ବିପଦ ସଂକେତ ଉପରେ ବୈତରଣୀ : କଣ୍ଟିଘାଇରେ ୬ଫୁଟ ଜଳସ୍ରୋତ
ଭଣ୍ଡାରିପୋଖରୀ : ବୈତରଣୀ ନଦୀର ଜଳସ୍ତର ଆଖୁଆପଦାରେ ବିପସଦଙ୍କେତ ଉପରେ ପ୍ରବାହିତ ହେଉଛି । ଶନିବାର ମଧ୍ୟରାତ୍ରରେ ନଦୀର ଜଳସ୍ତର ୧୮.୫୪ ମିଟରକୁ ସ୍ପର୍ଶ କରି ସ୍ଥିର ହୋଇଥିଲା । ରାତ୍ର ୪ଟାରେ ଜଳସ୍ତର ହ୍ରାସ ପାଇଥିଲା । ପୁନର୍ବାର ରବିବାର ସନ୍ଧ୍ୟା ୬ଟାରେ ଜଳସ୍ତର ୧୮.୪୪ମିଟରରେ ସ୍ଥିର ହୋଇଥିବା ଜଣାଯାଇଛି । ହେଲେ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଖୁଆପଦା ଜଳସମ୍ପଦ କାର୍ଯ୍ୟାଳୟ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାଜଳ ସର୍ବାଧିକ ୧୯ମିଟର ହୋଇପାରେ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି । ଆଖୁଆପଦା ଠାରେ ନଦୀର ସତର୍କ ସଙ୍କେତ ସ୍ତର ୧୭.୮୩ମିଟର ରହିଥିବା ବେଳେ ବିପଦ ସଙ୍କେତସ୍ତର ୧୮.୩୩ ମିଟର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୫୧.୦ମି.ମି., କେଉଁଝରରେ ୯୨.୪ମି.ମି., ସ୍ୱାମୀପାଟଣାରେ ୪୬.୨ମି.ମି., ଆନନ୍ଦପୁରରେ ୧୮.୪ମି.ମି. ଓ ଆଖୁଆପଦାରେ ୧୨.୨ମି.ମି. ବର୍ଷା ରେକର୍ଡ କରାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ୧୮.୪୪ମିଟରରେ ପ୍ରବାହିତ ହେଉଛି । ନଦୀର କଣ୍ଟିଘାଇରେ ୬ ଫୁଟ ଉଚ୍ଚତାର ବନ୍ୟାଜଳ ଦ୍ରୁତବେଗରେ ପ୍ରବେଶ କରି ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ଆଦି ପଞ୍ଚାୟତକୁ ଜଳମଗ୍ନ କରିପକାଇଛି । ନଦୀର ସପ୍ତମାତୃକା ବ୍ୟାରେଜ ବିନ୍ଧାଣ ପାଶ୍ୱର୍ ୫୦ଫୁଟ ଦୀର୍ଘ ନଦୀବନ୍ଧ ଧସିଯାଇଛି । ନଦୀ ଶଯ୍ୟାକୁ ସଙ୍ୁଚିତ କରାଯିବା ସହ ନାମକୁ ମାତ୍ର କଂକ୍ରିଟକରଣ କରାଯାଇଥିବାରୁ ଜଳସ୍ରୋତ ଚାପରେ ନଦୀବନ୍ଧ ଧସିଯାଇଛି ବୋଲି ଜଣାଯାଇଛି । ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ବିଜେପି ନେତା ବଦ୍ରୀନାରାୟଣ ଧଳ ନଦୀବନ୍ଧ ଧସିବା ସ୍ଥାନ ଓ କଣ୍ଟିଘାଇ ପରିଦର୍ଶନ କରି ଅନୁଧ୍ୟାନ କରିଥିବା ଜଣାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ବିଭାଗ ସଜାଗ ଅଛି ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି ।