ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ୍‌କୁ ତାଗିଦ୍‌; ତିଥି ଅନୁଯାୟୀ ରଥଯାତ୍ରା କର

ଇସ୍କନକୁ ତାଗିଦ୍‌ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ  । ମନଇଚ୍ଛା ରଥଯାତ୍ରା ନକରି ତିଥି ଅନୁଯାୟୀ ରଥଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି  । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ସହ ଆଲୋଚନା କରାଯାଇଛି  । ଇସ୍କନ୍‌ ମଧ୍ୟ ପ୍ରଶାସନର ଅନୁରୋଧକୁ ରକ୍ଷା କରିବା ପାଇଁ ସହମତି ପ୍ରକାଶ କରିଛି  । 
ରାଜ୍ୟ ଅତିଥି ଭବନରେ ଏନେଇ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କରିଛୁ । ଭାରତ ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ପାଳନ ହେଉଛି, ବିଦେଶରେ ବି ପାଳିବାକୁ ଅପିଲ କରିଛୁ । ସନାତନ ଧର୍ମ ଅନୁସାରେ ନୀତିକାନ୍ତିରେ ପାଳିବାକୁ ଅନୁରୋଧ କରିଯାଇଛି । ଚଳିତ ଘୋଷଯାତ୍ରା ଓ ସ୍ନାନ ପୂର୍ଣ୍ଣିମାରେ ଯେଭଳି ଏଥିରେ ତ୍ରୁଟି ବିଚ୍ୟୁତି ନ ହେବ ସେଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ଇସ୍କନ ଅନୁରୋଧ ରକ୍ଷା କରିବ ବୋଲି ଆଶା କରୁଛୁ । ଏହି ବୈଠକରେ ଗଜପତି ମହାରାଜ ଓ ବିଦେଶରୁ ଆସିଥିବା ଇସ୍କନ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ ।