ନାହିଁ ଡ଼ଙ୍ଗା କି ଜାଲ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

 ବରୀ : ଜୀବିକା ଦେଉଥିଲା ତନ୍ତୀଘାଇ । ମାଛଧରି ପରିବାର ପ୍ରତିପୋଷଣ କରୁଥିଲେ ମତ୍ସ୍ୟଜୀବୀ । କିନ୍ତୁ ଆବଶ୍ୟକ ଡ଼ଙ୍ଗା ଏବଂ ଜାଲ ନଥିବାରୁ ଅନେକ ମତ୍ସ୍ୟଜୀବୀ ଜୀବିକା ହରାଇବାରେ ଲାଗିଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ଖରସ୍ରୋତା ଓ ତାହାର ଶାଖା ନଦୀ ତନ୍ତୀଘାଇ ଯେଉଁଠି ଉତ୍ପତି ହୋଇଛି ସେଠାରେ ରହୁଥିବା ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତର ଋଷିପୁର ଗ୍ରାମ ୩୦ରୁ ଊର୍ଦ୍ଧ ମତ୍ସ୍ୟଜୀବୀ ତନ୍ତୀଘାଇ ନଦୀରୁ ମାଛ ଧରି ନିଜର ପରିବାର ଚଲାଇଥାନ୍ତି । ତନ୍ତୀଘାଇ ନଦୀରେ ବର୍ଷତମାମ ପାଣି ରହୁଥିବାରୁ ନଦୀ କୁଳରେ ରହୁଥିବା ମତ୍ସଜୀବୀ ନଦୀରୁ ଡ଼ଙ୍ଗା ଜାଲ ସାହାଯ୍ୟରେ ମାଛ ଧରି ବଜାର ବିକ୍ରୀ କରି ଦୁଇ ପଇସା ରୋଜଗାର କରି ପରିବାର ଭରଣ ପୋଷଣ କରିଥାନ୍ତି । ହେଲେ ଏବେ ବହୁ ମତ୍ସଜୀବୀଙ୍କ ପାଖରେ ନାହିଁ ଡଙ୍ଗା କି ଭଲ ଜାଲ । ମାଛ ଧରିବାର ଇଛା ଥିଲେ ମଧ୍ୟ ତାଙ୍କ ପାଖରେ ସମ୍ବଳ ନଥିବାରୁ ମାଛ ଧରିବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଡଙ୍ଗା ଓ ଜାଲ ଯୋଗାଇ ଦେଲେ ନଦୀରୁ ମାଛ ଧରି ସୁରୁଖୁରରେ ନିଜର ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ବାଙ୍କୁ ଯେନା, ରବୀନ୍ଦ୍ର ଯେନା, ନରେନ୍ଦ୍ର ଯେନା, ରମଣୀ ରଞ୍ଜନ ସାହୁ, ରଶ୍ମି ରଞ୍ଜନ ସାହୁ, ଭାଗୀରଥୀ ଯେନା, ବ୍ରହ୍ମାନନ୍ଦ ଦଳେଇ, ପରୀ ଦଳେଇ, ରମାକାନ୍ତ ଦଳେଇ, ନାରଣ ଦଳେଇ ପ୍ରମୁଖ ବହୁ ମତ୍ସଜୀବୀ କହିଛନ୍ତି ।