ନିଶାଦ୍ରବ୍ୟର ଅବାଧ କାରବାର, ନିଷ୍କ୍ରିୟ ପ୍ରଶାସନ

ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧିନ ଖଳିସାହି ଗ୍ରାମର ମୁଖ୍ୟ ବଜାର ଓ ଗଳିକନ୍ଦିରେ ଦୀର୍ଘ ବର୍ଷ ଧରି ନିଶାଦ୍ରବ୍ୟର ଅବାଧ କାରବାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଖଣ୍ଡପଡ଼ା ଅବକାରୀ ଓ ପୁଲିସ ବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଖଳିସାହି ଗ୍ରାମର ପାନ ଦୋକାନ, ଜଳଖିଆ ଦୋକାନ, ତେଜରାତି ଦୋକାନରେ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଭାଙ୍ଗ, ଗଞ୍ଜେଇ ଓ ଧଳାଜହର ପରି ମାଦକଦ୍ରବ୍ୟର ଅବାଧ ବିକ୍ରିବଟା ହେଉଥିବା ଜଣାପଡିଛି । ସେହିପରି ଗଣେଶ ବଜାର, ନେଳିଆ ଛକ ସମେତ ଓøଷଧ ଦୋକାନ ଓ ଖଳିସାହି-ସିଂହାପଡା ରାସ୍ତାରେ କଫସିରପର କାରବାର ନିର୍ବିଘ୍ନରେ ଚାଲିଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡିଛି ।
 ନିଶାଦ୍ରବ୍ୟର ଅବାଧ କାରବାର ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଥିବାବେଳେ ନିଶାଖୋରଙ୍କ ଯୋଗୁଁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି  ଉପୁଜୁଥିବାରୁ ଗ୍ରାମର ଶାନ୍ତ ପରିବେଶ ସମୟାନୁକ୍ରମେ ଅଶାନ୍ତ ଆଡକୁ ଗତି କରୁଥିବା ଜଣାପଡିଛି । ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରତିବର୍ଷ ୪ରୁ ୫ଜଣ ବ୍ୟକ୍ତି ଦୁର୍ଘଟଣା/ଅଘଟଣ ଘଟି ଅକାଳରେ ମୃତୁ୍ୟବରଣ କରୁଥିବାର ନଜିର ରହିଛି । ନିଶାଦ୍ରବ୍ୟର ବିକ୍ରିବଟା ଉପରେ ରୋକ ଲଗାଇବା ଦିଗରେ ପୁଲିସ ପ୍ରଶାସନ ନତୁବା ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନଥିବାରୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଖୁଲମଖୁଲା ଭାବେ ନିଶାଦ୍ରବ୍ୟର କାରବାର ଚଳାଇଥିବା ଜଣାପଡିଛି । ପୁଲିସ ଓ କେନ୍ଦ୍ରୀୟ ଅବକାରୀ ବିଭାଗ ଗୁଇନ୍ଦା ଟିମ୍ ଖଳିସାହି ଗ୍ରାମରେ ଚାଲିଥିବା ନିଶାଦ୍ରବ୍ୟର ଅବାଧ କାରବାର ଉପରେ ରୋକ ଲଗାଇବା ନିମନ୍ତେ ଦୃଷ୍ଟି ଦେବାକୁ  ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।