ନିର୍ମାଣ ସାମଗ୍ରୀ ଯୋଗାଣକାରୀ ସଂଘ ପକ୍ଷରୁ ରାଜସ୍ୱ କମିଶନରଙ୍କୁ ସ୍ମାରକପତ୍ର

 ସମ୍ବଲପୁର:  ସମ୍ବଲପୁର ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟୀ ସଂଘ (ଏସ୍ବିଏମ୍ଏସ୍ଏ) ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ପରିବହନ ଓ ଯୋଗାଣ ସମସ୍ୟାର ଉପଯୁକ୍ତ ପ୍ରତିକାର ଦାବି ନେଇ ଉତ୍ତରାଞ୍ଚଳର ରାଜସ୍ୱ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନିର୍ମାଣ ସାମଗ୍ରୀ ପରିବହନ ଓ ଯୋଗାଣରେ ସମ୍ବଲପୁର ଓ ଆଖପାଖ ଜିଲ୍ଲାର ବହୁ ପରିବାର ନିର୍ଭର କରନ୍ତି । ଏଥିରେ ୩ଶହ ଟ୍ରକ୍ ଓ ଟ୍ରଲି ଚାଳକ ଓ ୩ ହଜାରରୁ ଉଦ୍ଧ୍ୱର୍ ପରିବାର ଡ୍ରାଇଭର ଓ ଶ୍ରମିକ ଭାବରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି । ନଦୀ ପଠାମାନଙ୍କରୁ ବାଲି ଉଠାଣ ଓ ପରିବହନକୁ ନିୟମିତ କରିବା ସକାଶେ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଦାବି କରାଯାଇଆସିଛି । ହେଲେ  ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏଥି ଯୋଗୁଁ ବାଲି ପରିବହନ କରୁଥିବା ଟ୍ରକ୍ ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ଚଢ଼ା ଦରରେ ଜୋରିମାନା ଦେବାକୁ ବାଧ୍ୟ ହେଉଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ ରାଜସ୍ୱ, ଖଣି, ପରିବହନ ଓ ପୋଲିସ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ପରିବହନକାରୀମାନଙ୍କୁ ନିୟମିତ ଭାବେ ଇ-ଟ୍ରାନ୍ଜିଟ୍ ପାସ୍ ଦିଆଯାଉ ନଥିବାରୁ ଏହି ସମସ୍ୟା ଉପୁଜୁଛି । ଏଣୁ ସମସ୍ୟାର ସ୍ଥାୟୀ ପ୍ରତିିକାର ପାଇଁ ନଦୀପଠାରୁ ବାଲି ପରିବହନ କରୁଥିବା ବ୍ୟବସାୟୀମାନଙ୍କୁ ଟ୍ରିପ୍ ପିଛା ଇ-ଟ୍ରାନ୍ଜିଟ୍ ପାସ୍ ପ୍ରଦାନ, ଓଭରଲୋଡିଂକୁ ରୋକିବା ପାଇଁ ବାଲି ଖାଦାନରେ ଓଜନ ଯନ୍ତ୍ର ସ୍ଥାପନ, ଓଭରଲୋଡିଂ  ରୋକିବା ପାଇଁ ଖାଦାନ ଲିଜ୍ଧାରୀଙ୍କୁ ସାମିଲ କରିବା, ବାଲି ପାଇଁ ଘନମିଟର ପିଛା ଦର ଧାର୍ଯ୍ୟ କରିବା, ସମସ୍ତ ବାଲିଖାଦାନରେ ସୂଚନା ଫଳକ ଲଗାଇବା, ଦରକାର ହେଲେ ସିସିଟିଭି ଜରିଆରେ ସାମଗ୍ରୀ ବୋଝେଇର ସମୟକୁ ସୁନିଶ୍ଚିତ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ବାଲି ଖାଦାନରେ ହିଁ ଇ-ଟ୍ରାନ୍ଜିଟ୍ ପାସ୍ ଦେବା ପାଇଁ ଖଣି ବିଭାଗ ପକ୍ଷରୁ ଆପ୍ ତିଆର କରାଯିବ । ଏହି ସବୁ ବିଷୟର ପ୍ରତିକାର ପର୍ଯ୍ୟ" ବାଲି ପରିବହନକୁ ସ୍ୱାଭାବିକ କରିବା ସକାଶେ କୁହାଯାଇଛି ।