ନିଜେ କରୁଥିଲେ ପେଟ ଅସ୍ତ୍ରୋପଚାର

ଆଜିର ସମୟରେ ସୋସିଆଲ୍‌ ମିଡିଆ ଯୁବପିଢ଼ିକୁ ଯେତିକି ଶିକ୍ଷିତ କରୁଛି, ସେତିକି ଅଜ୍ଞାନ ଅନ୍ଧକାରକୁ ମଧ୍ୟକୁ ଠେଲିଦେଉଛି । ତା’ରି ମଧ୍ୟରୁ ଗୋଟିଏ ପ୍ଲାଟ୍‌ଫର୍ମ ହେଉଛି ୟୁଟ୍ୟୁବ୍‌ । ହଁ ଏହା ନିଃସନ୍ଦେହ ଯେ, ବହୁ ଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀ ଓ ବିଭିନ୍ନବର୍ଗର ଯୁବପିଢ଼ିଙ୍କ ନାନା ପାଠ୍ୟକ୍ରମକୁ ସରଳୀକରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ୟୁଟ୍ୟୁବ୍‌ । ଏଥିରେ ମହଜୁଦ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ଶୈଳୀ ବହୁ ଯୁବପିଢ଼ିଙ୍କୁ ନୂଆ ବାଟ ଦେଖାଇଛି । ନିଜର ବେଉସାକୁ ନୂଆ ଦିଗ ଦେଖାଇବା ସହ କ୍ୟାରିୟର୍‌ ଗଠନରେ ମଧ୍ୟ ଖୁବ୍‌ ସହାୟତା କରିଛି । କିନ୍ତୁ ନିର୍ଦ୍ଦିଷ୍ଟ ଶିକ୍ଷକ ତଥା ଗାଇଡର୍‌ଙ୍କ ଅଭାବ ଯୋଗୁ ବହୁ ଯୁବଗୋଷ୍ଠୀ ନିଜର ହିତାହିତ ଜ୍ଞାନ ହରାଇ କେବଳ ୟୁଟ୍ୟୁବ୍‌କୁ ହିଁ ନିଜର ମହାନଗୁରୁ ବୋଲି ଭାବି ଭୀଷଣ ସମସ୍ୟା ଭୋଗୁଛନ୍ତି । ୟୁଟ୍ୟୁବ୍‌କୁ ଗାଇଡ୍‌ ଭାବେ ମାନି ଏହିଭଳି ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ।
ମଥୁରା ଜିଲ୍ଲାର ରାଜା ବାବୁ (୩୨) ସମ୍ପୃକ୍ତ ଯୁବକ ଦୀର୍ଘ ଦିନର ଯନ୍ତ୍ରଣାକୁ ଦୂର କରିବା ପାଇଁ ୟୁଟ୍ୟୁବ୍‌କୁ କରିଥିଲେ ଡାକ୍ତର । ଆଉ ଏହି ୟୁଟ୍ୟୁବ୍‌ ଦେଖି ନିଜ ଶରୀରର ଅସ୍ତ୍ରୋପଚାର କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଡାକ୍ତରୀ ବିଦ୍ୟା ସମ୍ପର୍କରେ ତାଙ୍କର କୌଣସି ଅଭିଜ୍ଞତା ନ ଥାଇ ନିଜେ ନିଜର ଅସ୍ତ୍ରୋପଚାର କରି ଯନ୍ତ୍ରଣାରେ ଛଟପଟ ହେଲେ । ଆଉ  ଶେଷରେ ମେଡିକାଲ୍‌ରେ ଭର୍ତ୍ତି ହେଲେ । ଏଭଳି ଅନନ୍ୟ ତଥା ବିରଳ ଘଟଣାକୁ ନେଇ ଏବେ ସାରା ରାଜ୍ୟ ତଥା ଦେଶରେ ବି ଚର୍ଚ୍ଚା ।
ଘଟଣା ଅନୁସାରେ ୩୨ ବର୍ଷୀୟ ରାଜାବାବୁ ଦୀର୍ଘ ଦିନ ଧରି ନିଜ ପେଟରେ ଯନ୍ତ୍ରଣା ଅନୁଭବ କରି ଆସୁଥିଲେ । ଏଥିପାଇଁ ସେ ବହୁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ ସୁଦ୍ଧା କୌଣସି ସୁଫଳ ପାଇ ନ ଥିଲେ । ଯାହାଫଳରେ ୟୁଟ୍ୟୁବ୍‌ ମାଧ୍ୟମରେ ସେ ନିଜେ ନିଜର ଅସ୍ତ୍ରୋପଚାର କରିବାକୁ ମନସ୍ତ କରିଥିଲେ । ଏଥିପାଇଁ ଆବଶ୍ୟକ ସର୍ଜରୀ ନାଇଫ୍‌, ଆନାସ୍ଥେସିଆ (ନିଶା ଇଞ୍ଜେକ୍ସନ୍‌), ଏ ସମ୍ବନ୍ଧିତ ବିଭିନ୍ନ ମେଡିକାଲ୍‌ ଉପକରଣ ଏବଂ ଔଷଧ ଆଣି ବୁଧବାର ସକାଳେ ନିଜ ପେଟର ଅସ୍ତ୍ରୋପଚାର ଆରମ୍ଭ କରିବାକୁ ଲାଗିଲେ । ପରିବାରଲୋକଙ୍କ ଅଗୋଚରରେ ଘରେ ଏକ ବଖରାରେ ନିଜକୁ ବନ୍ଦ କରି ୟୁ ଟ୍ୟୁବ୍‌ ଦେଖିଦେଖି ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ପ୍ରଥମେ ଆନାସ୍ଥେସିଆ ଦେଇ ସର୍ଜରୀ ନାଇଫ୍‌ ଜରିଆରେ ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ । ହେଲେ ଡାକ୍ତରୀ ବିଦ୍ୟା ସମ୍ପର୍କରେ ଅନଭିଜ୍ଞ ଥିବା ରାଜାବାବୁ ଆନାସ୍ଥେସିଆର ପୂରା ବିବରଣୀ ଜାଣି ନଥିବାରୁ ତାହା କାମ କରି ନଥିଲା । ଫଳରେ ଛୁରୀରେ ପେଟ କାଟି ଦେବାରୁ ତାଙ୍କୁ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କ ଚିକ୍ରାର ଶୁଣି ପରିବାର ବର୍ଗ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସିଥିଲେ । ତାଙ୍କର ଏଭଳି କଳାକାରନାମା ଦେଖି ପରିବାରବର୍ଗ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ମେଡିକାଲ୍‌ରେ ତାଙ୍କର ଆଶୁ ଚିକିତ୍ସା କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । ସେପଟେ ତାଙ୍କ ଭଣଜା ରାହୁଲ କହିଛନ୍ତି ଯେ, ଦୀର୍ଘ ୧୮ ବର୍ଷ ପୂର୍ବେ ମାମୁଁଙ୍କର ଆପ୍ରେଣ୍ଟିସାଇଟ୍‌ ଚିକିତ୍ସା ହୋଇଥିଲା । ସେଇ ପ୍ରଭାବରୁ ଏବେ ମାମୁଁ ଯନ୍ତ୍ରଣା ପାଉଛନ୍ତି ।