ଶକ୍ତି ରୂପେଣ ସଂସ୍ଥିତା

ଶକ୍ତି ରୂପେଣ ସଂସ୍ଥିତା

ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ : ଆସିଛି ଆଶ୍ୱିନ। ପାର୍ବଣର ପରିବେଶ । ବିଲମାଳ, ନଈପଠାରେ କାଶତଣ୍ଡିର ଫେନିଳ ରାହାସ । ମା'ଆସୁଛନ୍ତି । ଦୁର୍ଗତି ନାଶିନୀ ମୋକ୍ଷପ୍ରଦାୟିନୀଙ୍କ ଆଗମନରେ ଧାରଣୀ ଚଳଚଞ୍ଚଳ । ଶିଳ୍ପୀ ହାତରେ ରଙ୍ଗର ପସରା । ପବନରେ ଭାସି ଆସୁଛି ମା'ଙ୍କର ଆଗମନର ଗୀତିକା । ମା' ଓହ୍ଲାଇଛନ୍ତି ଧରାପୃଷ୍ଠକୁ । ଦୁଃଖ, ଶୋକ ହରଣ କରି ସବୁରି ଓଠରେ ଭରିଦେବେ ଶାନ୍ତି-ମୈତ୍ରୀର ବାର୍ତ୍ତା । ଦେବୀଙ୍କ ଆଶୀର୍ବାଦରେ ସବୁ ପ୍ରତିକୂଳ ହେବ ସାଧନମୁକ୍ଷୀ । ଘନ ଅନ୍ଧକାରରେ ମା'ଦେବେ ନିରନ୍ତର ଆଲୋକର ସନ୍ଧାନ । ତାଙ୍କରି କୃପା ଦୃଷ୍ଟିରେ ସକଳ ବ୍ୟାଧି ଦୂରେଇଯିବ । ପୋଛି ହୋଇଯିବ ସବୁ ସନ୍ତାପ । ସବୁ ଅଭାବ ପାଲଟିଯିବ ପୂର୍ଣ୍ଣତାରେ । ମା'ସୃଷ୍ଟି ସ୍ଥିତି ବିନାଶର ଆଧାର । ତାଙ୍କରି ଇଛାରେ ଆତଯାତ ଏ ସଂସାର । ଏହି ନବରାତ୍ରିରେ କିଏ ଉପବାସ ରଖିଛି, ପୁଣି କିଏ ମାନସିକରେ ମା'ଦୁଆରରେ ଦୀପ ଜାଳୁଛି । ମା'ଙ୍କର ଏହି ନବଦିନାତ୍ମକ ଯାତ୍ରାରେ ଦେଶ ବିଦେଶର ସମସ୍ତ ଶକ୍ତିପୀଠ ଉତ୍ସବମୁଖର । ଏହି ନଅ ଦିନ ମା'ମହିଷାମର୍ଦ୍ଦିନୀ ଭିନ୍ନ ଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେଇ ଅଭୟ ପ୍ରଦାନ କରିବେ ।

 "ପ୍ରଥମଂ ଶୈଳପୁତ୍ରୀ ଚ, ଦ୍ୱିତୀୟଂ ବ୍ରହ୍ମଚାରିଣୀ । ତୃତୀୟଂ ଚନ୍ଦ୍ରଘଣ୍ଟେଚି, କୁଷ୍ମାଣ୍ଡେତି ଚତୁର୍ଥକମ୍‌ । ପଞ୍ଚମଂ ସ୍କନ୍ଦମାତେତି, ଷଷ୍ଠଂ କାତ୍ୟାୟନୀତି ଚ । ସପ୍ତମଂ କାଳରାତ୍ରୀତି, ମହାଗୌରୀ ଚାଷ୍ଟମମ୍‌ । ନବମଂ ସିଦ୍ଧିଦାତ୍ରୀ ଚ, ନବଦୁର୍ଗାଃ ପ୍ରକୀର୍ତିତାଃ, ଅକ୍ତାନ୍ୟେତାନି ନାମାନି, ବ୍ରାହ୍ମଣୈବ ମହାତ୍ମନା ।'

"ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ଶକ୍ତି ଉପାସକଙ୍କ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରବ୍ରହ୍ମ ପରମାତ୍ମା । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର କରନ୍ତି । ସେ ଆଦ୍ୟା ମହାଶକ୍ତି । ତାଙ୍କର ସ୍ୱରୂପ ବିବିଧ । ସେ ନବଦୁର୍ଗା, ଦଶ ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତାମ୍ବା, ଗାୟତ୍ରୀ, ଭୁବନେଶ୍ୱରୀ, କାଳୀ, ତାରା, ବଗଳା  । ସେ ସଂହାର ପାଇଁ ମହାକାଳୀ, ବିଦ୍ୟା ଦାନ ପାଇଁ ସରସ୍ୱତୀ, ଧନ ପାଇଁ ମହାଲକ୍ଷ୍ମୀ । ମାର୍କଣ୍ଡେୟ ପୁରାଣରେ ଭଗବତୀଙ୍କୁ ଏହି ରୂପେ ସ୍ତୁତି କରାଯାଇଛି । ନବରାତ୍ରି ଅବସରରେ ପୂଜା ପାଉଥିବା ନଅ ଦେବୀ ନବଦୁର୍ଗା ଭାବେ ଖ୍ୟାତ  । ଦେବୀ ମାହାତ୍ମ୍ୟ ଏବଂ ଦୁର୍ଗା ସପ୍ତସତୀରେ ସେମାନଙ୍କର କଥା ବର୍ଣ୍ଣିତ  । ନବଦୁର୍ଗା ହେଉଛନ୍ତି ଶକ୍ତିଙ୍କ ଭିନ୍ନ ଭିନ୍ନ ଅବତାର । ସେମାନେ ହେଲେ - ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦ ମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାୟିନୀ  । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତା ମାତା ଶୈଳପୁତ୍ରୀ  । "ଶୈଳ' ଅର୍ଥ ପାହାଡ଼ ଓ "ପୁତ୍ରୀ' ଅର୍ଥ କନ୍ୟା  । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଦକ୍ଷକନ୍ୟା ସତୀ ପ୍ରଥମ ପୁନର୍ଜନ୍ମ ନେଇଥିଲେ ଶୈଳପୁତ୍ରୀ ଭାବେ  । ଦ୍ୱିତୀୟ ପୁନର୍ଜନ୍ମ ନେଇଥିଲେ ହିମାଳୟପୁତ୍ରୀ ପାର୍ବତୀ ରୂପେ ଏବଂ ବିବାହ କରିଥିଲେ ମହାଦେବଙ୍କୁ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର  । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା'ବ୍ରହ୍ମଚାରିଣୀ । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା ଉମା, ଅପର୍ଣ୍ଣା ଏବଂ ତପଶ୍ଚାରିଣୀ  । ବ୍ରାହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନ୍ନିଧ୍ୟ ପାଇବା ଲାଗି ସେ ସଦା ତପସ୍ୟାରତ । ତୃତୀୟ ଦିନରେ ଆରାଧନା କରାଯାଏ ମା'ଚନ୍ଦ୍ରଘଣ୍ଟାଙ୍କୁ । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରିଥିବାରୁ ସେ ହେଲେ ଚନ୍ଦ୍ରଘଣ୍ଟା । ଚତୁର୍ଥ ଦିନରେ ଆବାହନ କରାଯାଏ ମା'କୁଷ୍ମଣ୍ଡାଙ୍କୁ  । ସେ ଅଷ୍ଟଭୁଜା ଏବଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକତ୍ରୀ  । ନିଜ ହସ ଦ୍ୱାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ୱାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା । ପଞ୍ଚମ ଦିନରେ ପୂଜା ପାଆନ୍ତି ସ୍କନ୍ଦ ମାତା । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସ୍କନ୍ଦଙ୍କ ମାତା । ସେ ହେଉଛନ୍ତି ସକଳ ମାତୃତ୍ୱର ପରିପ୍ରକାଶ ଏବଂ ସ୍ନେହଶୀଳ କ୍ଷମାମୟୀ  । ଷଷ୍ଠ ଦିବସରେ ପୂଜା ପାଆନ୍ତି ମା'କାତ୍ୟାୟାନୀ  । କାତ୍ୟ ମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସେ ଦୁର୍ଗାଙ୍କର କନ୍ୟା ସ୍ୱରୂପ । ସ୍ନେହ ଶ୍ରଦ୍ଧାର ପ୍ରତୀକ  । ଦେବୀ ନିଜେ କହିଛନ୍ତି ଯେ, ଶରତ କାଳରେ ଯେ ମୋର ବର୍ଷକୁ ଭକ୍ତିପୂତ ଭାବରେ ଆରାଧନା କରି ଶ୍ରଦ୍ଧାର ସହିତ ମୋର ମହାତ୍ମ୍ୟକୁ ଶ୍ରବଣ କରନ୍ତି, ସେମାନେ ମୋର ପ୍ରସାଦରୁ ସକଳ ବିଘ୍ନକୁ ଅତିକ୍ରମ ପୂର୍ବକ ଧନ୍ୟ, ଧାନ୍ୟ, ସ୍ତ୍ରୀ, ପୁତ୍ର ଇତ୍ୟାଦି ଲାଭ କରନ୍ତି  । "ଶରତ କାଳେ ମହାପୂଜା କ୍ରୟତେ ଯାଚ ବାର୍ଷିକୀ, ତସ୍ୟା ମମୈ ତନ୍ମାହାତ୍ମ୍ୟଂ ଶ୍ରୁତ୍ୱାଭକ୍ତି ସମନ୍ୱିତଃ । ସର୍ବବାଧା ବିନିର୍ମୁକ୍ତୋ ଧନ୍ୟଧାନ୍ୟ ସୁତନ୍ୱିତଃ, ମହଷ୍ୟୋ ମତ୍‌ ପ୍ରମାଦେନ ଭବିଷ୍ୟତିନ ସଂଶୟଃ  ।' 
ମୋ: ୯୪୩୭୨୪୨୩୧୭