ନିଜ ଜାଲରେ ନିଜେ ଟ୍ରମ୍ପ୍


ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ଙ୍କର ଶୁଳ୍କ ନୀତିକୁ ନେଇ ଶତାଧିକ ଦେଶ ଯେଭଳି ଆର୍ଥôକ ସମସ୍ୟା ଓ ଅପ୍ରୀତିକର ପରିସ୍ଥିତିରେ ପଡିଛନ୍ତି ଖୋଦ୍ ଆମେରିକା ମଧ୍ୟ ସେହିଭଳି ପରିସ୍ଥିତିରେ ନିଜେ ଫସିଛି । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା କୌଣସି ଏକ ନିଷ୍କର୍ଷ ରେ ପହଞ୍ଚିପାରୁନାହିଁ । ଫଳରେ ଦୁଇ ଦେଶ ମଧ୍ୟରେ ରାଜନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି । ଭାରତ-ଋଷ୍ ବ୍ୟବସାୟିକ ସମ୍ପର୍କରୁ ଟ୍ରମ୍ପ୍ ଭୀଷଣ ଭାବରେ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି । ତେଣୁ ଆମେରିକା କେବଳ ଯେ ଟାରିଫ୍ ଲଗାଇବ ତାହା ନୁହେଁ; ବରଂ ଋଷ୍ ସହ ବ୍ୟବସାୟିକ ସମ୍ପର୍କକୁ ନେଇ ଭାରତ ଉପରେ ଜୋରିମାନା ଆଦାୟ କରିବାକୁ ବସିଛି । ଟ୍ରମ୍ପ୍ଙ୍କର ବିଭିନ୍ନ ସମୟରେ ଟାରିଫ୍କୁ ନେଇ ମତ ପରିବର୍ତ୍ତନ ଯୋଗୁଁ ପ୍ରାୟ ୮୭ ବିଲିୟନ୍ ଡ଼ଲାର୍ର ଭାରତର ରପ୍ତାନୀ ଏବେ ଅନିଶ୍ଚିତତାରେ ପଡ଼ିଯାଇଛି । ଟ୍ରମ୍ପ୍ ଯେଉଁ ନୀତି ଆପଣାଉଛନ୍ତି ତାହା ବ୍ୟବସାୟିକ ନୀତି ନୁହେଁ; ବରଂ ଏକ ଅର୍ଥନୀତିକ ଯୁଦ୍ଧ ଦିଗକୁ ବିଶ୍ୱକୁ ଟାଣି ନେବା ପାଇଁ ଏକ ବ୍ୟକ୍ତିଗତ ମତ । ଆସନ୍ତାକାଲି ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତୀୟ ଆଲୋଚନା ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ଆସିବାର ଅଛି । ତାହା ପୂର୍ବରୁ ଭାରତକୁ ଡ଼ରେଇବା ପାଇଁ ଆମେରିକା ଚାହୁଁଛି । ଆମେରିକାର କୌଣସି ଚାପରେ ଭାରତ ଡ଼ରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିସାରିଲାଣି । ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ନାଁ ନେଇ ଭାରତ ଯେପରି ଋଷ୍ ଠାରୁ କୌଣସି ଦ୍ରବ୍ୟ ଆମଦାନୀ ନକରେ ଏବଂ ଆମେରିକାରୁ ଅଧିକ ସାମଗ୍ରୀ ଆମଦାନୀ କରିବ, ଏହା ହିଁ ଆମେରିକାର ଏକମାତ୍ର ଲକ୍ଷ୍ୟ । ହେଲେ ୟୁରୋପୀୟ ସଂଘ, ବ୍ରିଟେନ୍, ଇଣ୍ଡୋନେସିଆ, ଫିଲିପାଇନ୍ସ, ଭିଏତ୍ନାମ୍ ଭଳି ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପ୍ ଯେତିକି କ୍ଷୁବ୍ଧ ତାହା ଠାରୁ ଅଧିକ କ୍ଷୁବ୍ଧ ଭାରତ ଉପରେ । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ ଉପରେ ଆମେରିକା ଯେଉଁ ଟାରିଫ୍ ଲଗାଇଛି ତୁଳନାତ୍ମକ ଦୃଷ୍ଟିରେ ଦେଖିଲେ ଭାରତ ପାଇଁ ଏହା ଠାରୁ କମ୍ ଅଛି । ପରୋକ୍ଷରେ କହିବାକୁ ଗଲେ ଆମେରିକାର ଏକ ନମ୍ବର ଶତ୍ରୁ ହେଉଛି ଚୀନ୍ ଏବଂ ତାହା ପରେ ଦ୍ୱିତୀୟରେ ରହିଛି ଭାରତ । ଏକ ରିସର୍ଚ୍ଚ୍ ରିପୋର୍ଟ୍ ଅନୁସାରେ ଟ୍ରମ୍ପଙ୍କ ଶୁଳ୍କ ନୀତି ଆମେରିକାର ଅର୍ଥନୀତିକୁ ବିଗାଡ଼ି ଦେବ । ଆମେରିକାରେ ସବୁଠାରୁ ଖରାପ ବାଣିଜ୍ୟ ନୀତି ବର୍ତ୍ତମାନ ଚାଲିଛି । ଏହା ଫଳରେ ଆମେରିକାର ଘରୋଇ ମୁଦ୍ରାସ୍ଫୀତି ଦର ବଢ଼ିଯିବ । ଏଥିରେ ଆମେରିକା ବାସିନ୍ଦା ଏବଂ ଉପଭୋକ୍ତା ସବୁଠାରୁ ଅଧିକୁ କୁପ୍ରଭାବିତ ହେବେ । 
ଆଉ ଏପଟେ ଭାରତରେ ବ୍ୟବସାୟୀମାନେ ବର୍ତ୍ତମାନ ଆମେରିକାର ବଜାରକୁ ବଦଳାଇ ବିକଳ୍ପ ବଜାର ଖୋଜିବାରେ ଲାଗିଛନ୍ତି । ଭାରତୀୟ ରପ୍ତାନୀକାରୀମାନେ ୟୁରୋପୀୟ ସଂଘର ରାଷ୍ଟ୍ରଦେଶ ଏବଂ ଏସିଆର ଅନ୍ୟାନ୍ୟ ଦେଶ ତଥା ମଧ୍ୟପ୍ରାଚ୍ୟରେ ବଜାର ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି । ବିଶେଷ କରି ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଉତ୍ପାଦନ ସମ୍ପର୍କିତ କେତେକ କ୍ଷେତ୍ରରେ ଭାରତୀୟ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ବଦଳାଇ ଦେଇ ସାରିଲେଣି । ଏହା ଫଳରେ ଟ୍ରମ୍ପ୍ ଯେଉଁ ପାଗଳାମୀ କରୁଛନ୍ତି ଓ ବାଚାଳ ଭଳିଅ ହେଉଛନ୍ତି ସେଥିରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ନିଜ ଜାଲରେ ନିଜେ ହିଁ ଫସିଯିବେ । ବର୍ତ୍ତମାନ ଆମେରିକାର ଟାରିଫ୍ ଯୁଦ୍ଧକୁ ଲକ୍ଷ୍ୟ କରିଲେ ଦେଖାଯାଉଛି ଯେ ଅସ୍ଥିର ମସ୍ତିଷ୍କ ଭାବରେ ଟ୍ରମ୍ପ୍ଙ୍କ ମୁହଁରୁ ଯାହା ବାହାରିଲା, ଯେଉଁ ଦେଶ ପାଇଁ ଯେତେ ଟାରିଫ୍ କହୁ କହୁ ସେ କହି ଦେଲେ ତାହା ହିଁ ନୀତିରେ ପରିଣତ ହୋଇଯାଉଛି । ଏଭଳି ମତିଗତିହୀନ ଆଚରଣ ଓ ଉଚ୍ଚାରଣରୁ ନିଜ ଦେଶରେ ମଧ୍ୟ ଟ୍ରମ୍ପ୍ ଲୋକପ୍ରିୟତା ହରାଇଲେଣି । ଏ ଟାରିଫ୍ ଯୁଦ୍ଧରେ ଯଦି ଟ୍ରମ୍ପ୍ କୌଣସି ପ୍ରକାରର ସମାନ ନୀତି ସବୁ ଦେଶ ପାଇଁ ଲାଗୁ ନ କରନ୍ତି ତାହା ହେଲେ ନିଜ ଜାଲରେ ନିଜେ ଫସିଯିବା ଅସମ୍ଭବ ନୁହେଁ ।