ନାତୁଣୀର ମୃତୁ୍ୟ ଖବର ଶୁଣି ଚାଲିଗଲା ଜେଜେଙ୍କ ଜୀବନ
ବାଲିକୁଦା : ବିଷଧର ସାପ କାମୁଡ଼ାରେ ନାତୁଣୀର ମୃତୁ୍ୟ ଖବର ଶୁଣିବା ପରେ ଜେଜେଙ୍କ ହୃଦଘାତରେ ଚାଲିଗଲା ଜୀବନ । ଏଭଳି ଘଟଣାବଡ଼ଚଣା ବ୍ଲକ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ଡିଆ ଗ୍ରାମରେ ଘଟିଛି । ସୂଚନା ମୁତାବକ ଗ୍ରାମର ଦେବେନ୍ଦ୍ର ପରମାଣିକଙ୍କ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଅଙ୍କିତା ପ୍ରିୟଦର୍ଶିନୀ (୧୫)ଙ୍କ ଗତ କାଲି ରାତିରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା । ଅଙ୍କିତାଙ୍କୁ ଚିକିତ୍ସା ପାଇଁ ତାକୁ ମାହାଙ୍ଗା ମେଡ଼ିକାଲରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ଅଙ୍କିତାଙ୍କ ଶବ ଗ୍ରାମକୁ ଫେରୁଥିବା ବେଳେ ନାତୁଣୀର ମୃତୁ୍ୟ ଖବର ପାଇ ଜେଜେ ବାବାଜୀ ପରମାଣିକ(୭୫)ଙ୍କର ହୃଦଘାତର ଶିକାର ହୋଇ ଅଚେତ ହୋଇ ପଡ଼ିଥିଲେ । ତାଙ୍କର ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ପରେ ଉଭୟଙ୍କ ମର ଶରୀର ନିଜ ବାସଭବନରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମ ଶ୍ମଶାନରେ ଉଭୟ ଜେଜେ ଆଉ ନାତୁଣୀଙ୍କର ଶବ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଜେଜେ ବାବାଜୀଙ୍କ ବଡ ପୁଅ ନରେଶ ମୁଖାଗ୍ନି ଦେଇଥିବା ବେଳେ ଏକ ସଙ୍ଗେ ଦୁଇଟି ଜୁଇ ଜଳିଥିଲା ଏଭଳି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।