ସମଲେଶ୍ୱରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ାା ପ୍ରଭାନୁ୍ୟଜ ।ା ସମ୍ବଲପୁର : ନୂଆଁଖାଇ, କୃଷି ଓ କୃଷକର ଭାବନା ସହ ଜଡିତ ଗଣପର୍ବ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟାରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୯ଟା ୧୨ ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ତେବେ ଚଳିତ ବର୍ଷ ମାଁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମାଁଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପରିବାର ସହ ମାଁ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର ମାଁ ସମଲେଇଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ତେବେ ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ପଶ୍ଚିମ ଓଡିଶାବାସୀ । ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ଡିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ଖଲି ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି । ଏହି ଅବସରରେ ସମ୍ବଲପୁରବାସୀଙ୍କ ସହ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ଖାଇ ନୂଆଁଖାଇରେ ସାମିଲ ହୋଇଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଖାଇସାରିବା ପରେ ଖୁସି ଅନୁଭବ କରିଥିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ସଚିବ ଡ .ଅରବିନ୍ଦ କୁମାର ପାଢୀ, ଆରଡିସି ସଚିନ ରାମଚନ୍ଦ୍ର ଯାଦବ, ସିନେ ନିଦେ୍ର୍ଦଶକ ଡ. ସବ୍ୟସାଚୀ ମହାପାତ୍ର, ହିମାଂଶୁ ଲାଲ, ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଏସଏମସି କମିଶନର ବେଦଭୂଷଣ,ଏସପି ମୁକେଶ କୁମାର ଭାମୁ, ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ, ସଦସ୍ୟ ପ୍ରଫୁଲ୍ଲ ହୋତା ଉପସ୍ଥିତ ଥିଲେ । ପରେ ସନ୍ଧ୍ୟାରେ ପୁରପଲ୍ଲୀରେ ନୃତ୍ୟ ଗୀତର ଆସର ଜମିଛି । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଛନ୍ତି ପଶ୍ଚିମ ଓଡିଶାବାସୀ ।