାରମ୍ବାର ଠିକାଦାର ହାତେଇବା ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଛି ବୋଲି ପ୍ରଶାସନକୁ ଚେତାଇ ଦିଆଯାଇଛି । ଏଭଳି କୁକାର୍ଯ୍ୟକୁ ରୋକାଯିବା ଉଚିତ ବୋଳି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।