ଅବହେଳିତ ତିନି ନମ୍ବର ହାଇଲେବୁଲ କେନାଲ

ଭଣ୍ଡାରିପୋଖରୀ : ବ୍ରିଟିଶ ଅମଳରୁ ଖନନ ହୋଇଥିବା କେନାଲ ଏକାଦା ନୈବାଣିଜ୍ୟ ପାଇଁଁ ବେଶ ଉପଯୋଗୀ ହୋଇଥିଲା । ଚାଷ ଜମିକୁ ଜଳ ଯୋଗାଣ ସହିତ ଜଳପଥରେ ବାଣିଜ୍ୟ କାରବାର ପାଇଁଁ ବହୁମୁଖି କେନାଲ ପଥକୁ ସୃଷ୍ଟି କରାଯାଇଥିଲା । କାଳକ୍ରମେ ନୈବାଣିଜ୍ୟ ବନ୍ଦ ହୋଇ ଯାଇଥିବାବେଳେ ସୁଦୀର୍ଘ କେନାଲଟି ଏବେ କେବଳ କୃଷି କ୍ଷେତ୍ରକୁ ଜଳ ଯୋଗାଇବା କାର୍ଯ୍ୟ ପାଇଁଁ ଗୁରୁତ୍ୱ ବହନ କରୁଛି । ଯାହାର ଆଜିଯାଏଁ ପୁନରୁଦ୍ଧାର ନ ହେବା ପରିତାପର ବିଷୟ ପାଲଟିଛି । ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ଠାରୁ ତିନି ନମ୍ବର ହାଇଲେବୁଲ କେନାଲଟି ପ୍ରାୟ ଦେଢ଼ ଶହ ବର୍ଷ ହେବ ସୃଷ୍ଟି ହୋଇଛି । କେନାଲଟିର ଦୈର୍ଘ୍ୟ ପ୍ରାୟ ୨୫ କିମି ହୋଇଥିବା ବେଳେ ଏହା ଭଦ୍ରକ ସହରର ଫେକର ନିକଟ ଡଗମୁଣ୍ଡ ଯାଏଁ ଲମ୍ବିଛି । ଏହି ପ୍ରମୁଖ କେନାଲରୁ ଆଠ ଗୋଟି ଶାଖା ସହିତ ଅନେକ ମାଇନର କେନାଲ ମଧ୍ୟ ସୃଷ୍ଟି ହୋଇଛି । ଭଦ୍ରକ ବ୍ଲକ ସମେତ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ଅର୍ଦ୍ଧାଧିକ ଚାଷୀ ଏହି କେନାଲ ବ୍ୟବସ୍ଥା ଉପରେ ନିର୍ଭର କରି ଖରିଫ୍ ଓ ରବି ଚାଷ କରିଥାନ୍ତି । ଏହାଛଡା ବନ୍ତ ବ୍ଲକର ଚାରି ପାଞ୍ଚ ଗୋଟି ପଞ୍ଚାୟତର ଚାଷୀ ମଧ୍ୟ ଏହା ଉପରେ ନିର୍ଭର କରିଥାନ୍ତି । କେନାଲର ଡାହାଣ ପାର୍ଶ୍ୱ  ଗମନାଗମନ ପଥ ଭାବେ ବ୍ୟବହୃତ ହେଉଥିବା ବେଳେ ବାମ ପାର୍ଶ୍ୱରେ କେବଳ ଗୁଳ୍ମଜାତୀୟ ବନ୍ଧ ରହିଛି । ଦୁଃଖର ବିଷୟ ଦୀର୍ଘ ବର୍ଷ ଧରି କେନାଲ ସୃଷ୍ଟି ହୋଇଥିଲେ ସୁଦ୍ଧା ଏଯାଏଁ ଏହାର ନବୀକରଣ କାର୍ଯ୍ୟ ହୋଇନାହିଁ । କେନାଲ ଗର୍ଭରେ ଅମରି ମାଡି ଯାଉଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଜଳସମ୍ପଦ ବିଭାଗ କେତେବେଳେ କେମିତି ଠିକାଦାର ଜରିଆରେ ଏହାକୁ ସଫା ସୁତୁରା କରିଥାଏ । କେନାଲ ବାମ ପାର୍ଶ୍ୱ ବନ୍ଧ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ଅନେକ ସ୍ଥାନରେ ଗୁଳ୍ମ ଲତା ମାଡି ଯାଇ ଏହା କ୍ଷୁଦ୍ର କାନନର ଭ୍ରମ ସୃଷ୍ଟି କରୁଛି । କେନାଲ ଗର୍ଭ ମଧ୍ୟ ଧିରେଧିରେ ପୋତି ହୋଇ ଯାଉଛି । ପୁନରୁଦ୍ଧାର ସହିତ ଏମିତି ଅନେକ କାରଣ ଯୋଗୁ ପୁରାତନ କେନାଲଟିର ଜଳ ଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି । ଫଳରେ ଚାଷ ସମୟରେ କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ପାଣି ଯାଇପାରୁ ନାହିଁ । ଏହାଛଡା ଅଞ୍ଚଳରେ ସମନ୍ୱିତ ଚାଷ ମଧ୍ୟ ହୋଇ ପାରୁନାହିଁ । ବିଭାଗ ପକ୍ଷରୁ ଏହାର ନବୀକରଣ କାର୍ଯ୍ୟ ପାଇଁଁ ଦୃଷ୍ଟି ଦିଆ ଯାଉନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।