ନିଲମ୍ବିତ ଇନ୍ସପେକ୍ଟରଙ୍କ ନାଁରେ ଆଉ ଏକ ଅଭିଯୋଗ

ନିଲମ୍ବିତ ଇନ୍ସପେକ୍ଟରଙ୍କ ନାଁରେ ଆଉ ଏକ ଅଭିଯୋଗ
  • ବାଇକ ଚୋରି ଅଭିଯୋଗକାରୀଙ୍କୁ ମାଗିଥିଲେ ୧ ହଜାର ଟଙ୍କା 
     ଭୁବନେଶ୍ୱର,୧୯ା୯ : ଭରତପୁର ଥାନାର ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ କଳାକାହାଣୀର ଚିଠା ତାଲିକା ବେଶ ଲମ୍ବା । ତାଙ୍କ ବିରୋଧରେ କମିଶନରେଟ ପୁଲିସରେ ମାଳମାଳ ଅଭିଯୋଗ । କଟକ କ୍ୟାଣ୍ଟନମେଣ୍ଟ ଥାନାର ଅଧିକାରୀ ଭାବେ ଥିବା ଦୀନକୃଷ୍ଣ ସେ ସମୟରେ ସାଇକେଲ ଷ୍ଟାଣ୍ଡରୁ ଦାଦାବଟି ମାଗି ବେଶ ବିବାଦୀୟ ହୋଇପଡ଼ିଥିଲେ । ଏପରିକି ଟଙ୍କା ମାଗୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ସେପରି କିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ବରଂ ଅଭିଯୋଗ ଆସିବା ପରେ ଦୀନକୃଷ୍ଣଙ୍କୁ କଟକ ଡିସିପିଙ୍କ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଆଉ ତା’ ପରେ କଟକରୁ ଦୀନକୃଷ୍ଣଙ୍କୁ ଭୁବନେଶ୍ୱର ଅଣାଯାଇ ନୂଆକରି ଗଠନ ହୋଇଥିବା ଭରତପୁର ଥାନାର ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଜିଲ୍ଲା ଓ ଥାନା ସିନା ବଦଳିଥିଲା କିନ୍ତୁ ଇନ୍ସପେକ୍ଟର ଦୀନକୃଷ୍ଣଙ୍କ ସ୍ୱଭାବରେ କିନ୍ତୁ ପରିବର୍ତ୍ତନ ହୋଇ ନ ଥିଲା । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ବିବାଦରେ ଫଶି ଶେଷରେ ନିଲମ୍ବିତ ହୋଇଥିବା ଦୀନକୃଷ୍ଣଙ୍କ କଳା ଚିଠା ଉପରୁ ଗୁରୁବାର ଜଣେ ଅଭିଯୋଗକାରୀ ପରଦା ଉଠାଇଛନ୍ତି । ଗାଡ଼ି ଚୋରି ମାମଲାରେ ହଜାରେ ଟଙ୍କା ନ ଦେଲେ ଦୀନକୃଷ୍ଣ ଅଭିଯୋଗ ଶୁଣିବେ ନାହିଁ ବୋଲି ସିଧାସଳଖ ଅଭିଯୋଗକାରୀଙ୍କୁ ଶୁଣାଇ ଦେଇଛନ୍ତି । ଆଉ ଉକ୍ତ ହଜାରେ ଟଙ୍କା ଗାଡ଼ିରେ ପେଟ୍ରୋଲ ପଡ଼ିବ ବୋଲି ଅଭିଯୋଗକାରୀଙ୍କୁ କହିଥିବା ଗୁରୁବାର ଥାନାକୁ ଆସିଥିବା ଜଣେ ଅଭିଯୋଗକାରୀ ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ।  
     ଅଭିଯୋଗକାରୀଙ୍କ କହିବାନୁଯାୟୀ, ଗତ ୨୯ ତାରିଖ ରାତିରେ ତାଙ୍କ ବାଇକଟି ସ୍ଥାନୀୟ ଥାନା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲ ସମ୍ମୁଖରୁ ଚୋରି ହୋଇଯାଇଥିଲା । ସେ ବାଇକ ଚୋରି ସମୟର ସିସିଟିଭି ଫୁଟେଜ ନେଇ ନିଜ ଭଉଣୀଙ୍କ ସହ ଥାନାରେ ପହଞ୍ଚିଥିଲେ । ପୋଲିସକୁ ଚୋରି ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜଣାଇବା ସହ ତୁରନ୍ତ ପିସିଆର ଭ୍ୟାନ ନେଇ ଘଟଣାସ୍ଥଳକୁ ଗଲେ ଚୋରକୁ ଧରିପାରିବେ ବୋଲି ଅଭିଯୋଗକାରୀ ଥାନାରେ ନେହୁରା ହୋଇଥିଲା । ଏ ସମସ୍ତ ଘଟଣା ଜାଣିବା ପରେ ଥାନାରେ ଥିବା ଦୀନକୃଷ୍ଣ ପ୍ରଥମେତଃ ଅଭିଯୋଗକାରୀଙ୍କ ଉପରେ ଖୁବ ବିରକ୍ତି ପ୍ରକାଶ କରିବା ସହ ତାଙ୍କୁ ଗାଳିମନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ପିସିଆର ଗାଡ଼ିରେ ତେଲ ପକାଇବାକୁ ୧ ହଜାର ଟଙ୍କା ମାଗିଥିବା ନେଇ ଅଭିଯୋଗକାରୀ କହିଛନ୍ତି । ଗାଡ଼ିରେ ତେଲ ନାହିଁ ହଜାରେ ଟଙ୍କା ଦେଲେ ତୁମ ବାଇକ ଖୋଜିବାକୁ ପିସିଆର ଗାଡ଼ି ଯିବ ବୋଲି ଥାନାଧିକାରୀ କହିଥିବା ଅଭିଯୋଗକାରୀ କହିଛନ୍ତି । ଏପରିକି ୨୯ ତାରିଖରୁ ତାଙ୍କ ବାଇକ ଚୋରି ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗପତ୍ର ରଖା ନଯିବା ଏବଂ ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ଯାଇ ୨ତାରିଖ ଦିନ ତାଙ୍କୁ ବହୁ ହଇରାଣ କରାଯିବା ପରେ ଏଫଆଇଆର କପି ପ୍ରଦାନ କରାଯାଇଥିବା ନେଇ ଅଭିଯୋଗକାରୀ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଲାଞ୍ଚଖୋର ମନଭାବ ରଖି ଆସୁଥିବା ଦୀନବନ୍ଧୁଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଥିଲା । ଯାହା ପାଇଁ ସେ ବାରମ୍ବାର ଖୁଲମଖୁଲା ଟଙ୍କା ଆଦାୟରେ ବ୍ୟସ୍ତ ଥିଲେ । କଟକର କ୍ୟାଣ୍ଟେନମେଣ୍ଟ ଥାନା ପିଣ୍ଡାରେ ବସି ତକôାଳୀନ ଥାନାଧିକାରୀ ଦୀନବନ୍ଧୁ ୫୦ ହଜାର ଟଙ୍କା ଦାବି କରିବାର ଭିଡ଼ିଓ ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲେ ମଧ୍ୟ ତାଙ୍କ ବିରୋଧରେ କାହିଁକୁ ବିଭାଗୀୟ ତଦନ୍ତ ହେଲା ନାହିଁ ଏହା ପଛରେ କେଉଁ ବଡ଼ ଅଧିକାରୀଙ୍କ ହାତ ରହିଛି ତାହାର ଖୋଳତାଡ଼ କରିବାକୁ ବୁଦ୍ଧିଜୀବୀ ମହଳରେ ଦାବି ଜୋର ଧରିଛି ।