ନାହିଁ ରୋଜଗାର ପନ୍ଥା, ବଢୁଛି ବେକାରୀ ସମସ୍ୟା

 ସୋନପୁର :  ସୁବର୍ଣ୍ଣପୁର ଜିଲ୍ଲା ଆତ୍ମପ୍ରକାଶକୁ ୩୨ବର୍ଷ ବିତିଥିଲେ ହେଁ ଜିଲ୍ଲାର ବିକାଶ ଆଶାତୀତ ଉନ୍ନତ ସୋପାନ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହେଉଛି । ଏହି ଛୋଟ ଜିଲ୍ଲା ହେବାରୁ କେବଳ ପ୍ରଶାସନିକ ସୁଦୃଢ ରହିଛି । ଜିଲ୍ଲାରେ ଜନସଂଖ୍ୟା ପ୍ରାୟ ୮ଲକ୍ଷ ହୋଇଥିବାବେଳେ ସାକ୍ଷାରତା ୮୩.୦୩ ପ୍ରତିଶତ । ପୂର୍ବରୁ ଏହି ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ନେଇ ସମୃଦ୍ଧିଶାଳୀ ରହିଛି  । ଦ୍ୱିତୀୟ ବାରାଣସୀ ସୋନପୁରର ସାହିତ୍ୟ, ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦିକ ନେଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଗଡ଼ଜାତ ସମୟର ବୟନ ଶିଳ୍ପ ନେଇ ଏବେ ବି  ବିଶ୍ୱ ଦରବାରରେ ପରିଚିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଏବେ ଜିଲ୍ଲାରେ ଅନେକ କ୍ଷେତ୍ରମାନଙ୍କ ନେଇ ବହୁ ସୁବିଧା, ସୁଯୋଗ ଓ ସମ୍ଭାବନା ରହିଛି । ଜିଲ୍ଲାରେ ଉନ୍ନତମାନ ରାସ୍ତା ସହ ଗମନାଗମନା ସୁବିଧା ରହିଛି । କିନ୍ତୁ ଜିଲ୍ଲାରେ ବିଶେଷ ରୋଜଗାର ପନ୍ଥା ନେଇ ବ୍ୟବସ୍ଥା ନାହିଁ । ଯାହାଫଳରେ ବେକାରୀ ସମସ୍ୟା ବଢି ଚାଲିଛି । ଏବଂ ରୋଜଗାର ପନ୍ଥା ଧିରେ ଧିରେ କମି ଯାଉଛି । ଏବେ ବ୍ୟବସ୍ଥାୟୀ ମନ୍ଦାଳିଆ ଅବସ୍ଥା ଦେଇ ଗତି କରୁଥିବାର ଅଭିଯୋଗ ହେଉଛି । କିଛି ଦାଦନ ମୁହାଁ ହେଉଥିବା ବେଳେ ଆଉ କେତେ ସୋନପୁରରେ ନିଜର ଉଜ୍ୱଳ ଭବିଷ୍ୟତ ଅନିଶ୍ଚିତତା ରହୁଥିବାର ଅଭିଯୋଗ ହେଉଛି । 
ତେବେ ଜିଲ୍ଲାର ବିକାଶ ନେଇ ନୂତନ ରୋଡ ମ୍ୟାପର ଆବଶ୍ୟକତା ରହିଛି । ଅନେକ ଦକ୍ଷ ଯୁବ ଜିଲ୍ଲାପାଳମାନେ ଆସିଲେ । କେବଳ ସରକାରଙ୍କ ନିଦେ୍ର୍ଦଶନାମା ନେଇ କାର୍ଯ୍ୟ କରି ଚାଲି ଗଲେ । କିନ୍ତୁ ଜିଲ୍ଲାବାସୀ ଚାହିଁ ଥିବାର ବିକାଶ ଦେଖି ପାରିଲେନି ବୋଲି ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହୁଏ । ଜିଲ୍ଲା ପରେ ଏହି ଅଞ୍ଚଳର ସାମାଜିକ, ଭୌଗଳିକ, ଅର୍ଥନୈତିକ ସ୍ଥିତି ନେଇ ରୋଜଗାର ପନ୍ଥା  ନିଶ୍ଚିତ ବ୍ୟବସ୍ଥା କରାଗଲା ନାହିଁ ବୋଲି କୁହାଯାଉଛି । ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ଏକ ମୂଳ ସମ୍ବଳ ରହିଛି । କିନ୍ତୁ ଗୋଟିଏ ସରକାରୀ ମହା ବିଦ୍ୟାଳୟ ନାହିଁ । ତେବେ ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ଦାବି ହେଉଛି । ସେପହିପରି ଏବେ ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ହେଲା । ଚାଷୀ ବି ଚାଷ କରିବା ପାଇଁ ଆଗ୍ରହୀ । କିନ୍ତୁ ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ବ୍ଲକରେ ଜଳସେଚନ ସମସ୍ୟା ରହିଛି । ଜିଲ୍ଲାକୁ ମହାନଦୀ, ତେଳ ନଦୀ, ନିବୃତ୍ତି, ଅଙ୍ଗ ନଦୀ, ସୁରୁ ବାଲି ଯୋର, ହରିହର ଯୋର ପରି ଅନେକ ନଦୀ ଜାଲ ପରି ବିଛାଇ ହୋଇ ରହିଥିଲେ ହେଁ ସଠିକ୍ ଜଳ ପରିଚାଳନା ଅଭାବ ରହିଲା । ଜିଲ୍ଲାରେ ଇକୋ ଟୁରୁଜିୟମ ବିକାଶ ନେଇ ବଡ କ୍ଷେତ୍ର ରହିଛି । କିନ୍ତୁ ଏହାର ଅଣଦେଖା ଚାଲିଛି । କୃଷି ପରେ ବୟନ ଶିଳ୍ପରେ ଜିଲ୍ଲାରେ ଅନେକ ନିର୍ଭରଶୀଳ ଥିଲେ ବି ଏହାର ସଠିକ ବଜାର ନୀତିରେ ସମସ୍ୟା ରହିଛି । ଗଡଜାତ ସମୟ କୁଟୀର ଶିଳ୍ପ ନେଇ ସୋନପୁର ପ୍ରସିଦ୍ଧ ରହିଥିଲା । ସେଥିପାଇଁ ଏହି ଅଞ୍ଚଳର ଲୋକେ ଦାଦନ ଖଟିବାକୁ ଯାଉ ନ ଥିଲେ । କିନ୍ତୁ ଏବେ ସମୃଦ୍ଧ କୁଟୀର ଶିଳ୍ପ ଧ୍ୱଂସାଭିମୁଖୀ ହେଲାଣି । ଅଶୀ ଦଶକ ସମୟରେ ସୋନପୁରର ମାନ୍ଦାଳିଆ ପରିସ୍ଥିତି ନେଇ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ସୋନପୁର ସବ୍ଡିଭିଜନରେ ପ୍ରଥମ ଶିଳ୍ପ ସୁତା କଳ ପ୍ରତିଷ୍ଠା କରାଯାଇଥିଲ । ଏହି ଶିଳ୍ପ କେବଳ ସୋନପୁର ନୁହେଁ । ପୂର୍ବ ଓଡିଶାର କେନ୍ଦ୍ରପଡ଼ା, ଜଗତସିଂହପୁର ଅଞ୍ଚଳର ଆସି କାର୍ଯ୍ୟ କରୁଥିଲେ । ଏବେ ଉକ୍ତ କୃଷିଜାତ ଶିଳ୍ପ ସୂତାକଳ ଋଗଣ ହୋଇ ବନ୍ଦ ହୋଇଯାଇଛି । ଜିଲ୍ଲାରେ ଜଳ, ବିସ୍ତୀର୍ଣ୍ଣ ଜମି ନେଇ ନୂତନ ଶିଳ୍ପ କିମ୍ବା ବଡ଼ ପ୍ରକଳ୍ପ ପ୍ରତିଷ୍ଠା ନେଇ ସୁବିଧା ଓ ସୁଯୋଗ ରହିଛି ।  ପର୍ଯ୍ୟଟନ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାକୁ ରାଜ୍ୟର ନାଭିକେନ୍ଦ୍ର କୁହାଯାଉ ଥିବାବେଳେ ଏହାକୁ ହେରିଟେଜ ଜିଲ୍ଲା ଭାବରେ ଘୋଷଣା ଆବଶ୍ୟକତା ରହିଛି । ଏହା ଏକ ପ୍ରମୁଖ ରୋଜଗାର ପ୍ରମୁଖ ପନ୍ଥା ହୋଇପାରନ୍ତା । ଜିଲ୍ଲାର ୩୨ ବର୍ଷ ପରେ ଗୋଟିଏ ପ୍ରକଳ୍ପ ହେଉଛି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ । ଏବେ ବଲାଙ୍ଗିରରୁ ସୋନପୁର ପର୍ଯ୍ୟନ୍ତ ରେଳ ଗଢିଛି । ଏହାକୁ ନେଇ ବହୁ ସମ୍ଭାବନା ଜିଲ୍ଲାରେ ଦେଖା ଦେଇଛି । କିନ୍ତୁ ଏହାକୁ ନେଇ ବିକାଶ ଭିତ୍ତିଭୂମି ଆରମ୍ଭ କରିବା ଆବଶ୍ୟକତା ରହିଛି । ଗତ ନିର୍ବାଚନରେ ଏହି ଜିଲ୍ଲାରେ ମତ୍ସ୍ୟ ମହାବିଦ୍ୟାଳୟ , ଟେକ୍ସଟାଇଲ ମିଲ , ଆୟୁ ବୈଦିକ ଶିଳ୍ପନୁଷ୍ଠାନ ଖୋଲିବ ନେଇ ବିଜେପି ଦଳ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା । ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋନପୁର ସୁତାକଳର ପୁନଃ ଚାଲୁ କରିବାରେ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ସମ୍ବଲପୁର - ବ୍ରହ୍ମପୁର ରେଳ ପଥ ସୋନପୁର ଦେଇ ଯିବାକୁ ଦାବି ହେଉଛି । ଏଥିପାଇଁ ସମ୍ବଲପୁରରୁ ସୋନପୁର ରେଳ ପଥ ସଂଯୋଗୀକରଣ ଦରକାର । ଏହି ରେଳ ପଥରେ ସାମାଜିକ, ଅର୍ଥନୈତିକ ବିକାଶ ସହ ଆଞ୍ଚଳିକ ବୈଷମ୍ୟ ଦୂର ହେବ । କୃଷି, ଶିକ୍ଷା, ପର୍ଯ୍ୟଟନ, ଜଳସମ୍ପଦ ସହ ରେଳ ପଥ ନେଇ ସୁବର୍ଣ୍ଣପୁର ଜିଲ୍ଲାର ଏକ ବିକାଶ ରୋଡମ୍ୟାପ କରାଯାଇ ଜିଲ୍ଲାର ଭଲ ରୋଜଗାର ପନ୍ଥା ନିର୍ଣ୍ଣୟ କରାଯାଉ । ନୂତନ ଜିଲ୍ଲାପାଳ ଡଃ ନୁପରାଜ ସାହୁ ଜିଲ୍ଲାର ଏ ସମସ୍ତ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର  ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି  ।